ବାଲେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ରଦୂଷଣ । ଏଭଳି ପରିସ୍ଥିତିରେ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ନିଆଯାଇଛି ନିଆରା ପଦକ୍ଷେପ । ୨ ବର୍ଷ ପୂର୍ବରୁ ପ୍ରଦୂଷଣ ରୋକିବା ଦିଗରେ ଲାଗୁ କରାଯାଇଥିବା ନିୟମ ଏବେବି କଡାକଡି ଭାବେ ପାଳନ କରାଯାଉଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରକୁ ବାୟୁ କିମ୍ବା ଶବ୍ଦ ପ୍ରଦୂଷଣ କରୁଥିବା ଯାନ ଉପରେ ରୋକ ଲଗାଯାଇଛି । ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରୁ କ୍ୟାମ୍ପସ ଭିତରକୁ କେବଳ ଇଲେକ୍ଟ୍ରି ଗାଡ଼ିଗୁଡିକୁ ଅନୁମତି ପ୍ରଦାନ କରାଯାଇଛି ।
ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ଯିବା ଆସିବା ପାଇଁ ଏହି ଇଲେକ୍ଟ୍ରି ଅଟୋର ବ୍ୟବହାର ହୋଇଥାଏ । ଅଧ୍ୟାପକ ଅଧ୍ୟାପିକା ହୁଅନ୍ତୁ କିମ୍ବା ଛାତ୍ରଛାତ୍ରୀ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଯଦି ପେଟ୍ରୋଲ ଗାଡ଼ିରେ କେହି ଆସିବେ ତେବେ ତାହା ମୁଖ୍ୟ ଫାଟକ ନିକଟରେ ରଖି ଇଲେକ୍ଟ୍ରି ଅଟୋରେ ଭିତରକୁ ଯିବାକୁ ପଡ଼ିବ। ଏହି ନିୟମ ଲାଗୁ ପାଇଁ ବିଶ୍ୱବିଦ୍ୟାଳୟ ଅନେକ ପୁରସ୍କାର ମଧ୍ୟ ପାଇଛି । ଏହାସହ ଛାତ୍ରଛାତ୍ରୀମାନେ ଏହାକୁ ସ୍ୱାଗତ କରିବା ସହ ନିଜ ବିଶ୍ୱବିଦ୍ୟାଳୟରେ ଏମିତି ନିୟମ ଓ ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
କେବଳ ଇ-ଯାନକୁ ଅନୁମତି:
ବିଶ୍ୱବିଦ୍ୟାଳୟ ଛାତ୍ରୀ ଆଦ୍ୟାଶା ମିଶ୍ର କହିଛନ୍ତି," ଆମର ଯିଏ କୁଳପତି ଅଛନ୍ତି ସନ୍ତୋଷ ତ୍ରିପାଠୀ ସାର, ସିଏ ଏ କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ କରିଛନ୍ତି । ଏଠି କୌଣସି ପେଟ୍ରୋଲ ଗାଡ଼ି ଯିବାର ଅନୁମତି ନାହିଁ । ଯିଏ ଯେତେ ବଡ଼ ଲୋକ ହୁଅନ୍ତୁ ନା କାହିଁକି ସେ ସେହି ମୁଖ୍ୟ ଫାଟକ ପାଖରେ ଓହ୍ଲାଇବେ ସେଇଠୁ ଇଲେକ୍ଟ୍ରି ଚାଳିତ ଗାଡ଼ିରେ ଆସିବେ । ଆଉ ଆମର କ୍ୟାମ୍ପସ ପୁରା ଗ୍ରୀନି କ୍ୟାମ୍ପସ । ଧାନ, ପାନ, ମୀନର ଏଠି ବ୍ୟବସ୍ଥା ଚାଲିଛି । ସବୁ କ୍ୟାମ୍ପସ ପାଇଁ ଏମିତି ନିହାତି ଆବଶ୍ୟକ । ବିଶ୍ୱ ତାପନ ଯେମିତି ବଢି ଚାଲିଛି ଏଭଳି ଅବସ୍ଥାରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ, କଲେଜରେ ଏଭଳି ପଦକ୍ଷେପ ଦରକାର ।"