ନିଆଳି:ଡ୍ରେନେଜ ନିର୍ମାଣରେ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗ । ଖବର ପ୍ରସାରଣ ପରେ ପ୍ରଶାସନର ଭାଙ୍ଗିଲା ନିଦ । ଖୋର୍ଦ୍ଧା ଜିଲ୍ଲା ଡ୍ରେନେଜ ବିଭାଗ ପକ୍ଷରୁ ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ନୂଆପଡ଼ା ବ୍ରିଜଠାରୁ ଡେଙ୍ଗ ପର୍ଯ୍ୟନ୍ତ ନଦୀର ଉଭୟ ପାର୍ଶ୍ବରେ ସୁରକ୍ଷା କଂକ୍ରିଟ ୱାଲ ନିମ୍ନମାନର ହୋଇଥାବା ଅଭିଯୋଗ ହୋଇଥିଲା । ଏହାସହ ଆବଶ୍ୟକ ସ୍ଥଳେ କାର୍ଯ୍ୟ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଆଜି ଘଟଣାସ୍ଥଳକୁ ଖୋର୍ଦ୍ଧା ଜିଲ୍ଲା ଡ୍ରେନେଜ ଡ଼ିଭିଜନ ନିର୍ବାହୀ ଯନ୍ତ୍ରୀ, ଭୁବନେଶ୍ୱର ଡ୍ରେନେଜ ସବ୍ ଡ଼ିଭିଜନ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ନୂଆପଡା ବ୍ରିଜଠାରୁ ଡେଙ୍ଗ ପର୍ଯ୍ୟନ୍ତ ଧନୁଆ ନଦୀର ଉଭୟ ପାର୍ଶ୍ବରେ ବନ୍ଧର ସୁରକ୍ଷା ଦୃଷ୍ଟିକୋଣରୁ ଡ୍ରେନେଜ ଡିଭିଜନ ପକ୍ଷରୁ ୨୪ ମିଟର କଂକ୍ରିଟ ଓ୍ବାଲ ନିର୍ମାଣ କରାଯାଉଛି । ଏହା ସହିତ ପଥର ପ୍ୟାକିଙ୍ଗ କାର୍ଯ୍ୟ ମଧ୍ୟ ଜାରି ରହିଛି । ଏଥିପାଇଁ ପାଖାପାଖି ଅଢ଼େଇ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ତେବେ ଏହି କାର୍ଯ୍ୟକୁ ନେଇ ନୂଆପଡା ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆବଶ୍ୟକୀୟ ସ୍ଥାନରେ କାର୍ଯ୍ୟ କରାଯାଉନଥିବା ଅଭିଯୋଗ କରିଥିଲେ । ଧନୁଆ ନଦୀର ମାଟି ବନ୍ଧ ତଳେ କଂକ୍ରିଟ ୱାଲ ସୁରକ୍ଷା ବନ୍ଧ ନିର୍ମାଣ ହେଉଥିବା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏ ସଂକ୍ରାନ୍ତରେ ଖବର ପ୍ରସାରଣ ପରେ ପରେ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ଖୋର୍ଦ୍ଧା ଡ୍ରେନେଜ ଡିଭିଜନ ନିର୍ବାହୀ ଯନ୍ତ୍ରୀ ।
ସେପଟେ ଆଜି ଘଟଣାସ୍ଥଳରେ ପହଞ୍ଚି ନଦୀରେ ସୁରକ୍ଷା ବନ୍ଧ ପାଇଁ ନିର୍ମାଣଧୀନ କଂକ୍ରିଟ ୱାଲ ଏବଂ ପଥର ପ୍ୟାକିଙ୍ଗ ସ୍ଥାନ ପରିଦର୍ଶନ କରିବା ସହିତ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି । ବନ୍ୟା ନିୟନ୍ତ୍ରଣ ଏବଂ ଧନୁଆ ନଦୀ ବନ୍ଧକୁ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟୟ ବରାଦ ହୋଇଛି ଅଢେଇ କୋଟି ଟଙ୍କା । କେବଳ 2.4 କିମି କଂକ୍ରିଟ ବନ୍ଧ ନିର୍ମାଣ ପାଇଁ 2 କୋଟି 50 ଲକ୍ଷ ଟଙ୍କା ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । ଲୋକଙ୍କ କହିବା କଥା ଯେ, ଧନୁଆ ନଦୀରେ ବନ୍ୟା ସମୟରେ ସମଗ୍ର ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥାଏ । ନୂଆପଡ଼ା ବ୍ରିଜ ଠାରୁ ଡେଙ୍ଗ ପର୍ଯ୍ୟନ୍ତ ଧନୁଆ ନଦୀର ଉଭୟ ପାର୍ଶ୍ବରେ ବନ୍ଧର ସୁରକ୍ଷା ପାଇଁ ଯେଉଁ କଂକ୍ରିଟ ଢଳେଇ ୱାଲ ନିର୍ମାଣ ହେଉଛି । ଏହା ବନ୍ଧକୁ ସୁରକ୍ଷା ଦେବ ନାହିଁ । ବରଂ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ମାଟି ବନ୍ଧ ଠାରୁ କଂକ୍ରିଟ ଢଳେଇ ସୁରକ୍ଷା ବନ୍ଧ ବହୁ ତଳେ ରହୁଛି । ଯାହାଦ୍ବାରା ବନ୍ୟା ଏବଂ ବର୍ଷା ସମୟର ନଦୀ ବନ୍ଧରୁ ମାଟି ଅତଡ଼ା ଖସି କଂକ୍ରିଟ ଢଳେଇ ୱାଲ ପୋତି ହୋଇଯିବ । ତେବେ କାହିଁକି ଏଭଳି କାର୍ଯ୍ୟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।