ଓଡିଶା

odisha

ETV Bharat / state

ପ୍ରଥମ ଥର ଶୀତ ଋତୁରେ ହାତୀ ଗଣନା, ଡ୍ରୋନ ଗଣଛି ହାତୀ - ELEPHANT CENSUS IN ODISHA

ରାଜ୍ୟରେ ପରୀକ୍ଷାମୂଳକ ଭାବେ ପ୍ରଥମ ଥର ଶୀତ ଋତୁରେ ହାତୀ ଗଣନା । ୪୮ଟି ବନଖଣ୍ଡରେ ଗଣନା ଜାରି । ଆଜି ସରିବ ।

ପ୍ରଥମଥର ଶୀତ ଋତୁରେ ହାତୀ ଗଣନା, ବ୍ୟବହାର ହେଉଛି ଡ୍ରୋନ
ପ୍ରଥମଥର ଶୀତ ଋତୁରେ ହାତୀ ଗଣନା, ବ୍ୟବହାର ହେଉଛି ଡ୍ରୋନ (ETV Bharat Odisha)

By ETV Bharat Odisha Team

Published : Nov 17, 2024, 12:51 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପ୍ରଥମ ଶୀତକାଳୀନ ହାତୀ ଗଣନା । ଚଳିତ ୧୪ ତାରିଖରୁ ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ମୋଟ ୪୮ଟି ବନଖଣ୍ଡରେ ଆରମ୍ଭ ହୋଇଥିବା ଏହି ହାତୀଗଣନା ଆଜି (୧୭ ତାରିଖ)ରେ ଶେଷ ହେବ । ସେଥିପାଇଁ ପାଖାପାଖି ୧୯ଶହ ୟୁନିଟ୍‌ ନିୟୋଜିତ ହୋଇଛନ୍ତି । ଏଥିରେ ପ୍ରାୟ ୫ ହଜାର ୭୦୦ରୁ ଅଧିକ ବନ କର୍ମଚାରୀ ସାମିଲ ଅଛନ୍ତି । ବିଶେଷ କରି ଜଙ୍ଗଲ ଭିତରେ ୧ ହଜାର ୩୦୦ ମଞ୍ଚା ପ୍ରସ୍ତୁତ କରାଯାଇଛି । ସେହିପରି ଏଥର ହାତୀ ଗଣନାରେ ବ୍ୟବହାର ହେଉଛି ଡ୍ରୋନ । ଆକାଶ ମାର୍ଗରୁ ଏହି ଡ୍ରୋନ ମାଧ୍ୟମରେ ହାତୀ ଗଣନା କରୁଛି ବନ ବିଭାଗ । ଏହି ପ୍ରକ୍ରିୟା ଫଳରେ ପ୍ରକୃତ ସଂଖ୍ୟା ସ୍ଥିର କରିବା ପ୍ରକ୍ରିୟା ସରଳ ହେବା ନେଇ ଆଶା କରାଯାଉଛି ।

  • ପ୍ରଥମ ଥର ପରୀକ୍ଷାମୂଳକ ଭାବେ ଶୀତ ଋତୁରେ ହାତୀ ଗଣନା

ଏନେଇ ‘ସିସିଏଫ’ ବିକାଶ ରଞ୍ଜନ ଦାଶ କହିଛନ୍ତି," ପ୍ରଥମ ଥର ପାଇଁ ଶୀତଦିନରେ ହାତୀ ଗଣନା କରାଯାଉଛି । ପୂର୍ବରୁ ସବୁବେଳେ ଗ୍ରୀଷ୍ମ ଋତୁରେ ଏହି ଗଣତି ପ୍ରକ୍ରିୟା କରାଯାଉଥିଲା । କାରଣ ଖରା ସମୟରେ ଜଙ୍ଗଲ ମଧ୍ୟରେ ଯେଉଁଠାରେ ପାଣି ରହିଛି, ସେହି ସ୍ଥାନରେ ବିଶେଷ ଭାବରେ ହାତୀମାନେ ଦେଖିବାକୁ ମିଳିଥାନ୍ତି । ତେବେ ପ୍ରଥମ ଥର ଶୀତ ଋତୁରେ ହାତୀ ଗଣନା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ପରୀକ୍ଷାମୂଳକ ଭାବରେ କରାଯାଉଛି । ଏହି ସର୍ଭେରୁ ଜଣାପଡିବ ରାଜ୍ୟରେ କେତେ ସଂଖ୍ୟାରେ ହାତୀ ରହିଛନ୍ତି । ରାଜ୍ୟରେ ଥିବା ୪୮ଟି ବନଖଣ୍ଡରରେ ହାତୀଙ୍କ ଗଣନା କରାଯାଉଛି । ୫ ହଜାର ୭୦୦ ଅଧିକ ବନ କର୍ମଚାରୀ ସାମିଲ ଅଛନ୍ତି ।’’

ପ୍ରଥମ ଥର ଶୀତ ଋତୁରେ ହାତୀ ଗଣନା, ବ୍ୟବହାର ହେଉଛି ଡ୍ରୋନ (ETV Bharat Odisha)
  • ହାତୀଙ୍କ ପାଇଁ ସ୍ଥାନ ଅଭାବ:-

