ଓଡିଶା

odisha

By ETV Bharat Odisha Team

Published : Feb 8, 2024, 10:26 AM IST

ETV Bharat / state

ଏକାମ୍ର ଉତ୍ସବର ପଞ୍ଚମ ସନ୍ଧ୍ୟା: ସୋନା ମହାପାତ୍ର ଓ ଋତୁରାଜଙ୍କ ଗୀତରେ ଝୁମିଲେ ଦର୍ଶକ

Ekamra Utsav 2024:୫ମ ଦିନରେ ଏକାମ୍ର ଉତ୍ସବ । ୨ ଶହରୁ ଅଧିକ ଡ୍ରୋନ ଶୋ' ପାଲଟିଥିଲା ଆକର୍ଷଣ । ଋତୁରାଜ ମହାନ୍ତି ଓ ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଗୀତରେ ଝୁମିଲେ ଦର୍ଶକ । ଅଧିକ ପଢନ୍ତୁ

Ekamra Utsav 2024
ଏକାମ୍ର ଉତ୍ସବ

ଭୁବନେଶ୍ୱର:୫ମ ଦିନରେ ଏକାମ୍ର ଉତ୍ସବ । ଋତୁରାଜ ମହାନ୍ତି ଓ ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଗୀତରେ ଝୁମିଥିଲେ ଦର୍ଶକ । ବିଶେଷକରି ସୋନାଙ୍କ ବିନ୍ଦାସ ଶୈଳୀ ଦର୍ଶକଙ୍କ ମନକୁ ଛୁଇଁଥିଲା । ୨ ଶହରୁ ଅଧିକ ଡ୍ରୋନ ଶୋ' ଗତକାଲି(ବୁଧବାର ) ଆକର୍ଷଣ ପାଲଟିଥିଲା । ଡ୍ରୋନର ରଙ୍ଗ ବେରଙ୍ଗ ଆଲୋକରେ ବିଭିନ୍ନ ଚିତ୍ର ଆଙ୍କି ହୋଇଯାଇଥିଲା ଆକାଶରେ । ବିଡିଏ ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବ ପଞ୍ଚମ ସନ୍ଧ୍ୟାରେ ବସନ୍ତର ସ୍ବର ଥିମ୍‌ ଉପରେ ରହିଥିବା ବେଳେ ମୁଖ୍ୟ ଆକର୍ଷଣ ସାଜିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ସୋନା ମହାପାତ୍ର ।

ସୋନାଙ୍କ କଣ୍ଠରେ ରଙ୍ଗବତୀ ଗୀତ ଶୁଣି ଉପସ୍ଥିତ ଦର୍ଶକ ବେଶ୍‌ ଖୁସି ହୋଇଥିଲେ। ଏହାସହ ବନ୍ଦେ ଉତ୍କଳ ଜନନୀ ଓ ଆହେ ନୀଳଶୈଳ ଗାଇ ଉପସ୍ଥିତ ଦର୍ଶକଙ୍କ ମନକୁ ଜିଣିଥିଲେ। ଏହା ପରେ ପରେ ସେ ପିୟା ତୁ ଆଜା, ରଙ୍ଗବତୀ, ଦିଲ୍‌ ଡୁବା ଆଦି ଗୀତ ଗାଇଥିଲେ। ସେହିପରି କୁଳଦୀପ ପଟ୍ଟନାୟକ ଜଗନ୍ନାଥଙ୍କୁ ସମର୍ପି ଆରମ୍ଭ କରିଥିଲେ ଆହେ ନୀଳ ଶୈଳ ସଙ୍ଗୀତ। ଏହା ପରେ ତାଙ୍କ କଣ୍ଠରୁ କେବେ ଆସି ତୁ କହିଦେବୁ ମୋତେ ଭଲପାଉ ଦର୍ଶକଙ୍କୁ ବେଶ ଛୁଇଁଥିଲା। ପରେ ପରେ ସେ ରାଜହଂସୀ, ଶୁନ ମଇନା ଗୀତ ଗାଇଥିଲେ। ଏହା ପରେ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ପୀୟା ପୀୟା ଗୀତରୁ ତାଙ୍କ ପ୍ରଦର୍ଶନ ଆରମ୍ଭ କରିଥିଲେ। ତେରୀ ଦିୱାନି, ରମତା ଯୋଗୀ, ଅଧୁରୀ ଜିନ୍ଦେଗି, ଓ ରେ ପିୟା ଭଳି ଅନେକ ଗୀତ ଗାଇଥିଲେ। ଏଥିସହ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଟାଇଟେଲ୍‌ ଟ୍ରାକ୍‌ ଗାଇଥିଲେ। କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ମଧ୍ୟ ତାଙ୍କ ସହ ଷ୍ଟେଜରେ ରହି ଭାଷା ସମ୍ମିଳନୀର ଗୀତ ଗାଇଥିଲେ।

