ଭୁବନେଶ୍ବର:ଏକକ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାରେ ଅଧିକରୁ ଅଧିକ ମତଦାତା ଯେଭଳି ଏହି ନିର୍ବାଚନରେ ଭାଗନେଇ ମତଦାନ କରିବେ ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସୁଇପି ବା ସିଷ୍ଟମେଟିକ ଭୋଟର୍ସ ଏଜୁକେଶନ ଆଣ୍ଡ ଇଲୋକ୍ଟରାଲ ପାର୍ଟିସିପେଶନ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅଭିଯାନକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ ।
ବୈଠକରେ ଭୁବନେଶ୍ୱର ମହାନଗର ନିଗମର କମିଶନର ରାଜେଶ ପ୍ରଭାକର ପାଟିଲ ଯୋଗ ଦେଇଛନ୍ତି । ସୁଇପି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ବିଏମସି ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ସେ କହିଛନ୍ତି । ଏଥିପାଇଁ ସେ ବିଏମସି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ଲୋକସଭା ମଣ୍ଡଳୀ ଅନ୍ତର୍ଗତ ସହରାଞ୍ଚଳର ତିନୋଟି ବିଧାନସଭା କ୍ଷେତ୍ର ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ ଏବଂ ଭୁବନେଶ୍ୱର ଏକାମ୍ର । ତିନି ନିର୍ବାଚନ କ୍ଷେତ୍ରରେ ହାରାହାରି ମତଦାନ ହାର ୫୦ ପ୍ରତିଶତରୁ କମ୍ ରହୁଛି । ସେଥିପାଇଁ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବର ଲକ୍ଷ୍ୟ ରଖାଯାଇଛି ।
ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରିଛନ୍ତି । ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ବୁଲି ମତଦାନ କରିବାକୁ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଯୁବ ମତଦାତା ମାନଙ୍କୁ ବିଏଲଓ ସଚେତନ କରିବା ଉପରେ ଗୁରୁତ୍ୱ ଦେବେ । ଏହା ଦ୍ୱାରା ଅନ୍ୟମାନେ ଉତ୍ସାହିତ ହୋଇପାରିବେ । ସେହିଭଳି ରଙ୍ଗୋଲି, 'ନିର୍ବାଚନର ପର୍ବ ଆମଦେଶର ଗର୍ବ' ଉପରେ ବିଭିନ୍ନ ପ୍ରତିଯୋଗିତା, ଭିଡିଓ ଓ ରେଡ଼ିଓ ବାର୍ତ୍ତା, ହୋର୍ଡ଼ିଂ, ୱାଲ ପେଣ୍ଟିଂ, ମାରାଥନ, ଦସ୍ତଖତ ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ ।