ଭୁବନେଶ୍ବର: ବ୍ୟାପକ ହେବ ରାଜ୍ୟରେ ନିଶା ମୁକ୍ତି ସଚେତନତା ଅଭିଯାନ । ଏହି ଉଦ୍ଦେଶ୍ୟ ସାଧନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭିନ୍ନ ଆଧ୍ୟାତ୍ମିକ ତଥା ସ୍ଵେଚ୍ଛାସେବୀ ସଂଗଠନର ସହଯୋଗ ନେବ । ସମଗ୍ର ରାଜ୍ୟରେ ହିଂସାମୁକ୍ତି ପାଇଁ ସଚେତନତା ଅଭିଯାନକୁ ବ୍ୟାପକ ଓ କ୍ରିୟାଶୀଳ କରିବା ପାଇଁ ବିଭାଗକୁ ୧୯ଟି ସଂଗଠନ ସହଯୋଗ କରିବା ନିମନ୍ତେ ସହମତି ପ୍ରକାଶ କରିଛନ୍ତି । ଏହି ମର୍ମରେ ସଂଗଠନଗୁଡ଼ିକ ସହିତ ବିଭାଗ ପକ୍ଷରୁ ଅଣ-ଆର୍ଥିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ରାଜ୍ୟ ଭିନ୍ନକ୍ଷମ ପୁନଃଥଇଥାନ ପ୍ରତିଷ୍ଠାନରେ ଆଜି ଅନୁଷ୍ଠିତ ହୋଇଛି ଏକ ବୈଠକ । ବୈଠକରେ ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ମିଳିତ ହୋଇ ସମନ୍ବିତ ଓ ସାମୂହିକ ସହଯୋଗ କ୍ରମେ ନିଶାମୁକ୍ତି ସଚେତନତା ଅଭିଯାନକୁ ସଶକ୍ତ କରିବା ପାଇଁ ବିସ୍ତୃତ ଆଲୋଚନା କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ବିଭିନ୍ନ ସଂଗଠନ ସହିତ ମିଳିତ ଭାବରେ ନିଶାମୁକ୍ତି ପାଇଁ ବିଭାଗ କାର୍ଯ୍ୟ କରିବ । ଏଥି ପାଇଁ ବିଭିନ୍ନ ପ୍ରତିକାରମୂଳକ ପଦକ୍ଷେପ, ନୈତିକ ଶିକ୍ଷା, ଆରୋଗ୍ୟ କେନ୍ଦ୍ର ପରିଚାଳନା ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ସେ ନିଶାମୁକ୍ତି ସଚେତନତା ଅଭିଯାନ ଓ ଏହାର ସୁଫଳ ପ୍ରସଙ୍ଗ ଆଧାରିତ ଏକ ଅନଲାଇନ ନ୍ୟୁଜଲେଟର ପ୍ରକାଶନ କରିଛନ୍ତି । ଏହା ସାଙ୍ଗକୁ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ଵ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ .....ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭେଟି, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି