କଟକ: ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲା । ହାଇକୋର୍ଟରେ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ଓପିଏସସି ସଚିବ । ଏଥିସହ ସଂଶୋଧିତ ମେଧା ତାଲିକା ମଧ୍ୟ କୋର୍ଟରେ ଦାଖଲ କରିଛନ୍ତି ସଚିବ । ତେବେ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ୱେବସାଇଟରେରେ ପ୍ରଦର୍ଶନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ଓପିଏସସି ୱେବସାଇଟରେ ପ୍ରଦର୍ଶନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୂର୍ବ ତାଲିକା ଅନୁଯାୟୀ କାହାକୁ ନିଯୁକ୍ତି ଦିଆଯାଇଛି କି ନାହିଁ ସେନେଇ ମଧ୍ୟ କୋର୍ଟ ତଥ୍ୟ ଲୋଡି ଲୋଡିଛନ୍ତି । ତେବେ ନିଯୁକ୍ତି ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଗୁରୁବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।
ଓପିଏସସି ସଚିବଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ:
ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାରେ OPSC (ଓଡ଼ିଶା ଲୋକସେବା ଆୟୋଗ )ଉପରେ ବର୍ଷିଥିଲେ ଓଡିଶା ହାଇକୋର୍ଟ । ଅଦାଲତ ବାରମ୍ବାର ନିର୍ଦ୍ଦେଶ ଦେବା ପରେ ମଧ୍ୟ, ସଂଶୋଧିତ ମେଧା ତାଲିକା ଓପିଏସସି ଦାଖଲ କରୁ ନଥିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ଓପିଏସସି ତରଫରୁ ଏହି ମାମଲାକୁ ଯେମିତି ପରିଚାଳନା କରାଯାଉଛି, ତାହା ସନ୍ତୋଷଜନକ ନୁହେଁ ବୋଲି କୋର୍ଟ କଡା ସମାଲୋଚନା କରିଥିଲେ । ସଂଶୋଧିତ ମେଧା ତାଲିକା ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଯାଇନଥିଲା । ଆଜି ଓପିଏସସି ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସମଗ୍ର ସଂଶୋଧିତ ମେଧା ତାଲକା ସହିତ ସଚିବ, ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଓପିଏସସି ତରଫରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
କାହିଁକି ଏହି ମାମଲା ହାଇକୋର୍ଟକୁ ଆସିଥିଲା:
୨୦୧୭-୧୮ରେ ଓପିଏସ୍ସି ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ (ଡେଣ୍ଟାଲ୍) କ୍ୟାଡର୍ ଗ୍ରୁପ-କ (ଜୁନିୟର୍) ଡେଣ୍ଟାଲ୍ ସର୍ଜନ୍ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୯୮ଟି ଡେଣ୍ଟାଲ୍ ସର୍ଜନ୍ ପଦ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ନିଯୁକ୍ତି ପ୍ରକ୍ରିୟାର ଚୂଡାନ୍ତ ଫଳ ପ୍ରକାଶ ପରେ ୧୭୧ ଜଣ ପ୍ରାର୍ଥୀଙ୍କ ନାଁ ଓପିଏସ୍ସି ୨୦୧୮ ଅଗଷ୍ଟ ୯ରେ ସୁପାରିସ କରିଥିଲା । ଓପିଏସ୍ସି ଅନୁମୋଦନକ୍ରମେ ରାଜ୍ୟ ସରକାରଙ୍କ ତରଫରୁ ଡେଣ୍ଟାଲ୍ ସର୍ଜନ୍ ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । କିନ୍ତୁ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନର ଦିଆଯାଇଥିବା ସମ୍ଭାବ୍ୟ ଉତ୍ତର (କି ଆନସାର୍) ଭୁଲ୍ ଥିବା ଅଭିଯୋଗ ହୋଇଥିଲା । କେତେକ ଆଶାୟୀ ପ୍ରାର୍ଥୀ ଏନେଇ ଓପିଏସ୍ସି ନିକଟରେ ଲଖିତ ଅଭିଯୋଗ କରିଥିଲେ । ଅଦାଲତରେ ମାମଲା ରୁଜୁ ହୋଇଥିଲା । ଓପିଏସ୍ସି ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା ।
କମ୍ ମାର୍କ ରଖିଥିବା ପ୍ରାର୍ଥୀ ପାଇଥିଲେ ନିଯୁକ୍ତି:
୨୦୧୮ ଅକ୍ଟୋବର୍ ୫ରେ ବିଶେଷଜ୍ଞ କମିଟି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ୧୨ଟି ଉତ୍ତର ( କି ଆନସାର୍) ଭୁଲ ଥିଲା । ଏହାପରେ ଓପିଏସ୍ସି ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କ ଖାତାର ପୁନଃମୂଲ୍ୟାୟନ କରାଯାଇ ମାର୍କରେ ସଂଶୋଧନ କରାଯାଇଥିଲା । ଓପିଏସ୍ସି ଅନୁମୋଦନ ଆଧାରରେ ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ସହିତ ଅନ୍ୟ ପ୍ରାର୍ଥୀଙ୍କ ମାର୍କ ସଂଶୋଧନ କରାଯାଇଥିଲା । ସଂଶୋଧନ ପରେ ନିଯୁକ୍ତିରୁ ବାଦ୍ ପଡ଼ିଥିବା କେତେକ ପ୍ରାର୍ଥୀଙ୍କ ମାର୍କ ଠାରୁ କମ୍ ମାର୍କ ରଖିଥିବା ପ୍ରାର୍ଥୀଙ୍କ ନାଁ ଓପିଏସ୍ସି ଅନୁମୋଦନ କରିଥିବା ଓ ଏପରି କମ୍ ମାର୍କ ରଖିଥିବା ପ୍ରାର୍ଥୀ ନିଯୁକ୍ତି ପାଇ ଚାକିରି କରୁଥିବା ସ୍ପଷ୍ଟ ହୋଇଥିଲା ।
୧୧ ପ୍ରାର୍ଥୀଙ୍କ ଥିଲା ଧାର୍ଯ୍ୟ କଟ-ଅଫ୍ ଠାରୁ କମ୍ ମାର୍କ:
ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଓପିଏସସି ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲା । ସେପ୍ଟେମ୍ବର୍ ୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ଏହି ପ୍ରସଙ୍ଗରେ କମିସନ୍ କ’ଣ ନିଷ୍ପତ୍ତି ନେବାକୁ ଯୋଜନା କରୁଛନ୍ତି ସେ ନେଇ ଜଣାଇବାକୁ କହିଥିଲେ । ସେପ୍ଟେମ୍ବର ୪ରେ ନିର୍ଦ୍ଦେଶ ପାଳନ କରି ଓପିଏସସି ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପ୍ରାର୍ଥୀଙ୍କ ଖାତାର ପୁନଃମୂଲ୍ୟାୟନ କରାଯାଇ ମାର୍କରେ ସଂଶୋଧନ କରାଯାଇଥିଲା । ଓପିଏସ୍ସି ପୂର୍ବ ଅନୁମୋଦନ ଆଧାରରେ ନିଯୁକ୍ତି ପାଇଥିବା ୧୧ ଜଣ ପ୍ରାର୍ଥୀ ସଂଶୋଧନ ପରେ ଧାର୍ଯ୍ୟ କଟ-ଅଫ୍ ମାର୍କ ଠାରୁ କମ୍ ମାର୍କ ରଖିଥିଲେ । କିନ୍ତୁ ମାର୍କ ସଂଶୋଧନ ହେବା ବେଳକୁ ସେମାନେ କିଛିବର୍ଷ ଚାକିରି କରି ସାରିଥିଲେ ।