ଜଗତସିଂହପୁର: ମାଆ ଶାରଳାଙ୍କ ମନ୍ଦିରରେ ଶୃଙ୍ଖଳିତ ବ୍ୟବହାର କରିବେ ସେବକ । ଜିଲ୍ଲାର ଇଷ୍ଟଦେବୀ ମାଆ ଶାରଳାଙ୍କ ମନ୍ଦିରରେ ସଂସ୍କାର ପାଇଁ କଟକ ଦେବୋତ୍ତର କମିସନଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ମନ୍ଦିରରେ ବିଶୃଙ୍ଖଳାକୁ ନେଇ କମିସନଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ ଏନେଇ କମିସନରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ଦିରରେ ସେବକମାନଙ୍କ ବିଶୃଙ୍ଖଳିତ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଶନିବାର ଦିନ ବିଜ୍ଞପ୍ତି ଜାରି କରାଯାଇଛି । ଯଦି କୌଣସି ସେବକ ଏହାକୁ ଅବମାନନା କରନ୍ତି ତେବେ ତାହା ପ୍ରମାଣିତ ହେଲେ ସମ୍ପୃକ୍ତ ସେବକଙ୍କୁ ସେବାରୁ ବହିଷ୍କାର କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।
ମାଆ ଶାରଳାଙ୍କ ମନ୍ଦିରକୁ ଯେଉଁ ଶ୍ରଦ୍ଧାଳୁ ଭକ୍ତ ଆସନ୍ତି ସେମାନଙ୍କ ପୂଜା ପାଇଁ କୌଳିକ ପଣ୍ଡା ରହିଥାନ୍ତି । ରାଜ୍ୟ ଓ ରାଜ୍ୟ ବାହାରରୁ ଯଦି ଜଣେ ଭକ୍ତଟିଏ ପୂଜାର୍ଚ୍ଚନା କରିବା ପାଇଁ ଆସେ ସେମାନଙ୍କ କୌଳିକ ରାଉଳ ବା ପୂଜକ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଜଣେ ବ୍ୟକ୍ତିଙ୍କ ଘର ଗୋଟିଏ ଅଞ୍ଚଳରେ ହୋଇଥାଏ କିନ୍ତୁ ସେ ଅନ୍ୟ କେଉଁଠି ରହୁଥାନ୍ତି, ସେ ଯଦି ମନ୍ଦିର ଆସନ୍ତି ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । କାରଣ କେଉଁ ସେବକ ପୂଜାର୍ଚ୍ଚନା କରିବେ ତାକୁ ନେଇ ଉଭୟ ଅଞ୍ଚଳ ସେବକଙ୍କ ମଧ୍ୟ ଗଣ୍ଡଗୋଳ ହୋଇଥାଏ । ଏହି ଘଟଣାକୁ ନେଇ ମନ୍ଦିର ପରିସରରେ ପୂଜକମାନେ ହାତାହାତି ହେବାର ଦେଖିବାକୁ ମିଳିଥାଏ ।