ଢେଙ୍କାନାଳ: ହାତୀ ପାଇଁ ଲଗାଇଥିଲେ ଫାଶ । ଆଉ ନିଜ ଫାଶରେ ଫସିଗଲେ ନିଜେ । ବଣୁଆ ହାତୀଙ୍କ ପାଇଁ ଲଗାଇଥିବା ଏକ ବିଦ୍ୟୁତ ଫାଶରେ ଜଣେ ବ୍ୟକ୍ତି ଫସିଯାଇ ଜୀବନ ହାରିଛନ୍ତି । ହାତୀ ଦାଉରୁ ଫସଲ ସୁରକ୍ଷା ପାଇଁ ନିଜ ଫାର୍ମ ଚାରିପଟେ ନିଜେ ବିଛାଇଥିବା ସୋଲାର ଫେନ୍ସିଂ ତାରରେ ଲାଗି ଫାର୍ମ ମାଲିକଙ୍କ ମୃତ୍ୟୁ ଘଟିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଗଦାଶିଳା ଗ୍ରାମ ଗୌତମ ନାୟକ ନାମକ ଜଣେ ପରିବା ଚାଷୀ ହାତୀ ଦାଉରୁ ନିଜ ଫସଲକୁ ରକ୍ଷା କରିବା ପାଇଁ ପରିବା ଫାର୍ମରେ ଚାରି କଡ଼ରେ ସୋଲାର ଫେନ୍ସିଂ ତାର ଲଗାଇଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଆଜି (ରବିବାର) ସକାଳେ ହାତୀ ପାଇଁ ଲଗାଇଥିବା ତାରରେ ନିଜେ ଫସିଯାଇଥିଲେ । ଏହି ଅଘଟଣ ପରେ ଗୌତମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଫାର୍ମର ଚାରିପଟେ ହାତୀ ଉପଦ୍ରବରୁ ସୁରକ୍ଷା ପାଇଁ ବିଛାଇଥିବା ସୋଲାର ଫେନ୍ସିଂ ତାର କରେଣ୍ଟ ଲାଗି ମୃତ୍ୟୁ ଘଟିଥିବା ଗୌତମଙ୍କ ପରିବାର ଲୋକେ କହିଛନ୍ତି । ତେବେ ସୋଲାର ଫେନ୍ସିଂ କରେଣ୍ଟରେ ସେପରି ଜୀବନ ହାନି ହେବାର ବିପଦ ନଥିଲେ ମଧ୍ୟ ଏହି ଘଟଣାକୁ ନେଇ ସନ୍ଦେହ କରାଯାଇଛି । ସେପଟେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧରେ ଥମୁନି ହାତୀ ମୃତ୍ୟୁ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଖି ବୁଜିଲା ଦନ୍ତା