ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ପରିକ୍ରମା ଦର୍ଶନ ପାଇଁ ବାଲେଶ୍ୱରରୁ ବାହାରିଲେ ଭକ୍ତ - ଶ୍ରୀମନ୍ଦିର ପରିକ୍ରମା

Srimandir parikrama: ଆଜିଠୁ ପୁରୀ ଶ୍ରୀଜିଉଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା କରିପାରିବେ ଭକ୍ତ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ପାଇଁ ବାଲେଶ୍ବରରୁ ବାହାରିଛନ୍ତି ଭକ୍ତ । ଆଗକୁ ପଢନ୍ତୁ

Shri Mandir parikrama
ଶ୍ରୀମନ୍ଦିର ପରିକ୍ରମା ଦର୍ଶନ ପାଇଁ ବାଲେଶ୍ୱରରୁ ବାହାରିଲେ ଭକ୍ତ

By ETV Bharat Odisha Team

Published : Jan 29, 2024, 10:58 AM IST

ବାଲେଶ୍ଵର:ଆଜି ଠାରୁ ଶ୍ରୀଜିଉଙ୍କ ଦର୍ଶନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରିବେ ବିଭିନ୍ନ ଜିଲ୍ଲାର ଭକ୍ତ । ଜାନୁଆରୀ 29 ତାରିଖରୁ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନରେ ଗଞ୍ଜାମ, ବାଲେଶ୍ବର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡା ଜିଲ୍ଲାର ଭକ୍ତ ଆସିଛନ୍ତି । ଏହି କ୍ରମରେ ବାଲେଶ୍ବର ଜିଲ୍ଲାର ସଦର ବ୍ଲକ୍, ରେମୁଣା ବ୍ଳକ ଓ ବାଲେଶ୍ଵର ପୌରପାଳିକା ସହ ରେମୁଣା NACରୁ ଜଗନ୍ନାଥ ପ୍ରେମୀ ତଥା ଶ୍ରଦ୍ଧାଳୁମାନେ ପୁରୀ ଆସିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ଵତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି ।

ମୋଟ ୨୨୬୦ ଜଣ ଶ୍ରଦ୍ଧାଳୁଙ୍କୁ ୪୮ଟି ବସ ଯୋଗେ ପୁରୀ ନିଆଯାଇଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି । ସରକାରଙ୍କ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶରେ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁମାନେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପୁରୀ ଶ୍ରୀମନ୍ଦିର ପରିକ୍ରମାର ପ୍ରକଳ୍ପର ଭବ୍ୟ ଅନୁଭୂତି ସାଉଁଟିବା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ସକାଳର ଜଳଖିଆ ଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ଉଠାଇବେ । ଶ୍ରୀମନ୍ଦିର ପରିକ୍ରମା କରିବା ପାଇଁ ଭକ୍ତମାନଙ୍କ ସହ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହେବେ । ଏକ ଭକ୍ତିମୟ ପରିବେଶ ମଧ୍ୟରେ ତୀର୍ଥ ଯାତ୍ରୀମାନେ ଶ୍ରୀମନ୍ଦିର ପରିକ୍ରମା କରିବେ ।

ଏହାମଧ୍ୟ ପଢନ୍ତୁ.. ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରଦକ୍ଷିଣ କଲେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ

ବିଭିନ୍ନ ୱାର୍ଡରୁ 20 ଜଣ ଲେଖାଏଁ ଭକ୍ତ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବାଲେଶ୍ଵରର ଦୁଇଟି ନିର୍ବାଚନ ମଣ୍ଡଳୀରୁ ଭକ୍ତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବା ସହା ଜଗା ଦର୍ଶନର ସୁଯୋଗ ପାଇଛନ୍ତି । ଆଗାମୀ ଦିନରେ ଚାରୋଟି ପର୍ଯ୍ୟାୟରେ ବାଲେଶ୍ଵରର ଅନ୍ୟ ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଭକ୍ତମାନେ ଏହି ସୁଯୋଗ ପାଇବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ବୃଦ୍ଧ ସମୟରେ ରାଜ୍ୟ ସରକାର ଏମିତି ସୁଯୋଗ ସୃଷ୍ଟି କରାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଉଁ ବ୍ୟବସ୍ଥା କରାଇଛନ୍ତି ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଟିଭିରେ ଦେଖୁଥିବା ବେଳେ ଆଖିରେ ଦେଖିବାର ସୁଯୋଗ ମିଳିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ଭକ୍ତ । ତେବେ ତୀର୍ଥ ଯାତ୍ରୀଙ୍କ ଯାତ୍ରା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ନେବାର ସମସ୍ତ ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯାତ୍ରାକୁ ବାଲେଶ୍ଵର ସଦର ବିଧାୟକ ସ୍ୱରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ସମେତ ସଦର ବ୍ଲକ ଚେୟାରମ୍ୟାନ, ରେମୁଣା ବ୍ଲକ ଚେୟାରମ୍ୟାନ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏବଂ ବାଲେଶ୍ଵର ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଶ୍ରଦ୍ଧାଳୁଙ୍କୁ ସ୍ଵାଗତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା । ଜୟ ଜଗନ୍ନାଥ ଧ୍ୱନୀରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details