ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ-୨୦୨୪କୁ ଏକ ସମ୍ମିଳିତ ମତଦାନର ପର୍ବ ରୂପେ ପାଳନ କରିବା ପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସେହି କ୍ରମରେ ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟାରେ ସବୁ ବର୍ଗର ମତାଦାତାଙ୍କୁ ଯେଭଳି ଭାବରେ ସାମିଲ କରାଯାଇପାରିବ, ସେନେଇ ପଦକ୍ଷେପ ନିଆଯାଉଛି । ସେହି ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜ୍ୟ ଷ୍ଟିୟରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଗତକାଲି ଆୟୋଜିତ ହୋଇଛି ରାଜ୍ୟ ଷ୍ଟିୟରିଂ କମିଟିର ବୈଠକ । ବୈଠକରେ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ମତଦାନ ପ୍ରକ୍ରିୟାକୁ ସୁଗମ କରିବା ବିଷୟରେ ଆଲୋଚନା ହୋଇଛି ।
ମତଦାତା ତାଲିକାରେ ଭିନ୍ନକ୍ଷମ ମତଦାତାଙ୍କୁ ସାମିଲ କରିବାରେ ଓଡ଼ିଶାର ହାର ଜାତୀୟ ହାରଠୁ ଉପରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫.୪୭ ଲକ୍ଷ ଭିନ୍ନକ୍ଷମ ଭୋଟର ମତଦାନ ପାଇଁ ମାର୍କିଂ ହୋଇଛନ୍ତି । ସେମାନଙ୍କୁ ସମସ୍ତଙ୍କୁ ଘରୁ ମତଦାନ କେନ୍ଦ୍ରକୁ ଆଣିବା ଓ ମତଦାନ କେନ୍ଦ୍ରରୁ ନେଇ ଘରେ ଛାଡ଼ିବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ରରେ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ହ୍ୱିଲ ଚେୟାରର ବନ୍ଦୋବସ୍ତ କରାଯାଇଛି । ସମସ୍ତ ମତଦାନ କେନ୍ଦ୍ରରେ ହ୍ୱିଲ ଚେୟାର ନେବା ପାଇଁ ସ୍ୱତନ୍ତ୍ର ରାମ୍ପର ବ୍ୟବସ୍ଥା ରହିବ । ସମସ୍ତ ବୁଥରେ ଭିନ୍ନକ୍ଷମ ମତଦାତାମାନେ ଅଗ୍ରାଧିକାର ଭିତ୍ତିରେ ମତଦାନ କରିବେ ।
ଭିନ୍ନକ୍ଷମ ମତଦାତାମାନେଙ୍କୁ ସାହାଯ୍ୟ କରିବା ପାଇଁ ୧୪ରୁ ୧୮ ବର୍ଷ ବୟସର ସ୍ୱେଚ୍ଛାସେବୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଉଛି । ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ସମୟରେ ମଧ୍ୟ ଭିନ୍ନକ୍ଷମ ମତଦାତାଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁଗମ ମତଦାନର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇବା ପାଇଁ ସେକ୍ଟର ଅଫିସର, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଓ ବୁଥସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଛି । ଦୃଷ୍ଟିବାଧିତ ମତଦାତାଙ୍କ ପାଇଁ ବ୍ରେଲି ଅକ୍ଷରରେ ମୁଦ୍ରିତ ବାଲାଟ ପେପର ସମସ୍ତ ବୁଥରେ ରଖାଯିବ । ମତଦାନ ପାଇଁ ରାଜ୍ୟର ସମସ୍ତ ବୁଥକୁ ତଳ ମହଲାରେ କରାଯାଇଛି ।
ଯେଉଁ ଭିନ୍ନକ୍ଷମ ମତଦାତାଙ୍କର ୪୦ ପ୍ରତିଶତରୁ ଊର୍ଦ୍ଧ୍ବ ବେଞ୍ଚମାର୍କ ଭିନ୍ନକ୍ଷମତା ରହିଥିବ ଏବଂ ତତସଂକ୍ରାନ୍ତୀୟ ପ୍ରମାଣପତ୍ର ଥିବ ସେମାନେ ଫର୍ମ ୧୨ (ଡି) ମାଧ୍ୟମରେ ଆବେଦନ କରିପାରିବେ । ଏବଂ ନିଜ ଘରେ ଥାଇ ପୋଷ୍ଟାଲ ବାଲାଟ ଜରିଆରେ ମତଦାନ କରିପାରିବେ । ଏହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଦ୍ୱାରା ସମସ୍ତ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସୁଗମ ମତଦାନର ପରିବେଶ ସୃଷ୍ଟି କରାଯାଇଛି । ଏହା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।ସମସ୍ତ ବିଭାଗ ରାଜ୍ୟସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମନ୍ୱିତ ଭାବରେ କାର୍ଯ୍ୟ କରିବେ ।