ଅନୁଗୋଳ:ଗଛ କାନ୍ଦୁଛି ! ବନାଞ୍ଚଳ ଅଧିକାରୀଙ୍କ ଆଖିରେ ଲୁହ । ପରିବେଶପ୍ରେମୀ ଲଣ୍ଡା ହୋଇ ଅଭିନବ ପ୍ରତିବାଦ କରୁଛନ୍ତି । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
କୋଇଲା ଖଣି ପାଇଁ ଗଛକଟା:
ଏକ ଘରୋଇ କୋଇଲା ଖଣି ପାଇଁ ଜଙ୍ଗଲରୁ ଗଛ କଟା ଆରମ୍ଭ କରାଗଲା । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଏକାଧିକ କୋଇଲା ଖଣି ଖନନ ପାଇଁ ପ୍ରସ୍ତୁତି ସରିଛି । ଖୁବ ଶୀଘ୍ର ଜିଏମଡିସି, ସିଙ୍ଗରାଣୀ ଏବଂ ରୁଙ୍ଗଟା ଖଣି ଖନନ କରାଯିବ । ଏହି ସବୁ ଖଣି ଖନନ ପାଇଁ ବ୍ୟାପକ ଶାଳ ଜଙ୍ଗଲ କଟାଯିବ । କିଛି ଦିନ ପୂର୍ବେ GMDC ଖଣି ପାଇଁ ଗଛ କାଟିବାକୁ ପୂଜାର୍ଚ୍ଚନା କରାଯାଇଥିଲା । ଦୁଇ ଦିନ ପୂର୍ବେ ସିଙ୍ଗରାଣୀ ଖଣି ପାଇଁ ଗଛ କାଟିବାକୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ପରେ କିଛି ଶାଳ ଗଛ କାଟି ଧରାଶାୟୀ କରାଯାଇଥିଲା। ସେତେବେଳେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ, ବନ ନିଗମର ଅଧିକାରୀ ଏବଂ ଖଣି ଅଧିକାରୀମାନେ ଉପସ୍ଥିତ ଥିଲେ।
Deforestation In Anugul (ETV Bharat Odisha) କାନ୍ଦି ପକାଇଲେ ବନାଞ୍ଚଳ ଅଧିକାରୀ:
ଗଛ କାଟିବା ପରେ ଏକ ବିରାଟ ଶାଳ ଗଛରୁ ଥପ ଥପ ହୋଇ ପାଣି ପଡିଥିଲା । ସତେ ଯେମିତି ମନେ ହେଉଥିଲା ଗଛଟି କାନ୍ଦୁଛି । ବର୍ଷ ବର୍ଷ ଧରି ଗଛଟି କ'ଣ କିଛି ନଦେଇଛି । ଲୋକଙ୍କୁ ଅମ୍ଳଜାନ ଠାରୁ ଆରମ୍ଭ କରି ଝୁଣାପତ୍ର ଓ କାଠ ସବୁ କିଛି ଦେଇ ଆସିଛି । ଗଛରୁୁ ପାଣି ଏହା ଦେଖି ପାଖରେ ଥିବା ଛେଣ୍ଡିପଦା ବନାଞ୍ଚଳର ମହିଳା ଅଧିକାରୀ ଜଣକ ନିଜର କୋହ ଅଟକାଇ ପାରିନଥିଲେ । ଭୋ ଭୋ ହୋଇ କାନ୍ଦି ପକାଇଥିଲେ। କାରଣ ସେ ଯେଉଁ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିଲେ, ସକାଳ ହେଲେ ଗଛ ଗୁଡିକ ସୁରକ୍ଷିତ ଅଛନ୍ତି କି ନାହିଁ ଦେଖୁଥିଲେ । ଆଜି ସେ ଗଛ ଗୁଡିକ ସବୁଦିନ ପାଇଁ ତାଙ୍କଠାରୁ ବିଦାୟ ନେଇଗଲେ । ଏମିତି ଚିନ୍ତା କରି କାନ୍ଦି ପକାଇଥିଲେ । ସେ ଅଞ୍ଚଳବାସୀ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ।
ଅଭିନବ ପ୍ରତିବାଦ:
Opposing In Unique Way (ETV Bharat Odisha) ରାତି ପାହିଲେ ଲୋକେ ଜଙ୍ଗଲ ଦେଖୁଥିଲେ। ଗାଈ, ଛେଳି ନେଇ ଚରାଇବାକୁ ଯାଉଥିଲେ। ଶାଳ ପତ୍ର ସଂଗ୍ରହ କରି ଖଲି, ଚଉପଦୀ ତିଆରି କରି ବିକ୍ରି କରୁଥିଲେ। ହେଲେ ତାଙ୍କ ଆଖି ଆଗରେ ସବୁ କିଛି ଧ୍ୱଂସ ହେଉଥିବା ଦେଖୁଛନ୍ତି । ଛେଣ୍ଡିପଦା ଅଞ୍ଚଳର ଜଣେ ପରିବେଶପ୍ରେମୀ ଅଭିନବ ଢଙ୍ଗରେ ପ୍ରତିବାଦ କଲେ। ବ୍ୟାପକ ଗଛ କଟାଯାଉଥିବାରୁ ସେ ନିଜେ ଲଣ୍ଡା ହୋଇ ଶୁଦ୍ଧିକ୍ରିୟା କରିଥିଲେ । ଯଜ୍ଞ କରି ଗଛର ଆତ୍ମାର ସଦଗତି କାମନା କରିଥିଲେ। ଭୋଜିଭାତ କରି ଲୋକଙ୍କୁ ଖାଇବାକୁ ଦେଇଥିଲେ । କାରଣ ଯେଉଁ ଗଛ ସବୁ କଟାଯାଉଛି ସେ ଗଛଗୁଡିକ ଆଉ କେବେ ଫେରିବେ ନାହିଁ । ଗଛ ଗୁଡିକ ଯେଉଁ ଅବିରତ ସେବା ପ୍ରଦାନ କରୁଥିଲେ ତାହା ସବୁଦିନ ପାଇଁ ବନ୍ଦ ହୋଇଯାଇଛି ।
କୋଇଲା ଖଣି ପାଇଁ ଜଙ୍ଗଲ କ୍ଷୟ:
Deforestation In Anugul (ETV Bharat Odisha) ସୂଚନା ଅନୁସାରେ, କେବଳ ସିଙ୍ଗରାଣୀ କୋଇଲା ଖଣି ପାଇଁ ୬ ଶହ ହେକ୍ଟର ଜଙ୍ଗଲରେ ଥିବା ୧ ଲକ୍ଷ ୬ ହଜାର ଗଛ କଟାଯିବ । ପ୍ରାଥମିକ ପର୍ଯ୍ୟାୟରେ ୨୧ ହଜାର ଗଛ କାଟିବାକୁ ଚିହ୍ନଟ କରାଯାଇଛି । ଜଙ୍ଗଲରେ ଅଧିକାଂଶ ବଡ଼ ବଡ଼ ଶାଳ ଗଛ ରହିଛି । ଏହାପରେ GMDC ଏବଂ ରୁଙ୍ଗଟା କମ୍ପାନୀ ଖୁବଶୀଘ୍ର ଜଙ୍ଗଲ କାଟିବା ଆରମ୍ଭ କରିବ । ଏହି ଦୁଇ କମ୍ପାନୀ ମଧ୍ୟ ଲକ୍ଷାଧିକ ଗଛ କାଟିବାର ଆକଳନ କରାଯାଇଛି । ସାରା ଦେଶରେ ଅନୁଗୋଳ ଜିଲ୍ଲା ବାୟୁ ପ୍ରଦୂଷଣରେ ଚତୁର୍ଥ ସ୍ଥାନରେ ରହିଛି । ତେଣୁ ଖଣି ପାଇଁ ଏକାବେଳେ ଏତେ ସଂଖ୍ୟକ ଗଛ କାଟିବା ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ ତାହା ମଣିଷ ସମାଜ ପାଇଁ ନିଶ୍ଚିତ ଭାବେ ସତର୍କ ଘଣ୍ଟି।
କ୍ଷୋଭ ପ୍ରକାଶ କଲେ ପରିବେଶପ୍ରେମୀ:
Deforestation In Anugul (ETV Bharat Odisha) ପରିବେଶପ୍ରେମୀ
ମୋତିଲାଲ ଆର୍ଯ୍ୟ ପ୍ରଶ୍ନ କରିଛନ୍ତି, "ଛେଣ୍ଡିପଦା ଜଙ୍ଗଲ ଜମି ନଷ୍ଟ ହେଉଛି । ଅନ୍ୟ ସ୍ଥାନରେ ଜଙ୍ଗଲ ସୃଷ୍ଟି କରାଗଲେ ବି ତାହା କ'ଣ ଅନୁଗୁଳର ବାୟୁ ପ୍ରଦୂଷଣକୁ ରୋକିପାରିବ?"ପରିବେଶ ପ୍ରେମୀ ପର୍ଶୁରାମ ଦାସ କହିଛନ୍ତି, ପ୍ରକୃତିର ସୁରକ୍ଷା ପାଇଁ ସମସ୍ତେ ତତ୍ପରତା ଦେଖାଇବା ଆବଶ୍ୟକ । ପ୍ରଥେମେ ଜଙ୍ଗଲ ସୃଷ୍ଟି ନକରି ଗଛ କାଟିବା ସମ୍ବେଦନଶୀଳ ବିଷୟ । ଏ ଦିଗରେ ପଦକ୍ଷେପ ନନେଲେ ଅନୁଗୋଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ।" ସେହିପରି ବୁଦ୍ଧିଜୀବୀ ଅନୁପ ଗଡନାୟକ କହିଛନ୍ତି,"ପ୍ରଦୂଷଣ କାରଣରୁ ଅନୁଗୋଳ ଜିଲ୍ଲାରେ ରହିବା କଷ୍ଟକର ହୋଇପଡୁଛି । ଏଭଳି ସ୍ଥିତିରେ ଗଛ କଟାଯିବାକୁ ଆମେ ବିରୋଧ କରୁଛୁ ।"
Deforestation In Anugul (ETV Bharat Odisha) ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥଙ୍କ ରିପୋର୍ଟ