ଭୁବନେଶ୍ବର: ନିର୍ବାଚନ ପୂର୍ବରୁ BJDରୁ ଇସ୍ତଫା ଦେଇ BJPରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ଜିଲ୍ଲାର ଟାଣୁଆ ନେତା ଦେବାଶିଷ ନାୟକ । ସେ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଦେବାଶିଷ ଅପରାହ୍ନରେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟ ଦଳୀୟ ନେତାଙ୍କ ଗହଣରେ ପଦ୍ମ ଧରିଛନ୍ତି । ଦଳରେ ସାମିଲ ହେବା ପରେ ସେ 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ପରୋକ୍ଷ ଟାର୍ଗେଟ କରିଛନ୍ତି । ରାଜ୍ୟରେ ତାମିଲ ଶାସନ ଚାଲିଛି ବୋଲି କହିଛନ୍ତି ଦେବାଶିଷ ।
ଦଳ ସଭାପତି ମନମୋହନ ସାମଲ ଦେବାଶିଷଙ୍କୁ ବିଜେପି ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ବାଗତ କରିଛନ୍ତି । ନିର୍ବାଚନ ପୂର୍ବରୁ ଦେବାଶିଷଙ୍କ ପରି ଜଣେ ଅନୁଭବି ନେତା ବିଜେପିରେ ସାମିଲ ହେବା ଦଳକୁ ସୁଦୃଢ କରିବ ବୋଲି ମନମୋହନ କହିଛନ୍ତି । ସେହିପରି ଆଜି ଅତାବିରାରୁ କଂଗ୍ରେସର ପୂର୍ବତନ ବିଧାୟକ ନିହାର ମହାନନ୍ଦ ମଧ୍ୟ ନିଜର ଏକାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ।
ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରୁ 4 ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ଦେବାଶିଷଙ୍କୁ ଗତ (2019) ବିଧାନସଭା ନିର୍ବାଚନରେ ଦଳ ଟିକେଟ ଦେଇନଥିଲା । ଏବେ ଚଳିତ ନିର୍ବାଚନ ପୂର୍ବରୁ ସେ ଦଳ ଛାଡିବା ସହ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଦେବାଶିଷ ଯାଜପୁର ଜିଲ୍ଲା ବରୀ ବିଧାନସଭା ଆସନରୁ 2004 ରୁ 2014 ମଧ୍ୟରେ କ୍ରମାଗତ 4ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ନବୀନ ପଟ୍ଟନାୟକ କ୍ୟାବିନେଟରେ କ୍ରୀଡା, ଯୁବ ବ୍ୟାପାର ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ଏହି ବରିଷ୍ଠ ନେତାଙ୍କୁ 2019 ନିର୍ବାଚନରେ ଦଳ ଟିକେଟ ଦେଇନଥିଲା । ଏହା ପରେ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ଜାରି ରହିଥିଲା । ଏଥର ମଧ୍ୟ ତାଙ୍କୁ ଗତଥର ପରି ଟିକେଟ ନଳିବା ନେଇ ଅନୁମାନ କରାଯାଉଥିଲା ।