ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୃତ ସହଦେବ ନାୟକଙ୍କ ପରିବାର । ସମବେଦନା ଜଣାଇବା ସହ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି ବିରୋଧୀ ଦଳ ନେତା । ସେହିପରି ଶୁଦ୍ଧି କର୍ମ ପାଇଁ ୫୦ ହଜାର ଟଙ୍କା ସହାୟତା ଦେଇଛନ୍ତି ନବୀନ । ହତ୍ୟାର ଶିକାର ହୋଇଥିବା ସହଦେବଙ୍କ ପତ୍ନୀ ଓ ଦୁଇ ଝିଅ ଆଜି ସନ୍ଧ୍ୟାରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସ୍ୱାମୀଙ୍କ ନୃଶଂସ ହତ୍ୟାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଶାସ୍ତି ପାଇଁ ଦାବି କରିଛନ୍ତି ।
ନବୀନ ଦେଲେ 50 ହଜାର
ସହଦେବଙ୍କ ପତ୍ନୀ ଓ ପିଲାମାନଙ୍କୁ ନବୀନ ସାନ୍ତ୍ୱନା ଦେଇଛନ୍ତି । ଏ ଦାରୁଣ ବିପତ୍ତି ସମୟରେ ସେ ତାଙ୍କ ସହ ଅଛନ୍ତି । ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଜଘନ୍ୟ ହତ୍ୟା ଘଟଣାକୁ କଡା ନିନ୍ଦା କରିଛନ୍ତି । ଏହା ସହ ତାଙ୍କ ପରିବାରଙ୍କୁ ଯେପରି ନ୍ୟାୟ ମିଳିବ ସେଥିପାଇଁ ଲଢେଇ କରିବେ ବୋଲି ନବୀନ କହିଛନ୍ତି । BMCର ହସ୍ତକ୍ଷେପ କ୍ରମେ ସହଦେବଙ୍କୁ ସେ କାମ କରୁଥିବା ଠିକା ସଂସ୍ଥା ପାଞ୍ଚ ଲକ୍ଷ ଟଙ୍କା ସହାୟତା ଘୋଷଣା ହୋଇଛି । ଏହା ସହ ପରିବାରର ଜଣକୁ ଚାକିରୀ ବିଷୟ ଗତକାଲି BMC ପକ୍ଷରୁ ଘୋଷଣା କରାଯାଇଛି । ଏହି ସାକ୍ଷାତ ସମୟରେ BMC ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ କର୍ପୋରେଟର ମନେ ଉପସ୍ଥିତ ଥିଲେ ।
ମୃତ୍ୟୁର ଦୁଇ ଦିନ ପୂର୍ବରୁ ନବୀନଙ୍କୁ ଭେଟିଥିଲେ
ହତ୍ୟାର ଦୁଇ ଦିନ ପୂର୍ବରୁ ସହଦେବ ପରିବାର ସହ ନବୀନ ନିବାସକୁ ଆସିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନୂଆବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଏହି ସମୟରେ ସହଦେବ ନିଜ ଝିଅ ସହ ନବୀନଙ୍କ ସହ ଫଟୋ ଉଠାଇଥିଲେ । ଯେଉଁ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।