ଏହା ମଧ୍ୟ ପଢନ୍ତୁ - ଏକାମ୍ର ଉତ୍ସବର ଚତୁର୍ଥ ସନ୍ଧ୍ୟା: ନୃତ୍ୟରେ ପ୍ରଦର୍ଶିତ ହେଲା ଓଡ଼ିଶାର ଇତିହାସ

ଉତ୍ସବରେ ଯୋଗଦେଇ ସୋନା ମହାପାତ୍ର କହିଛନ୍ତି, '୬ବର୍ଷ ପରେ ଭୁବନେଶ୍ୱର ଆସିଲି। ରାଜଧାନୀ ବହୁତ ବଦଳି ଯାଇଛି। ନବବଧୂ ପରି ଭୁବନେଶ୍ୱର ସଜେଇ ହୋଇଥିବା ବେଳେ କାନ୍ଥରେ ବିକାଶର ଚିତ୍ର ଝଲସି ଉଠୁଛି । ଉତ୍ସବର ମାହୋଲ ଆଉ ଉନ୍ମାଦନା । ତେଣୁ ମୋତେ ଉତ୍ସବରେ ପ୍ରଦର୍ଶନ କରିବା ପାଇଁ ସରକାର ସୁଯୋଗ ଦେଇଥିବାରୁ ମୁଁ ଖୁସି।' ସେହିପରି ଅନ୍ୟପଟେ ୩ଦିନିଆ ଡ୍ରୋନ ଶୋ ଆରମ୍ଭ ହୋଇଛି ଏକାମ୍ର ଉତ୍ସବ ପଡିଆରେ । ଆକାଶରେ ଉଡ଼ି ବୁଲିଲା ଏକାସଙ୍ଗେ ୨୦୦ ଡ୍ରୋନ। ଡ୍ରୋନରେ ପ୍ରଦର୍ଶିତ ହେଲା ହେଲା ଓଡ଼ିଶାର କଳା, ସଂସ୍କୃତି ଓ ନୃତ୍ୟ । ଜୟ ଜଗନ୍ନାଥ ଲେଖା ଆକାଶରେ ଦେଖି ଲୋକେ ଭାବପ୍ରବଣ ହେଲେ। ତେବେ ଏହି ନିଆରା ସୋ ସବୁବେଳେ ସ୍ମୃତି ହୋଇ ରହିବ ବୋଲି କହିଲେ ରାଜଧାନୀବାସୀ । ଭାଷାର ପ୍ରଚାର ପ୍ରସାର ପାଇଁ ୩ ଦିନିଆ ଡ୍ରୋନ ଶୋ' ବୁଧବାରଠାରୁ ଆରମ୍ଭ ହୋଇଯାଇଛି। ଆଗାମୀ ୨ଦିନ ମଧ୍ୟ ଏଭଳି ଶୋ 'କରାଯିବ। ୧୫ମିନିଟ୍‌ ଧରି ଏହି ଶୋ ଅନୁଷ୍ଠିତ ହୋଇଥିଲା। ଯାହାକୁ ଦେଖି ଉପସ୍ଥିତ ଦର୍ଶକ ବେଶ୍‌ ଉତ୍ସାହିତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details