ବଲାଙ୍ଗୀର:ଜିଲ୍ଲାରେ ପୁଣି ଧରାପଡ଼ିଲେ ଜଣେ ନକଲି ଶିକ୍ଷକ । ଜାଲ ସାର୍ଟିଫିକେଟ ଦେଇ ୩୪ ବର୍ଷ ହେଲା କରୁଥିଲେ ସରକାରୀ ଚାକିରି । ତାଙ୍କ ସାର୍ଟିଫିକେଟ ଜାଲ ବୋଲି ଜଣାପଡ଼ିବା ପରେ ଚାକିରିରୁ ବିଦା କରିଛି ଶିକ୍ଷା ବିଭାଗ । ନକଲି ଶିକ୍ଷକ ଜଣକ ହେଉଛନ୍ତି ସୁକାନ୍ତ କୁମାର ମନ୍ତ୍ରୀ । ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି । ବଲାଙ୍ଗୀର ଜାଲ ସାର୍ଟିଫିକେଟରେ ଅନେକ ସରକାରୀ ଚାକିରି ହାତେଇଥିବାର ଅଭିଯୋଗ ଆସିଥିଲା । ଏହାପରେ ଧରାପଡୁଛନ୍ତି ଗୋଟିଏ ପରେ ଗୋଟିଏ ନକଲି ଶିକ୍ଷକ ।
ତେବେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ସରକାରୀ ବାଳକ ୟୁପି ବିଦ୍ୟାଳୟରେ ସହାୟକ ଚାକିରି କରୁଥିବା ସୁକାନ୍ତ କୁମାର ମନ୍ତ୍ରୀ ଏସଟିଟିସି ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବାର ଅଭିଯୋଗ ଆସିଥିଲା । ଯାହାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେବା ପରେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଏହି ସାର୍ଟିଫିକେଟ ଯାଞ୍ଚ ପାଇଁ ପଠାଇଥିଲେ । ତେବେ ରାଜ୍ୟ ବିଏସଇ ବିଭାଗ ଏହି ସାର୍ଟିଫିକେଟ ଜାଲ ବୋଲି ସ୍ପଷ୍ଟ କରିଥିଲା । ଯାହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁକାନ୍ତ କୁମାର ମନ୍ତ୍ରୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ ....ଜୁନିଅର ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରୋକ୍, ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର