ଓଡିଶା

odisha

ETV Bharat / state

ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଅଭିଯୋଗ - ELEPHANT DEATH

ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଅଭିଯୋଗ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ହୋଇଥିବା ସନ୍ଦେହ ।

Elephant Found Dead
Elephant Found Dead (ETV Bharat Odisha)

By ETV Bharat Odisha Team

Published : Jan 3, 2025, 9:21 AM IST

ବ୍ରହ୍ମପୁର: ପୁଣି ଗଲା ଗଜରାଜଙ୍କ ଜୀବନ । ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଅଭିଯୋଗ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ସାନଖେମୁଣ୍ଡି ବ୍ଳକର ଗଙ୍ଗାପୁର ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗଙ୍ଗାପୁର ପଞ୍ଚାୟତର ପ୍ରଥମ ଢେପାଗୁଡ଼ା ଭାଲୁଦଲା ପାହାଡ଼ ନିକଟସ୍ଥ ଆଖୁ କିଆରି ନିକଟରେ ସ୍ଥାନୀୟ ଜନସାଧାରଣଙ୍କଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ବନବିଭାଗ ଏକ ମାଈ ହାତୀର ମୃତଦେହକୁ ଠାବ କରିଥିବା ଜଣାପଡିଛି । ହେଲେ ମୃତ ହାତୀଟି ଆଖୁ କିଆରିରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ସେପଟେ ହାତୀ ମୃତ୍ୟୁ ନେଇ ବନବିଭାଗ ପକ୍ଷରୁ ଅଭିଯୋଗ ଆସିବା ପରେ ହାତୀ ମୃତ୍ୟୁର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ହାତୀ ମୃତ୍ୟୁ:

ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ ଅଧିନସ୍ଥ ଏବଂ ଦିଗପହଣ୍ଡି ବନାଞ୍ଚଳର ପାଟପୁର ଫରେଷ୍ଟ ନରସିଂହଗଡ ବିଟର ଢେପାଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ମାଈ ହାତୀ ମରିପଡ଼ିଥିବା କିଛି ଲୋକ ଦେଖିବା ପରେ ଦିଗପହଣ୍ଡି ବନବିଭାଗକୁ ଖବର ଦେଇଥିଲେ । ସେପଟେ ହାତୀ ମୃତ୍ୟୁ ନେଇ ଖବର ପାଇବା ପରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ସମେତ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟରଞ୍ଜନ ସାହୁ, ପାଟପୁର ଫରେଷ୍ଟର ପ୍ରମୋଦ କୁମାର ନାୟକ, ପ୍ରାଣୀ ଚିକିତ୍ସକ ସମେତ ବନବିଭାଗର ତଦନ୍ତକାରୀ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ମୁଖ୍ୟତଃ ପାଟପୁର ଫରେଷ୍ଟ ଅଧୀନରେ ରହୁଥିବା ଜଙ୍ଗଲ ପାହାଡ଼ ରତନେଇ ଏବଂ ପୋଡାମାରୀ ରେଞ୍ଜ ଜଙ୍ଗଲ ହରିଣା ପାହାଡ଼ରେ ୭ଟି ହାତୀ ବହୁ ଦିନରୁ ରହି ଆସୁଛନ୍ତି । ସେମାନେ ଖାଦ୍ୟ ଅନ୍ୱେଷଣରେ ନିକଟରେ ଗ୍ରାମ ମୁହାଁ ହୋଇ ଲୋକଙ୍କ ଧାନ ଫସଲ, ଆଖୁ, ପନିପରିବା ନଷ୍ଟ କରି ଆସୁଥିଲେ । ଯାହାକୁ ନେଇ ଫସଲ ନଷ୍ଟ ଯୋଗୁଁ ଚାଷୀମାନେ ଚାଷ ଜମିରେ ବିଦ୍ୟୁତ ତାର ବିଛାଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ତତ୍ପର ବନବିଭାଗ, ହାତୀମୃତ୍ୟୁ ରୋକିବାକୁ ଆକ୍ସନ ପ୍ଲାନ

ଏହା ମଧ୍ୟ ପଢ଼ନ୍ତୁ...ହାତୀ ମୃତ୍ୟୁ ନେଇ ସାଙ୍ଘାତିକ ତଥ୍ୟ; 5 ମାସରେ ମଲେଣି 40 ହାତୀ, ଶିକାର ପାଇଁ ବିଜୁଳି ସଂଯୋଗ କରୁଥିଲେ ସାବଧାନ

ସେପଟେ ପ୍ରାଥମିକ ତଦନ୍ତରୁ ମୃତ ହାତୀର ଶୁଣ୍ଢରେ ବିଦ୍ୟୁତ ତାର ଚିହ୍ନ ରହିଥିବା ଦେଖିବାକୁ ମିଳିଥିବାବେଳେ ହାତୀଟି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ । ଅନ୍ୟପକ୍ଷରେ ବିଦ୍ୟୁତ୍ ତାର ଆଘାତରୁ ହାତୀର ମୃତ୍ୟୁ ହୋଇଥିବା ଜଣାପଡିବା ପରେ ଦୋଷୀ ବିରୋଧର ବନବିଭାଗ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ସ୍ପଷ୍ଟ ହେବ । ଗଞ୍ଜାମ ଜିଲ୍ଲାରେ ଚଳିତବର୍ଷ ପ୍ରାରମ୍ଭରୁ ଏଭଳି ହାତୀ ମୃତ୍ୟୁ ଘଟଣା ଦେଖିବାକୁ ମିଳିଥିବାବେଳେ ଏହାକୁ ନେଇ ପଶୁ ପ୍ରେମୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।

ଇଟିଭି ଭାରତ, ଗଞ୍ଜାମ

ABOUT THE AUTHOR

...view details