ଅନ୍ୟ ଏକ ଗୁରତ୍ବପୂର୍ଣ୍ଣ କଥା ମଧ୍ୟ କହିଛନ୍ତି ବନ୍ୟାପ୍ରାଣୀ ପିସିସିଏଫ । ସେ କହିଛନ୍ତି ‘‘ରାଜ୍ୟରେ ହାତୀ ସଂଖ୍ୟା ଆବଶ୍ୟକତାଠାରୁ ଅଧିକ ମାତ୍ର, ରହିବା ପାଇଁ ଯଥେଷ୍ଟ ପରିମାଣର ଜଙ୍ଗଲ ନାହିଁ । ଯେତିକି ହାତୀ ରହି ପାରିବା କଥା, ତାହାଠୁ ଢେର ଅଧିକ ଅର୍ଥାତ ରାଜ୍ୟରେ ୪୦୦ ଅଧିକ ହାତୀ ଅଛନ୍ତି । ବେଙ୍ଗାଲୁରୁ ସ୍ଥିତ ‘ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସସ ଫର ଏଲିଫ୍ୟାଣ୍ଟ ସେଣ୍ଟର’ ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ । କିନ୍ତୁ ଏବେ ୪୦୦ ଅଧିକ ହାତୀ ଅର୍ଥାତ୍ ୨୧ଶହ ହାତୀ ଅଛନ୍ତି । ଯେଉଁଥିପାଇଁ ଖାଦ୍ୟ ଅନ୍ୱେଷଣରେ ସେମାନେ ଜନବସତି ମୁହାଁ ହେଉଛନ୍ତି ଏବଂ ହାତୀ-ମଣିଷ ଲଢ଼େଇ ବଢ଼ୁଛି । ଖାଦ୍ୟାଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଉଛି । କାରଣ ଜଙ୍ଗଲ ମଧ୍ୟରେ ଭରପୂର ଭାବେ ଖାଇବା ପାଇ ନାହିଁ କିମ୍ବା ପିଇବା ପାଇଁ ପାଣି ମଧ୍ୟ ନାହିଁ । ରାଜ୍ୟରେ ଯେତିକି ମାତ୍ରାରେ ହାତୀ ମୃତ୍ୟୁ ଘଟୁଛି, ସେଥିମଧ୍ୟରୁ ୬୦ ପ୍ରତିଶତ ଛୁଆ ହାତୀ, ରୋଗଗ୍ରସ୍ତ ହାତୀ ରହିଛନ୍ତି ।’’

ପ୍ରଥମ ଥର ଶୀତ ଋତୁରେ ହାତୀ ଗଣନା, ବ୍ୟବହାର ହେଉଛି ଡ୍ରୋନ (ETV Bharat Odisha)
  • ବଳକା ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା:-

ରାଜ୍ୟରେ ଅଧିକ ମାତ୍ରାରେ ହାତୀ ରହିଛନ୍ତି । ଅନେକ କିଛି ହାତୀ ମଧ୍ୟ ଆମ ରାଜ୍ୟରୁ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶା ଜଙ୍ଗଲରେ ଅଧିକ ହାତୀ ଥିବାରୁ ବିଶେଷଜ୍ଞଙ୍କ ପରାମର୍ଶରେ କିଛି ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ସ୍ଥାନାନ୍ତର ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରାଯିବ । ବର୍ତ୍ତମାନ ଯାହା ସ୍ଥିତି ବା ଜଙ୍ଗଲ ରହିଛି ତେବେ ଓଡିଶାରେ ୨୦୦୦ ରୁ ୨୧୦୦ ହାତୀ ରହିପାରିବେ । ସମସ୍ତ ହାତୀଙ୍କ ଦେହରେ ରେଡିଓ କଲାର ଲଗାଯିବ । ଯାହା ଫଳରେ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ ବୋଲି ବନ୍ୟାପ୍ରାଣୀ ପିସିସିଏଫ କହିଛନ୍ତି ।

  • ୭ ବର୍ଷରେ ୬୩୪ ହାତୀ ମୃତ୍ୟୁ :-


୨୦୧୭-୨୦୧୮ - ୭୮ ହାତୀ ମୃତ
୨୦୧୮-୨୦୧୯ - ୯୩ ହାତୀ ମୃତ
୨୦୧୯-୨୦୨୦ - ୮୨ ହାତୀ ମୃତ
୨୦୨୦-୨୦୨୧ - ୭୭ ହାତୀ ମୃତ
୨୦୨୧-୨୦୨୨ - ୮୬ ହାତୀ ମୃତ
୨୦୨୨-୨୦୨୩ - ୯୨ ହାତୀ ମୃତ
୨୦୨୩-୨୦୨୪ - ୬୬ ହାତୀ ମୃତ
୨୦୨୪ରୁ ଏବେ ଯାଏଁ ୬୦ ହାତୀ ମୃତ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details