ଓଡିଶା

odisha

ETV Bharat / state

ବରଗଡ଼ରୁ ଆରମ୍ଭ ହେଲା ଧାନ ସଂଗ୍ରହ ପ୍ରକ୍ରିୟା, ଟୋକନ ସମସ୍ୟା ପାଇଁ ଦ୍ବନ୍ଦ୍ବରେ ଚାଷୀ - PADDY PROCUREMENT KHARIF SEASON

ଆଜିଠୁ ଖୋଲିଲା ଧାନ ମଣ୍ଡି । ବରଗଡ଼ରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ଶୁଭାରମ୍ଭ କରିଛନ୍ତି ।

Paddy Procurement
Paddy Procurement (ETV Bharat Odisha)

By ETV Bharat Odisha Team

Published : Nov 20, 2024, 10:31 PM IST

ବରଗଡ଼/ଭୁବନେଶ୍ବର:ଆଜିଠାରୁ ରାଜ୍ୟରେ ହୋଇଛି ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା । ପ୍ରଥମେ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁୁ ଶୁଭାରମ୍ଭ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜିଲ୍ଲାର କଳାପାଣି, ଅତାବିରା ଓ ଗୋଡଭାଗା ମାର୍କେଟ ୟାର୍ଡରୁ ଧାନ କିଣା ପ୍ରକ୍ରିୟା ଶୁଭାରମ୍ଭ ହୋଇଛି । ତେବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଷୀଙ୍କ ସହ ଆଲୋଚନା ନକରି ଫେରି ଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଦ୍ଵନ୍ଦ୍ବରେ ଚାଷୀ:

Paddy Procurement (ETV Bharat Odisha)

ଆଜି ବରଗଡ଼ରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂଜାର୍ଚ୍ଚନା କରି ଧାନ କିଣା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାର ଉଦଘାଟନ ସମାରୋହରେ ମଣ୍ଡିକୁ ଧାନ ଆସିଲା, ମନ୍ତ୍ରୀଙ୍କ ଦ୍ଵାରା କିଣା ବିକା ପ୍ରକ୍ରିୟାର ଶୁଭାରମ୍ଭ ମଧ୍ୟ ହେଲା । କିନ୍ତୁ ବହୁ ଚାଷୀଙ୍କ ଟୋକନ ଆସି ନଥିବା ଅଭିଯୋଗ ହୋଇଛି । ଧାନ କିଣା ବିକା ପ୍ରକ୍ରିୟାର ପ୍ରଥମ ଦିନରୁ ହିଁ ଦ୍ଵନ୍ଦରେ ଚାଷୀ । ଏନେଇ ଚାଷୀ ଚିଲକୁରି ଭେଙ୍କନ୍ନା କହିଛନ୍ତି, "ଆଜି ମଣ୍ଡିକୁ ଧାନ ନେଇକି ଆସିଛି । ସେ ଧାନ ଉଠିବ କି ନାହିଁ ମୁଁ ନିଶ୍ଚିନ୍ତ ହୋଇପାରୁନି । FAQ ମାନର ଧାନ ଦେବା ପାଇଁ କୁହାଯାଉଛି । FAQ ଧାନ ମାନେ କ'ଣ ।"

'ମନ୍ତ୍ରୀ ଆମ ସହ ଆଲୋଚନା କଲେ ନାହିଁ':

ସେପଟେ ଚାଷୀ ସୁରେଶ ନେକାଣ୍ଟିକହିଛନ୍ତି, "ଆଜି ମନ୍ତ୍ରୀ ଆସି ଧାନ ମଣ୍ଡିର ଶୁଭାରମ୍ଭ କଲେ । ଆମେ ଚାଷୀମାନେ ଧାନ କ୍ବିଣ୍ଟାଲକୁ ୩୧୦୦ ଟଙ୍କା ପାଇବୁ, ଏଥିପାଇଁ ଆମେ ଖୁସି ଅଛୁ । କିନ୍ତୁ ମଣ୍ଡିରେ ଟୋକନ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କ ସହ ଆମେ ଚାଷୀମାନେ ଆଲୋଚନା କରିବାକୁ ଚାହୁଁଥିଲୁ । ଆମ ସମସ୍ୟା ବିଷୟରେ ମନ୍ତ୍ରୀଙ୍କୁ ଜଣାଇଥାନ୍ତୁ । କିନ୍ତୁ ମନ୍ତ୍ରୀ ଆମ ସହ ଆଲୋଚନା କଲେ ନାହିଁ । କେବଳ ଟୋକନ ବ୍ୟବସ୍ଥା କରାଯିବ କହି ମନ୍ତ୍ରୀ ପଳାଇଥିଲେ ।"

କଡ଼ା ନଜରରେ ଧାନମଣ୍ଡି:

