ଓଡିଶା

odisha

ETV Bharat / state

ପାର୍କିଂକୁ ନେଇ ଗଡ଼ିଲା ମୁଣ୍ଡ: କୁକୁଡା କଟା ଛୁରୀରେ ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା, ଅଭିଯୁକ୍ତଙ୍କୁ ଧରିବାକୁ ଗଠନ ହେଲା ଟିମ୍‌ - Double murder over vehicle parking - DOUBLE MURDER OVER VEHICLE PARKING

Double murder in Bhubaneswar: କାର୍‌ ପାର୍କିଂକୁ ନେଇ ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଦୁଇ ସାଙ୍ଗକୁ ଛୁରୀ ଭୁସି ନିର୍ମମ ହତ୍ୟା । ଅଭିଯୁକ୍ତଙ୍କୁ ଧରିଲା ପାଇଁ ଟିମ ଗଠନ କଲା ପୋଲିସ । ଅଧିକ ପଢନ୍ତୁ

Double murder in Bhubaneswar
Double murder in Bhubaneswar (ETV BHARAT ODISHA)

By ETV Bharat Odisha Team

Published : Aug 8, 2024, 1:12 PM IST

Updated : Aug 8, 2024, 9:32 PM IST

ଭୁବନେଶ୍ବର:ରାଜଧାନୀରେ ଚାଞ୍ଚଲ୍ୟ । କାର୍‌ ପାର୍କିଂକୁ ନେଇ ଗଡିଲା ମୁଣ୍ଡ । ରାତିଅଧରେ ଆପାର୍ଟମେଣ୍ଟରେ ଡବଲ ମର୍ଡର । ଦୁଇ ବନ୍ଧୁଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା । ଏୟାରଫିଲ୍ଡ ଥାନା ଅନ୍ତର୍ଗତ କୁହା ଅଞ୍ଚଳର କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟରେ ଘଟିଛି ଏହି ହତ୍ୟାକାଣ୍ଡ । ଦୁଇ ମୃତକ ହେଉଛନ୍ତି ଆପାର୍ଟମେଣ୍ଟରେ ରହୁଥିବା ରଶ୍ମିରଞ୍ଜନ ସେଠୀ ଓ ତାଙ୍କ ବନ୍ଧୁ ବବୁଲ । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Double murder in Bhubaneswar (ETV BHARAT ODISHA)

ଘଟଣା ସମ୍ପର୍କରେ ଭୁବନେଶ୍ୱର ଡିସିପି କହିଛନ୍ତି, ''କୁହା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ରଶ୍ମିରଞ୍ଜନ ନାମକ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବବୁଲଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଏୟାରଫିଲ୍ଡ ଥାନା ଟିମ୍ ଓ ସ୍ପେଶାଲ ସ୍କ୍ୱାର୍ଡ ପୋଲିସ ଟିମ ଘଟଣାସ୍ଥଳରେ ଅଛନ୍ତି । ଆମେ ଦେଖୁଛୁ କ'ଣ ଘଟଣା ଘଟିଛି । ପାର୍କିଂ ସମସ୍ୟାକୁ ନେଇ ଗଣ୍ଡଗୋଳ ହୋଇଛି ବୋଲି ଶୁଣିବାକୁ ମିଳୁଛି । ଆମେ ଘଟଣା ତଦନ୍ତ କରୁଛୁ ।

Double murder in Bhubaneswar (ETV BHARAT ODISHA)

କୁକୁଡା କଟା ଛୁରୀରେ ଦୁଇ ସାଙ୍ଗଙ୍କୁ ହାଣିଲେ:

ସ୍ଥାନୀୟ ବାସିନ୍ଦା ସୁବାଷଙ୍କ ସୂଚନା ମୁତାବକ, ''ଗତକାଲି ରାତିରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କୁହା ନିକଟରେ ଥିବା କଲ୍ୟାଣପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟର ସାମ୍ନାରେ ରଶ୍ମିରଞ୍ଜନ କାର ପାର୍କିଂ କରିଥିଲେ । ପରେ ପାଖରେ ଥିହା ତାଙ୍କର ଚିକେନ କାଉଣ୍ଟରକୁ ଯାଇଥିଲେ । ଏହି ସମୟରେ ଆପାର୍ଟମେଣ୍ଟର ମେଣ୍ଟେନାନ୍ସ ଦାୟିତ୍ବରେ ଥିବା ଗଣେଶ କାର୍ ପାର୍କିଂ ଦେଖି ବିରକ୍ତ ହୋଇଥିଲେ । ରଶ୍ମିଙ୍କୁ ଡାକିବା ବଦଳରେ କାରକୁ ଗୋଇଠା ମାରି ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହା ଦେଖି ରଶ୍ମି ଓ ତାଙ୍କ ବନ୍ଧୁ ପ୍ରତିବାଦ କରିବାରୁ ଗଣେଶ ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ଗଣେଶର ଭାଇ ଗଣେଶ୍ୱର ଚିକେନ କାଉଣ୍ଟରରୁ ଛୁରୀ ଆଣି ରଶ୍ମି ରଞ୍ଜନକୁ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଏହି ସମୟରେ ରଶ୍ମିଙ୍କୁ ବଞ୍ଚାଇବାକୁ ଯାଇ ବବୁଲ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।

ଏହାପରେ ରଶ୍ମି ଓ ବବୁଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣାସ୍ଥଳରେ ପକାଇ ଫେରାର ହୋଇଯାଇଥିଲେ ଆକ୍ରମଣକାରୀ ଗଣେଶ ଓ ତା' ଭାଇ । ମରଣାନ୍ତକ ଆକ୍ରମଣରେ ରଶ୍ମିର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବବୁଲକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଆଉ ଜଣେ ମଧ୍ୟ ଏବେ ଗୁରୁତର ଆହାତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚିଥିଲେ ।

Double murder in Bhubaneswar (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଜେଜେମାଆକୁ ହତ୍ୟା ଘଟଣାରେ ନାତିକୁ ଆଜୀବନ ଜେଲ୍ - Man Gets Life Imprisonment

ପୂର୍ବରୁ ପାର୍କିଂ ସମସ୍ୟା ନେଇ ଗଣ୍ଡଗୋଳ ପରେ ଥାନାରେ ହୋଇଥିଲା ଅଭିଯୋଗ:ଡବଲ ମର୍ଡର ଘଟଣା ନେଇ ଆପାର୍ଟମେଣ୍ଟରରେ ଉତ୍ତେଜନା ଦେଖାଦେଇଥିଲା । ଆପାର୍ଟମେଣ୍ଟରେ ରହୁଥିବା ଲୋକେ ଓ ମୃତକ ପରିବାର ଲୋକେ ପ୍ରତିବାଦ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଦାବି କରିଥିଲେ । ଦୀର୍ଘ ଦିନ ହେବ ସେଠାରେ ଏଭଳି ଆତଙ୍କରାଜ ଚାଲୁଥିବା ବେଳେ ପୋଲିସ ପାଟ୍ରୋଲିଂ ଓ ପୋଲିସର ଅନୁପସ୍ଥିତି ନେଇ ଅଭିଯୋଗ କରିଥିଲେ । ପୂର୍ବରୁ ଗାଡି ପାର୍କିଂ ନେଇ ପାଟିତୁଣ୍ଡ ହୋଇଥିବାରୁ ଦୁଇଦିନ ତଳେ ଥାନାକୁ କଥା ଯାଇଥିଲା । କିନ୍ତୁ ଏହି ଘଟଣାକୁ ହାଲୁକା ଭାବେ ନେବାରୁ ଏବେ ପରିସ୍ଥିତି ଅଣାୟତ ହୋଇ ଦୁଇ ଜଣଙ୍କ ଜୀବନ ଯାଇଛି ।

Double murder in Bhubaneswar (ETV BHARAT ODISHA)

ହତ୍ୟା ପରେ ଆପାର୍ଟମେଣ୍ଟବାସୀ ଭୟରେ:

ଆପାର୍ଟମେଣ୍ଟର ତଳେ ଦୁଇ ଦୁଇଟି ମର୍ଡର । ତାହା ପୁଣି ଆପାର୍ଟମେଣ୍ଟର ମେଣ୍ଟନାନ୍ସ ଦାୟିତ୍ବରେ ଥିବା ଯୁବକ ଏଭଳି କାଣ୍ଡ ଭିଆଇବା ନେଇ ଫ୍ଲାଟରେ ରହୁଥିବା ଲୋକେ ଭୟଭିତ ହୋଇପଡିଛନ୍ତି । ଆରାମଦାୟକ ଜୀବନ ପାଇଁ ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣି ଲୋକ ରହୁଛନ୍ତି । କିନ୍ତୁ ଏପରି ଘଟଣା ପରେ ଫ୍ଲାଟରେ ରହୁଥିବା ଲୋକ ଭୟଭୀତ ହୋଇପଡିଛନ୍ତି । ସମସ୍ତେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏପରିକି ଫ୍ଲାଟରେ ରହୁଥିବା କିଛି ଲୋକେ ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚିବା ପରେ ଅସୁରକ୍ଷିତ ମନେ କରୁଥିବା କହିଥିଲେ । ସେଠାକାର ପରିସ୍ଥିତି ଦେଖି ଏୟାରଫିଲ୍ଡ ଥାନାର ଦୁଇ ଜଣ ପୋଲିସ କନଷ୍ଟେବଳଙ୍କୁ ଆପାର୍ଟମେଣ୍ଟରେ ମୁତୟନ କରାଯାଇଛି ।

ହତ୍ୟାକାରି ଓ ମୃତକ ଜେଲ ଫେରନ୍ତା:ହତ୍ୟାକାରୀ ଗଣେଶ ଓ ମୃତକ ରଶ୍ମିରଞ୍ଜନ ଉଭୟ ଜେଲ ଫେରନ୍ତା । ପୂର୍ବରୁ ଅନେକ ମାମଲାରେ ସେ ଗିରଫ ହୋଇ ଜେଲ୍ ଯାଇ ଫେରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏମାନେ ଅସାମାଜିକ ଭାବେ ରାଜ୍ କରୁଥିଲେ । ଏନେଇ ପୂର୍ବରୁ ବହୁବାର ଉଭୟଙ୍କ ନାଁରେ ଥାନାକୁ କେସ୍ ଯାଇଛି । ହେଲେ ପୋଲିସ ଏସବୁ ଘଟଣାକୁ ଅଣଦେଖା କରିଥିଲା । ଯାହାକୁ ନେଇ ଏଭଳି ଘଟଣା ଘଟିଥିବା ଜଣେ ବ୍ୟକ୍ତି ନାମକୁ ଗୋପନ ରଖି ସୂଚନା ଦେଇଛନ୍ତି । ପୋଲିସ ରେକର୍ଡରେ ଉଭୟଙ୍କ ନାମ ଥିଲେ ମଧ୍ୟ ଏମାନଙ୍କ ଗଣ୍ଡଗୋଳକୁ ହାଲୁକା ନିଆଯାଉଥିଲା । ବାରମ୍ବାର ଉଭଙ୍କ ମଧ୍ୟରେ ସେଠାରେ ଗଣ୍ଡଗୋଳ ହୋଇଥାଏ । ହତ୍ୟାକାଣ୍ଡ ପୂର୍ବରୁ ମଧ୍ୟ ଦୁଇ ଦିନ ତଳେ ଏକ ରିପୋର୍ଟ ଉଭୟ ପକ୍ଷ ଦେଇଥିଲେ । ହେଲେ ପୋଲିସ ଅଣଦେଖା କରିଥିଲା ।

ମୃତ ରଶ୍ମିଙ୍କ ଭଉଣୀ ଏନେଇ କହିଛନ୍ତି, ''ଗାଡି ପାର୍କିଂକୁ ନେଇ ପ୍ରି ପ୍ଲାନିଂ କରି ଗଣେଶର ପରିବାର ଲୋକେ ମୋ ଭାଇକୁ ମାରି ଦେଇଛନ୍ତି । ରୁମ ନେଇକି ଭାଇ ଓ ତାର ସାଙ୍ଗମାନେ ରହୁଥିଲେ । 6 ମାସ ହେଲା ସେ ଆପାଟମେଣ୍ଟରେ ଗାଡି ରଖୁଥିଲା । ଗଣେଶ ଦୁଇ ଦିନ ହେଲା ସୁପରଭାଇଜର ହୋଇଥିବା କହି ତାର ସାଙ୍ଗକୁ ଭାଇର ଗାଡି ପାର୍କିଂକୁ ହଟାଇବାକୁ କହିଥିଲା । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା ।''

ପାର୍କିଂକୁ ନେଇ ଗଡ଼ିଲା ମୁଣ୍ଡ (ETV Bharat Odisha)

ଅଭିଯୁକ୍ତକୁ ଧରିବାକୁ ଟିମ ଗଠନ:

ରାଜଧାନୀରେ ଡବଲ ମର୍ଡର ଘଟଣାରେ ଫେରାର ହୋଇଥିବା ଅଭିଯୁକ୍ତମାନଙ୍କୁ ଖୋଜିବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ । ସ୍ୱତନ୍ତ୍ର ଟିମ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ଡିସିପି କହିଛନ୍ତି, ‘ଗାଡି ପାର୍କିଂକୁ କେନ୍ଦ୍ର କରି ଦୁଇ ସାଙ୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ୩ ଅଭିଯୁକ୍ତ । ଦୁଇଜଣ ସାଙ୍ଗ ହେଉଛନ୍ତି କେନ୍ଦ୍ରାପଡ଼ାର ସମ୍ବିତ ରାଉତ ଓ କୁଆ ଗ୍ରାମର ରଶ୍ମି ରଞ୍ଜନ ସେଠୀ । ଯେଉଁମାନେ କି ସେଠାରେ ଚିକେନ ସେଣ୍ଟର କରିଥିଲେ । ଚିକେନ କଟା ଚାପଡ଼ରେ ହାଣି ବୀଭତ୍ସ ହତ୍ୟା ଘଟାଇଛନ୍ତି ଅଭିଯୁକ୍ତ । ତେଣୁ ବୀଭତ୍ସ ହତ୍ୟାକାରୀ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ସାଇଣ୍ଟଫିକ ମେଥଡ଼ରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରୁ ରକ୍ତ ନମୁନା ଓ ସିସିଟିଭି ସଂଗ୍ରହ କରିଛି ପୋଲିସ । ଅଭିଯୁକ୍ତ ମାନଙ୍କୁ ଖୋଜିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ । ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ମୃତକଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ଏୟାରଫିଲଡ ଥାନା । ’’

ଇଟିଭି ଭାରତ, ଭୁବନେଶ୍ୱର

Last Updated : Aug 8, 2024, 9:32 PM IST

ABOUT THE AUTHOR

...view details