ନୂଆପଡା: ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରଭାବ । ସେପଟେ ନୂଆପଡା ଜିଲ୍ଲା ବ୍ୟାପି ପ୍ରବଳ ଗରମ ସାଙ୍ଗକୁ ନଈ ନାଳ ପୋଖରୀ ନଳକୂପ ଆଦିର ଜଳସ୍ତର ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ଆଦିବାସୀ ବହୁଳ ଭାଲୁଡୁଙ୍ଗୁରି ଗାଁରେ ଦେଖା ଦେଇଛି ପିଇବା ପାଣି ସମସ୍ୟା । ପାଣି ପାଇଁ ଭାଲୁଡୁଙ୍ଗୁରି ଗାଁଲୋକେ ଡହଳ ବିକଳ ହେଉଥିବା ବେଳେ ଗାଁରେ ଥିବା ଫ୍ଲୋରାଇଟ ଯୁକ୍ତ ନଳକୂପରେ ପ୍ରବଳ ଭିଡ ଦେଖାଦେଇଛି । ପାଣିର ଅନ୍ୟକିଛି ବିକଳ୍ପ ବ୍ୟବସ୍ଥା ନଥିବା କାରଣରୁ ଗାଁଲୋକେ ବାଧ୍ୟ ହୋଇ ଫ୍ଲୋରାଇଟ ମିଶ୍ରିତ ନଳକୂପ ପାଣି ବ୍ୟବହାର କରି ବିଭିନ୍ନ ଅଜଣା ରୋଗର ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷେ ଦୀର୍ଘ ଏକ ସପ୍ତାହ ହେବ ଗାଁରେ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।
ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ 81 କିଲୋମିଟର ଦୂରତା ଖଡ଼ିଆଳ ବ୍ଲକ ସ୍ଥିତ ଆଦିବାସୀ ବହୁଳ ଭାଲୁଡୁଙ୍ଗୁରି ଗାଁ । ପୂର୍ବରୁ ଭାଲୁଡୁଙ୍ଗୁରି ଗାଁକୁ ଲୋୟର ଇନ୍ଦ୍ର ଡ୍ୟାମ ଜଳ ଯୋଗାଣ ପ୍ରକଳ୍ପରୁ ପାଇପ ଯୋଗେ ଜଳ ଯୋଗାଣ କରିଛନ୍ତି ସରକାର । ହେଲେ କୌଣସି ତୃଟି ଯୋଗୁ ଗୋଟିଏ ସପ୍ତାହ ହେବ ଭାଲୁଡୁଙ୍ଗୁରି ଗାଁକୁ ଜଳ ଯୋଗାଣ ବନ୍ଦ ରହିଛି । ଯାହା ଫଳରେ ଗାଁରେ ଦେଖାଦେଇଛି ପିଇବା ପାଣି ସମସ୍ୟା । ଏବେ ଗାଁଲୋକେ ବାଧ୍ୟହୋଇ ଫ୍ଲୋରାଇଟ ମିଶ୍ରିତ ନଳକୂପର ପାଣିରେ ଶୋଷ ମେଣ୍ଟାଇ ବିଭିନ୍ନ ଅଜଣା ରୋଗରେ ପୀଡିତ ହେଉଥିବା ଗାଁ ମହିଳା ମାନେ ଅଭିଯୋଗ କରିଛନ୍ତି । ସେପଟେ ଗ୍ରୀଷ୍ମ ପ୍ରବାହ କାରଣରୁ ଗାଁ ପାଣି ସମସ୍ୟା ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇ ରହିଛି । ନଈନାଳ ପୋଖରୀର ଜଳ ସ୍ତର ହ୍ରାସ ପାଉଥିବା ବେଳେ, ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ ।