ଢେଙ୍କାନାଳ: ବଦାଳୁ ହାଣ୍ଡିଫୁଟା ଗ୍ରାମରେ ଦନ୍ତାର ଉନ୍ମତ୍ତକାଣ୍ଡ। ଗାଁରେ ପଶି ଦଳି ଚକଟି ଭାଙ୍ଗିଲା ଘର। ଅଳ୍ପକେ ବର୍ତ୍ତିଲେ ମା'ଓ ବୁଢ଼ୀ ମା'। ହାତୀ ଆକ୍ରମଣରେ ୭ ବର୍ଷର ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା। ହିନ୍ଦୋଳ ଗୁଡ଼ିଆକାଟେଣି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ ।
- ଦନ୍ତାର ଉନ୍ମତ୍ତକାଣ୍ଡ
ଢେଙ୍କାନାଳ ବଦାଳୁ ହାଣ୍ଡିଫୁଟା ଗ୍ରାମରେ ଏକ ଦନ୍ତା ହାତୀ ଘଟାଇଛି ଉନ୍ମତ୍ତକାଣ୍ଡ । ଗତ ରାତିର ବିଳମ୍ବିତ ପ୍ରହରରେ ଏହି ହାଣ୍ଡିଫୁଟା ଗାଁରେ ପଶି ପ୍ରମୋଦ ନାୟକଙ୍କ ଘର ଭାଙ୍ଗି ପାଦରେ ଦଳି ମକଚି ଦେଇଛି। ଫଳରେ ଘରେ ମା' କୋଳରେ ଶୋଇଥିବା ଏକ ୭ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ତେବେ ହାତୀ ହାବୁଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଶୋଇଥିବା ମୃତ ଶିଶୁର ମା' ଓ ବୁଢ଼ୀ ମା' । ସେମାନେ ହାତୀ ହାବୁଡ଼ରୁ ପ୍ରାଣ ବଞ୍ଚାଇ ଖସି ପଳାଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।
ଏପରିକି ଉତ୍ତେଜିତ ଗ୍ରାମବାସୀ ହାଣ୍ଡିଫୁଟା ଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ୫୫ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ହିନ୍ଦୋଳ -ଗୁଡ଼ିଆକାଟେଣି ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ବିଶେଷ କରି ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳ ଅନ୍ତର୍ଗତ ମେରାମୁଣ୍ଡଳୀ ସେକ୍ସନ ଏହି ବଦାଳୁ ଅଂଚଳରେ ହାତୀ ପଲ ବାରମ୍ବାର ଉପଦ୍ରବ କରୁଛନ୍ତି। ବନ ବିଭାଗ ପକ୍ଷରୁ ଲୋକଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦିଆଯାଉ ନାହିଁ ବୋଲି ଅଭିଯୋଗ ଉଠାଇଛନ୍ତି ଉତ୍ତ୍ୟକ୍ତ ଲୋକେ। ମୃତକ ପରିବାରକୁ ତୁରନ୍ତ କ୍ଷତିପୂରଣ, ଏହି ଅଂଚଳରେ ଆଲୋକୀକରଣ ଓ ବନବିଭାଗ ପକ୍ଷରୁ ନାଇଟ ପ୍ୟାଟ୍ରୋଲିଂ ଆଦି ଦାବିରେ ରାସ୍ତାରେ ବସି ରହିଛନ୍ତି ଗ୍ରାମବାସୀ। ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧା ପ୍ରାପ୍ତ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଠିଆ ହୋଇ ରହିଥିବା ଦେଖିବାକୁ ମିଳୁଛି। ଖବର ପାଇ ମୋଟଙ୍ଗା ପୁଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ଜାରି ରଖିଛି।
ରେଞ୍ଜ ଅଫିସର ସଞ୍ଜୟ ପ୍ରଧାନ କହିଛନ୍ତି ‘‘ଯେଉଁ କୁନି ପିଲାର ଜୀବନ ଯାଇଛି ସେଥିପାଇଁ ଆମେ ଦୁଃଖିତ। ଯେହେତୁ ଏହା ହାତୀ ପ୍ରବଣ ଅଞ୍ଚଳ ଏଠାରେ ସବୁବେଳେ ବନ ବିଭାଗ ମନିଟରିଂ କରୁଛନ୍ତି । କିନ୍ତୁ କାଲି ହଠାତ ହାତୀ ପଲ ଚାଲିଆସିବାରୁ କଚ୍ଚା ଘର ଥିବାରୁ ଘର କାନ୍ଥ କୁନି ପିଲା ଉପରେ ପଡିଯାଇଥିଲା । ସେଥିରେ ତାର ମୃତ୍ୟୁ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଅଞ୍ଚଳରେ ଲାଇଟ୍ ବ୍ୟବସ୍ଥା କରିବୁ । ଗ୍ରାମବାସୀଙ୍କ ଧନ ଜୀବନ କିଭଳି ରକ୍ଷା ହେବ ସେଥିପାଇଁ ଚେଷ୍ଟା କରିବୁ। ସରକାରଙ୍କ ଗାଇଡ ଲାଇନ ମୁତାବକ ଆମେ ଖୁବଶୀଘ୍ର ମୃତ ଶିଶୁର ପରିବାରକୁ କ୍ଷତିପୂରଣ ଯୋଗାଇ ଦେବୁ’’ ।