ନିମାପଡା: ଆଉ ୩ ଦିନପରେ ହେବାକୁ ଯାଉଛି ପବିତ୍ର ମାଘ ମେଳା । ଅର୍କ କ୍ଷେତ୍ର କୋଣାର୍କରେ ବୁ଼ଡ଼ ପକାଇବା ପାଇଁ ଲାଗିବ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ । ଏଥିପାଇଁ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଵେଚ୍ଛାସେବୀମାନଙ୍କୁ ନେଇ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ବ ପ୍ରସିଦ୍ଧ କୋଣାର୍କ ମାଘମେଳାକୁ ସରସ ସୁନ୍ଦର କରିବା ପାଇଁ ସ୍ଵେଚ୍ଛାସେଵୀ ସଙ୍ଗଠନ ପକ୍ଷରୁ ୩୦୦ରୁ ଅଧିକ ସ୍ଵେଚ୍ଛାସେବୀ ପବିତ୍ର ମାଘମେଳାରେ ସାମିଲ ହେବେ । ମାଘ ସପ୍ତମୀ ବୁଡ଼ରେ ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କୁ ନିୟନ୍ତ୍ରଣ କରିବାକୁ NCC, NSS, ନେହେରୁ ଯୁବ କେନ୍ଦ୍ର, ସ୍କାଉଟ ଓ ଗାଇଡ, ରେଡକ୍ରସର ଛାତ୍ରଛାତ୍ରୀ ମାନଙ୍କ ସହ ସ୍ଵେଚ୍ଛାସେବୀମାନଙ୍କୁ ନେଇ ଅଗ୍ନିଶମ ବିଭାଗ ଓ କୋଣାର୍କ ପୋଲିସ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭକ୍ତଙ୍କ ସମାଗମ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପ୍ରଶାସନ । ତୀର୍ଥ ପୁଷ୍କରିଣୀରେ ଲକ୍ଷାଧିକ ଭକ୍ତ ପକାଇବେ ବୁଡ଼ । ଏହା ପୂର୍ବରୁ ତୀର୍ଥ ପୁଷ୍କରିଣୀ ଖନନ କରି ପଙ୍କ ଉଦ୍ଧାର, ପରିମଳ ବ୍ୟବସ୍ଥା, ଆଲୋକୀକରଣ, ପାନୀୟ ଜଳ ଯୋଗାଣ କାର୍ଯ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିଆଯାଇଛି ନିଷ୍ପତ୍ତି । ଅନ୍ୟପଟେ ଉକ୍ତ ଦିନ ନବଗ୍ରହ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଗହଳି ଲାଗିବ ବୋଲି ପୂର୍ବାନୁମାନ କରି ବ୍ୟାପକ ବ୍ୟବସ୍ଥା କରାଯାଇଛି ।