ନିଆଳି: ଅଦିନିଆ ବର୍ଷା ଯୋଗୁଁ ରାଜ୍ଯର ବିଭିନ୍ନ ଜିଲ୍ଲାରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପାଣି ଜମି ରହିବା ଫଳରେ ଧାନ ବିଲରେ ଗଜା ହେଲାଣି । ୠଣ ଓ ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ଏବେ ସର୍ବଶ୍ୱାନ୍ତ ହୋଇଛନ୍ତି । ଚାଷୀମାନଙ୍କ କ୍ଷୟକ୍ଷତି ଦେଖିବା ପାଇଁ ଆଜି (ରବିବାର) କଟକ ଜିଲ୍ଲା ନିଆଳି ବ୍ଳକ ଜଲ୍ଲାରପୁର ପଞ୍ଚାୟତ ଷୋଳମଙ୍ଗା ଅଞ୍ଚଳ ପରିଦର୍ଶନ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ।
- ନିଆଳି ଗସ୍ତରେ ଉପ-ମୁଖ୍ୟମନ୍ତ୍ରୀ
ଧାନ କ୍ଷେତକୁ ଯାଇ ଚାଷୀଙ୍କୁ କ୍ଷୟକ୍ଷତି ବିଷୟରେ ପଚାରି ବୁଝିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । କ୍ଷତିଗ୍ରସ୍ତ ଚାଷୀମାନେ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଗଜା ହୋଇଯାଇଥିବା ଧାନ ଦେଖାଇଥିଲେ । ଚାଷୀମାନଙ୍କ ସହିତ ଆଲୋଚନା ପରେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନିଆଳି ସ୍ଥିତ କୃଷି କାର୍ଯ୍ୟାଳୟ ପରିସରରେ ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ଏଡିଓ ଚନ୍ଦ୍ର ମୋହନ ଚାନ୍ଦ, ନିଆଳି କୃଷି ଅଧିକାରୀ ସଂଧ୍ୟାରାଣୀ ଦାଶ, ନିଆଳି ତହସିଲଦାର ଲିଲନ ପ୍ରସାଦ ସାହୁ, ବିଡ଼ିଓ ଜଗଦୀଶ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
- 'ଧାନ ନମୂନା ସଂଗ୍ରହ କରିଛୁ'
ସମୀକ୍ଷା ବୈଠକ ପରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କହିଛନ୍ତି,"ଯେଉଁ ଚାଷୀମାନଙ୍କର କ୍ଷୟକ୍ଷତି ହୋଇଛି ସେମାନଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇଥିଲୁ । କେନ୍ଦ୍ର କିମ୍ବା ରାଜ୍ୟ ସରକାର ଯୋଜନାରେ ଚାଷୀର କ୍ଷୟକ୍ଷତି ଯୋଗାଇ ଦେବା ପାଇଁ ଇନ୍ଯୁରାନ୍ସ କମ୍ପାନୀ ସହିତ ଆଲୋଚନା ହୋଇଛି । ଆଜି ନିଆଳି ଅଞ୍ଚଳର କିଛି ଜମି ବୁଲି ଦେଖିଛି । ଯେଉଁଠିକୁ ଯାଇଥିଲି ସେଠି ଧାନ ଗଜା ହୋଇଯାଇଛି । ଧାନ ସାମ୍ପଲ ଏବଂ ପାନ ପତ୍ର ସାମ୍ପଲ ସଂଗ୍ରହ କରିଛୁ । ଆସନ୍ତାକାଲି ପୁଣି ବୈଠକ ଡକାଯିବ । ଚାଷୀଙ୍କୁ ସବୁପ୍ରକାର ସାହାଯ୍ୟ ସହଯୋଗ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।’’
ଏହାମଧ୍ୟ ପଢନ୍ତୁ... |