କେନ୍ଦ୍ରାପଡା: ରାଜ୍ୟରେ ସରକାର ସାଧାରଣ ଲୋକମାନଙ୍କ ପାଇଁ ସ୍ବାସ୍ଥ୍ୟକ୍ଷେତ୍ରରେ ଯୋଜନା ଉପରେ ଯୋଜନା ଘୋଷଣା କରିଛନ୍ତି । କିନ୍ତୁ ଏ ସବୁ ଗୋଲାପୀ ଚିତ୍ର ମଧ୍ୟରେ ପେଶି ହେଉଛନ୍ତି ସାଧାରଣ ଜନତା । ଯାହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲିଛି ମୋବାଇଲ ଟର୍ଚ୍ଚ ଲାଇଟରେ ଚିକିତ୍ସା । ବିଦ୍ୟୁତ କାଟ ଫଳରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଗୁରୁତର ରୋଗୀ ମାନଙ୍କ ପାଇଁ ମୋବାଇଲ ଲାଇଟ ଏକମାତ୍ର ସାହାରା ପାଲଟିଛି । ରାଜ୍ୟ ସାରା ୫ଟି ରୂପାୟନର କଥା ସରକାର କହୁଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ରରେ ସାମାନ୍ୟ ଡିଜି ସେଟ ମଧ୍ୟ ନାହିଁ ।
୨୬ ପଞ୍ଚାୟତର ପ୍ରାୟ ଏକ ଲକ୍ଷ ଲୋକ ମାନେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ବିଦ୍ୟୁତ କାଟ ବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଗତକାଲି ରାତିରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରଶାନ୍ତ ସେଠୀ ନାମକ ଜଣେ ଯୁବକ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କୁ ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଡେରାବିଶ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ତେବେ ତାଙ୍କର ଜରୁରୀକାଳୀନ ଚିକିତ୍ସା ବା ପ୍ରାଥମିକ ଚିକିତ୍ସାକୁ ମେଡିକାଲ ଷ୍ଟାଫ ମୋବାଇଲ ଟର୍ଚ୍ଚ ଆଲୁଅରେ କରୁଥିବା ଦେଖାଯାଇଥିଲା । କେବଳ ଜଣେ ନୁହଁନ୍ତି କୁରୁଜଙ୍ଗା ପଞ୍ଚାୟତର ଜଣେ ବରିଷ୍ଠ ନାଗରିକ ଶ୍ରୀଧର ସାମଲ ମଧ୍ୟରାତିରେ ଅସୁସ୍ଥ ହୋଇ ଚିକିତ୍ସିତ ହେବାକୁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ବେଳେ ରାତିରେ ଡାକ୍ତର ଅନ୍ଧାରରେ ମୋବାଇଲ ଟର୍ଚ୍ଚ ମାରି ପ୍ରେସକ୍ରିପ୍ସନ ଲେଖିବା ଦେଖାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ...ପୁଣି ଧରାପଡିଲେ ୩ ଦଲାଲ, ଛଦ୍ମବେଶରେ ଏସସିବିରୁ ଗିରଫ କଲା ପୋଲିସ