କେନ୍ଦ୍ରାପଡା:ମଝି ସମୁଦ୍ରରେବନବିଭାଗ କର୍ମଚାରୀଙ୍କ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ । ବନବିଭାଗକୁ ଚକମା ଦେଇ ଫେରାର ହୋଇଗଲେ ୮ ମତ୍ସ୍ୟଜୀବୀ । ଟ୍ରଲର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କଲା ବନବିଭାଗ ।
ନିଷିଦ୍ଧାଞ୍ଚଳ ଅଞ୍ଚଳରେ ମାଛଧରା:
ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ନଜରରେ ରଖି କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ସମୂଦ୍ର ଉପକୂଳ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ନଭେମ୍ବର ୧ ତାରିଖଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳଠାରୁ ୨୦ ନଟିକାଲ ମାଇଲ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ତେବେ ଆଜି (ରବିବାର) କିଛି ମତ୍ସ୍ୟଜୀବୀ ବାବୁବାଲି ଠାରୁ ୫ କିଲୋମିଟର ଦୂରରେ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ଖବର ପାଇ ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ।
ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ଟିମ ଅଲିଭିଆ ନାମକ ସରକାରୀ ଟ୍ରଲରରେ ଚଢ଼ାଉ କରି ଚଣ୍ଡୀ ତାରିଣୀ ନାମକ ଏକ ଟ୍ରଲରକୁ ଜବତ କରିଥିଲେ । ଏଥିସହ ୯ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରିଥିଲେ । ହେଲେ ମଝି ସମୁଦ୍ରରେ 'VHF' ଜରିଆରେ ଜବତ ହୋଇଥିବା ଟ୍ରଲରରୁ ଖବର ଯିବା ପରେ ଅନ୍ୟ ୮ରୁ ୧୦ଟି ଟ୍ରଲର ବନବିଭାଗ ଟ୍ରଲର ନିକଟକୁ ମାଡି ଆସିଥିଲେ ।
ସମୁଦ୍ର ମଝିରେ ବ୍ଲାଙ୍କ୍ ଫାୟାରିଂ:
ବନବିଭାଗ ଟ୍ରଲର ସହ ବାଡେଇ ହୋଇ ଏହାକୁ ବୁଡାଇ ଦେବାକୁ ଚେଷ୍ଟା କରିବା ସହ ବନବିଭାଗକୁ ଭୟଭୀତ କରିଥିଲେ । ବନବିଭାଗ ପକ୍ଷରୁ ଫାଙ୍କା ଗୁଳି ଚଳାଯାଇଥିଲା । ହେଲେ ମତ୍ସ୍ୟଜୀବୀମାନେ ବନବିଭାଗ ଦ୍ୱାରା ଧରାଯାଇଥିବା ୮ଜଣ ମତ୍ସ୍ୟଜୀବୀମାନଙ୍କୁ ଅନ୍ୟ ଏକ ଟ୍ରଲରରେ ଧରି ଫେରାର ହୋଇଯାଇଥିଲେ । ତେବେ ବନବିଭାଗ ଚଣ୍ଡୀ ତାରିଣୀ ଟ୍ରଲରର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଥିବା ସୂଚନା ରହିଛି । ଅଟକ ଡ୍ରାଇଭର ଜଣକ ବାଲେଶ୍ୱରର ହୋଇଥିବା ଭିତରକନିକା ଫରେଷ୍ଟ ଗାର୍ଡ ସୁନୀଲ ରଞ୍ଜନ ରାଉତରାୟ କହିଛନ୍ତି ।
ଏହାମଧ୍ୟ ପଢନ୍ତୁ... |