ଭୁବନେଶ୍ବର: ଆଜି (ଶନିବାର)ଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଭୁବନେଶ୍ବରର ଜନତା ମଇଦାନରେ ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପୂର୍ବାହ୍ନ ୧୧ଟା ସମୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ସମୟରେ ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କ ସହ ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଏକକାଳୀନ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବେ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୪୦ ହଜାର ଛାତ୍ରଛାତ୍ରୀ ଏକାଠି ହୋଇ ରାଜ୍ୟ ସଙ୍ଗୀତ ଗାନ କରିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଓଡିଆ ଭାଷାକୁ ଅଧିକ ଉନ୍ନତ ଓ ଲୋକପ୍ରିୟ କରିବାକୁ ଭାଷା ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଓଡିଆ ଭାଷାକୁ ନେଇ ବିଚାରବିମର୍ଶ ହେବ ।
ଅକ୍ଷର ଭୂମିର ଶୁଭାରମ୍ଭ:ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପୂର୍ବରୁ ଗତକାଲି (ଶୁକ୍ରବାର) ଅକ୍ଷର ଭୂମିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ସମ୍ମିଳନୀ ସ୍ମୃତିକୁ ଚିର ସ୍ମରଣୀୟ କରିବ ଅକ୍ଷର ଭୂମି । ଓଡ଼ିଆ ଭାଷା ସଂସ୍କୃତି ଓ କଳାର ଜୟ ଗାନ ମଧ୍ୟ କରିବ । ଖାଣ୍ଡେଲାଇଟ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି ।