ନିମାପଡା: ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଗାଁଠୁ ସହର । ସବୁଠି ଉତ୍ସବମୁଖର । ଆସୁଛନ୍ତି ଜଗତଜନନୀ ମା’ ଦୁର୍ଗା । ନବରାତ୍ରୀ ପୂଜା ସବୁଠି ଚାଲିଥିବା ବେଳେ ପୀଠରେ ଚାଲିଛି ମା’ଙ୍କ ଷୋଡଶ ଉପଚାର ପୂଜା । ମନ୍ତ୍ରଧ୍ବନିରେ ମୁଖରିତ ଶକ୍ତିପୀଠ । ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା । ଘଣ୍ଟ ଘଣ୍ଟା ଖୋଳତାଳରେ କମ୍ପୁଛି ପରିବେଶ । ଏହି ସମୟରେ ବିଭିନ୍ନ ବେଶରେ ପୂଜା ପାଉଛନ୍ତି ମା’ ମଙ୍ଗଳା । ଷୋଡଶ ଉପଚାର ବିଧି ଚାଲିଥିବା ବେଳେ ମାଆଙ୍କ ପୀଠକୁ ଛୁଟୁଛି ଭକ୍ତଙ୍କ ସୁଅ ।
ଷୋଡଶ ଉପଚାର ପୂଜା ସ୍ବତନ୍ତ୍ର:
ରାଜ୍ୟର ବିଭିନ୍ନ ଶକ୍ତି ପୀଠ ମଧ୍ୟରେ ଅନ୍ୟତମ ପୀଠ ହେଉଛି ମା’ ମଙ୍ଗଳା ପୀଠ । ମୂଳାଷ୍ଟମୀ ଦିନ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ପରେ ଶକ୍ତିପୀଠରେ ସ୍ବତନ୍ତ୍ର ପୂଜାବିଧି ଆରମ୍ଭ ହୋଇଛି । ମୂଳାଷ୍ଟମୀ ଠାରୁ ୧୬ଦିନ ବ୍ୟାପି ମା'ଙ୍କର ସ୍ବତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହୋଇଥାଏ । ମା’ଙ୍କର ଏହି ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଜାରି ରହିଥାଏ । ମା’ ମଙ୍ଗଳାଙ୍କୁ ଅନ୍ୟଦିନ ମାନଙ୍କରେ ପଞ୍ଚ ଉପଚାରରେ ପୂଜାର୍ଚ୍ଚନା ପାଉଥିବା ବେଳେ ପାର୍ବଣ ସମୟରେ ମା’ ମଙ୍ଗଳାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇଥାଏ । ଏହି ପୂଜାରେ ସ୍ବତନ୍ତ୍ର ଷୋଡଶ ଉପଚାର ପୂଜାପଣ୍ଡା ନିୟୋଜିତ ହୋଇଥାନ୍ତି ।
ସ୍ବତନ୍ତ୍ର ଭାବେ ପୂଜା ପାଆନ୍ତି ମା’:
ଏହି ସମୟରେ ମା’ଙ୍କ ପୀଠରେ ଚଣ୍ଡୀପାଠ, ସିଙ୍ଘପୂଜା,ମନ୍ତ୍ରଜପ, କଳସ ପୂଜା, ଦ୍ବାରପାଳ ପୂଜା ଭଳି ସ୍ବତନ୍ତ୍ର ପୂଜା ହୋଇଥାଏ । ମା’ ମଙ୍ଗଳାଙ୍କ ଶାରଦୀୟ ପୂଜା ଆଶ୍ଵିନ ମାସରେ ଆରମ୍ଭ ହୋଇଥାଏ l ଏହି ସମୟରେ ବିଭିନ୍ନ ଅଞ୍ଚଳରେ ମହିଳା ମାନେ ଆଶ୍ଵିନର ମଙ୍ଗଳବାରକୁ ନିଶା ମଙ୍ଗଳବାର ଓଷା ଭାବରେ ପୂଜା କରିଥାନ୍ତି । ବିଶେଷ କରି ମା’ ଏହି ସମୟରେ କଳା କଲି, ନାଲି କଲି ବେଶ, ସିଂହ ବାହିନୀ ବେଶ, ତିରକମାନ ବେଶ,ରାଜ ରାଜେଶ୍ଵରୀ ବେଶ, ଶାନ୍ତି ବେଶରେ ମା’ ଦର୍ଶନ ଦେଇଥାନ୍ତି ।
ମନ୍ଦରଗିରିରେ ମହିଷାସୁରକୁ ଠାବ ପାଇଁ ଯାଆନ୍ତି ଚଳନ୍ତି ପ୍ରତିମା:
ମା’ ମଙ୍ଗଳାଙ୍କ ଶାରଦୀୟ ପୂଜା ସମୟରେ ବିଭିନ୍ନ ଅଞ୍ଚଳରୁ ଅନେକ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଏଠାକୁ ଆସିଥାନ୍ତି । ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ପାର୍ବଣ ସମୟରେ ନବପତ୍ରିକା ଠାରୁ ଦିନର ସମସ୍ତ ନୀତି ସମାପନ ପରେ ରାତ୍ରରେ ମା’ ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ବନଦୂର୍ଗାଙ୍କୁ ମନ୍ଦରଗିରିରେ ବିଜେ ନୀତି ହୋଇଥାଏ । ଏହି ସମୟରେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁସଜ୍ଜିତ ମଣି ବିମାନରେ ବସାଜାଇ ବିଭିନ୍ନ ପାରମ୍ପରିକ ଘଣ୍ଟଘଣ୍ଟା, ତୁରୀ ମହୁରୀ ବାଦ୍ୟଯନ୍ତ୍ର ବଜାଯାଇ ମନ୍ଦରଗିରି ଅଭିମୁଖେ ନିଆଯାଇଥାଏ । କୁହାଯାଏ ମନ୍ଦରଗିରି ଠାରେ ମା’ ମହିଷାସୁରକୁ ଠାବ କରିବା ପାଇଁ ଯାଇଥାନ୍ତି । ସେଠାରେ ଏକ ଜଗତି ପୂଜା ହୋଇଥାଏ । ଏହା ପରେ ବିଭିନ୍ନ ଭକ୍ତମାନେ ମା’ଙ୍କୁ ପଂକ୍ତିଭୋଗ ଲଗାଇଥାନ୍ତି ,ପରେ ମା ମନ୍ଦିରକୁ ଫେରିଆସିଥାନ୍ତି ।
କାକଟପୁର ମା’ ମଙ୍ଗଳାକୁ ନେଇ କଣ କୁହେ କିମ୍ବଦନ୍ତୀ:
ପ୍ରଚଳିତ ଲୋକକଥା ଅନୁସାରେ, ମା’ ମଙ୍ଗଳାଙ୍କ ବିଗ୍ରହ ପ୍ରାଚୀ ନଦୀ ଗର୍ଭରେ ବହୁକାଳ ପର୍ଯ୍ୟନ୍ତ ଲୁଚି ରହିଥିଲା । ଦିନେ ନାଉରିଆ ଯାଉଥିବା ବେଳେ ବନ୍ୟା ଆସିଗଲା, ନାଉରିଆ ଥଳକୂଳ ନପାଇ ଭାସି ଯାଉଥିଲେ । ହଠାତ ମଝି ନଈରେ ନୌକା ସ୍ଥିର ହୋଇଗଲା ନାଉରିଆ ରକ୍ଷା ପାଇଥିଲା । ହେଲେ ସେ କିପରି ରକ୍ଷା ପାଇଲା ଏହାକୁ ନେଇ ଚିନ୍ତା କରୁଥିବା ବେଳେ ମା’ଙ୍କ ସ୍ବପ୍ନାଦେଶ ହୋଇଥିଲା । ଆଉ ନାଉରିଆ ମା’ଙ୍କ ବିଗ୍ରହକୁ ପ୍ରାଚୀ ନଦୀରୁ ଉଦ୍ଧାର କରି ମଙ୍ଗଳପୁର ଗାଁରେ ପୂଜାର ବ୍ୟବସ୍ଥା କରିଥିଲା ।