ଭଦ୍ରକ:ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ଭଦ୍ରକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସିଧାସଳକ ଚାଷୀମାନଙ୍କ ସହ ବିଲ ପାଖକୁ ଯାଇ ଗ୍ରାଉଣ୍ଡ ଜିରୋରୁ ସ୍ଥିତ ପରଖିଛନ୍ତି । ଏହାସହ ସରକାର ସବୁ ସମୟରେ ଚାଷୀଙ୍କ ପାଖରେ ଅଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଯିବା ସହ ଧର୍ଯ୍ୟ ନ ହରାଇବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଭଦ୍ରକରେ ଉପମୁଖ୍ୟମନ୍ତ୍ରୀ:
ଅଦିନିଆ ବର୍ଷାରେ ହୋଇଥିବା କ୍ଷତିକ୍ଷତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି । ଧାମନଗର ବ୍ଲକ ଅଧିନ ଭଗବାନପୁର, ଜୟକୃଷ୍ଣପୁର, ପଳିକିରି, ଅନହରପୁର ଏବଂ ବନ୍ତ ବ୍ଲକର ଛୟାଳସିଂହ ଅଞ୍ଚଳକୁ ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କ ନଷ୍ଟ ହୋଇଥିବା ପାଚିଲା ଧାନ ଫସଲକୁ ପରଖିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହ ଚାଷୀମାନଙ୍କ ଅବସ୍ଥା କଥା ପଚାରି ବୁଝିଛନ୍ତି । କେତେକ ସ୍ଥାନରେ ଗଜା ହୋଇଥିବା ଧାନ ଧରି ଠିଆ ହୋଇଥିଲେ ଚାଷୀ । ଯାହାକୁ ଦେଖି ଅଟକି ଯାଇଥିଲେ ପ୍ରଭାତୀ ପରିଡ଼ା ।
ଚାଷୀଙ୍କ ସହ ଆଲୋଚନା:
କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହ ସେମାନଙ୍କୁ ଆଶ୍ୱାସନା ଦେଇ ସେମାନଙ୍କ ମନରେ ଭରସା ଜନ୍ମାଇଛନ୍ତି । ସେ କହିଛନ୍ତି ଯେ, "ଯେକୌଣସି ଦୁର୍ବିପାକ ଆସିଲେ ବି ସରକାର ସେମାନଙ୍କ ପାଖରେ ଅଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାର ଖୋଲା ହୃଦୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ଜଣେ ବି ଯେପରି ପ୍ରାପ୍ୟ ପାଇବାରୁ ବଞ୍ଚିତ ନହୁଏ ସେଥିପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବୀମା ଭୁକ୍ତ ଏବଂ ଅଣ ବୀମାଭୁକ୍ତ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସରକାରଙ୍କ ଘୋଷଣା କଥା ମଧ୍ୟ ଜଣାଇଛନ୍ତି । "