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରଗଡ଼ରେ ମଣ୍ଡିର ଶୁଭାରମ୍ଭ କରିବା ପରେ ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ । ସରକାର ଚାଷୀଙ୍କ ସୁବିଧାକୁ ଗୁରୁତ୍ଵ ଦେଇ ମଣ୍ଡିରେ ଉପଲବ୍ଧ କରିବାକୁ ଥିବା ସମସ୍ତ ବ୍ୟବସ୍ଥା ଯଥା ଡିଜିଟାଲ ଆର୍ଦ୍ରତା ମିଟର, ତାରପୋଲିନ, ୱେବ୍ରିଜ, ବିଶ୍ଳେଷଣ କିଟ, ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଲାଇଟ, ପାଇଖାନା, ସିସିଟିଭି, ମୂଲ୍ୟ ପ୍ରଦର୍ଶନ ବୋର୍ଡ, କଣ୍ଟ୍ରୋଲ ରୁମ୍ରୁ ଆଦି ବ୍ୟବସ୍ଥାର ତଦାରଖ କରିଥିଲେ । ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଧାନ ବିକ୍ରି କରୁଥିବା ସମସ୍ତ ଚାଷୀଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ବର୍ତ୍ତମାନ ଟୋକନ ବ୍ୟବସ୍ଥାରେ ଦେଖାଦେଉଥିବା ଅସୁବିଧାକୁ ଯଥାଶୀଘ୍ର ସମାଧାନ କରାଯିବ ଓ ଧାନ କିଣାରେ କଟନୀ ଛଟନୀ ବନ୍ଦ ପାଇଁ ସମସ୍ତେ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବାକୁ ସରକାରଙ୍କ ତରଫରୁ ଅନୁରୋଧ କରିଛନ୍ତି ।

'ଚାଷୀଙ୍କ ଟୋକନ ବ୍ୟବସ୍ତା ହୋଇଯିବ':

ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି "ଆଜି ଆନୁଷ୍ଠାନିକ ଭାବେ ବରଗଡ଼ ଜିଲ୍ଲାର ୩ଟି ଧାନମଣ୍ଡିକୁ ମୁଁ ଶୁଭାରମ୍ଭ କରିଛି । କୃଷକମାନେ ମଣ୍ଡିକୁ ଧାନ ଆଣିଛନ୍ତି । କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯିବ । ଧାନ ସଂଗ୍ରହ ପ୍ରକ୍ରିୟା ବରଗଡ଼ରୁ ଆରମ୍ଭ ହୋଇଛି । କାରଣ ବରଗଡ଼ ଓଡ଼ିଶାର ଭାତହାଣ୍ଡି । ଏଠାର କୃଷକମାନେ ପରିଶ୍ରମୀ । ଦଲାଲ ମୁକ୍ତ ଧାନ କିଣା ହେବ । କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିାଯାଇଛି । ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନକୁ ସରକାର ସୁନିଶ୍ଚିତ କରୁଛନ୍ତି । ଚାଷୀମାନଙ୍କ ଟୋକନ ବ୍ୟବସ୍ଥା ହୋଇଯିବ । ସେମାନଙ୍କୁ ଉଚିତ ମୂଲ୍ୟ ମିଳିବ ।"

ଏମାନେ ଥିଲେ ଉପସ୍ଥିତ:

ଆଜିର ଧାନ ମଣ୍ଡି ଶୁଭାରମ୍ଭ ବେଳେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ବରଗଡ଼ ବିଧାୟକ ଅଶ୍ଵିନୀ କୁମାର ଷଡଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଏବଂ ବରଗଡ଼ ସାଂସଦ ପ୍ରତିନିଧି ଭାବେ ଶୁରେଶ୍ୱର ସତପଥୀଙ୍କ ସମେତ ଜିଲ୍ଲାପାଳ ଆଦିତ୍ୟ ଗୋୟାଲ, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ଆରଏମସି କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଉପସ୍ଥିତ ରହି ମଣ୍ଡିରେ ଧାନ ସଂଗ୍ରହ ସମୟେର ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବରଗଡ଼ରୁ ଆଜିଠୁ ଖରିଫ ଧାନ ସଂଗ୍ରହ ଆରମ୍ଭ, MSP ସହ ମିଳିବ ବୋନସ, ଚାଷୀ ଅସନ୍ତୁଷ୍ଟ

ଏହା ମଧ୍ୟ ପଢ଼ନ୍ତୁ...ସୁରୁଖୁରୁରେ ହେବ ଧାନ କିଣା, ମନଇଚ୍ଛା କଟନୀ ଛଟନୀରେ ଲାଗିବ ରୋକ

'କଥା ରଖିଛନ୍ତି ସରକାର':

ସେପଟେ ଧାନ କିଣାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ଆଜିଠାରୁ ଧାନ କିଣିବେ ସରକାର । ଆମେ ଲୋକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବୁ ତାହା କାଯ୍ୟକାରୀ ହେଉଛି । ଯେଉଁମାନେ ଆଜି ଧାନ ବିକିବେ ସେମାନେ ୮ ତାରିଖ ଦିନ ୮୦୦ ଟଙ୍କା ତାଙ୍କ ଆକାଉଣ୍ଟକୁ ଯିବ । ପ୍ରଥମେ ପଶ୍ଚିମ ଓଡିଶାରେ କିଣାଯାଇଛି । ତାପରେ ରାଜ୍ଯରେ ସବୁ ଜାଗାରେ ଧାନ କିଣିବେ ସରକାର।"

ଇଟିଭି ଭାରତ, ବରଗଡ଼ ଓ ଭୁବନେଶ୍ବର

ABOUT THE AUTHOR

...view details