ବୌଦ୍ଧ: ନିର୍ବାଚନରେ ହାରିଲା ପରେ କୂଅରେ ଡେଇଁପଡିଲେ ପ୍ରଦୀପ କୁମାର ଅମାତ । ଏକଥା ଆମେ କହୁନାହୁଁ ବରଂ ଏଭଳି ଖବର ସୋସିଆଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ସମ୍ବେଦନଶୀଳ ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ସହିତ ଏନେଇ ଥାନାରେ ଏତଲା କରାଯାଇଛି ।
ପୂର୍ବତନ ବିଧାୟକ ତଥା ମନ୍ତ୍ରୀଙ୍କ ସମ୍ପର୍କରେ ଆପତ୍ତିଜନକ ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ବିଜେଡି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମଙ୍ଗଳବାର ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ପରାଜୟ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ପାଞ୍ଚ ପାଞ୍ଚ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ହରାଇ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି । ତେବେ ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ଅମାତ ପରାଜିତ ହେବାପରେ କୌଣସି ଦୁର୍ବୃତ୍ତ ସାମାଜିକ ଗଣମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ଖବରକାଗଜ ମାଧ୍ୟମରେ ପ୍ରଦୀପ ଅମାତ କୂଅକୁ ଡେଇଁ ପଡ଼ିଲେ ବୋଲି ପୋଷ୍ଟ କରିଥିଲେ । ଯାହା ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହୋଇଥିଲା । ଏଭଳି ଖବରକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।