ଭୁବନେଶ୍ୱର:ସରିଲା ଯୁକ୍ତ ଦୁଇ ଆବେଦନ । ୨୦ରେ ପ୍ରଥମ ମେଧା ତାଲିକା । ଅଗଷ୍ଟ ପହିଲାରୁ ପାଠପଢା । ୨୦୨୪- ୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ନିମନ୍ତେ ଆବେଦନ ପ୍ରକିୟା ଶେଷ ହୋଇଛି । ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୧ ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ୨୭ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ । ଅଗଷ୍ଟ ୫ ତାରିଖ ଅପରାହ୍ନ ୩ଟା ସମୟରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୭ ତାରିଖରୁ ୧୦ ତାରିଖ ମଧ୍ୟରେ ନାମଲେଖାଇବାକୁ ପଡ଼ିବ । ୨୦ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ତେବେ ଅଗଷ୍ଟ ୧ ତାରିଖରୁ ଯୁକ୍ତ ଦୁଇ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ କରିବାକୁ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା ।
ଚଳିତ ବର୍ଷ ଯୁକ୍ତ ଦୁଇ ନାମଲେଖା ତଥ୍ୟ:ରାଜ୍ୟରେ ମୋଟ ୨ ହଜାର ୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ୫ ଲକ୍ଷ ୪୮ ହଜାର ୨୪୯ଟି ସିଟ୍ ରହିଛି । ସେଥିମଧ୍ୟରୁ କଳାରେ ୩ ଲକ୍ଷ୍ୟ ୧୦ ହଜାର ୧୩୬ଟି ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୭୩ ହଜାର ୫୪୯, ବାଣିଜ୍ୟରେ ୪୧ ହଜାର ୦୮୦, ସଂସ୍କୃତରେ ୧୩ ହଜାର ୮୮, ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୩୯୬ ଟି ସିଟ୍ ରହିଛି । ତେବେ ଚଳିତବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ୪ ଲକ୍ଷ ୭୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରୀଛାତ୍ର ଆବେଦନ କରିଛନ୍ତି ।