ଓଡିଶା

odisha

ETV Bharat / state

ସମସ୍ୟା ଶୁଣିଲାନି ପ୍ରଶାସନ, ଭୋଟ ଦେଲେନି ୫୦୦ ଭୋଟର - Voter boycott election - VOTER BOYCOTT ELECTION

Boycott election in Balasore:ଦାବି ପୂରଣ ନ ହେବାରୁ ଗଣତାନ୍ତ୍ରିକ ଅଧିକାର ସାବସ୍ତ୍ୟରୁ ବଞ୍ଚିତ ହେଲା ବାଲେଶ୍ୱର ଅନନ୍ତପୁର ପଞ୍ଚାୟତର ୫୦୦ ଭୋଟର । ମୌଳିକ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ସତ୍ତ୍ବ କେହି କର୍ଣ୍ଣପାତ ନ କରିବାରୁ ଭୋଟ ବର୍ଜନ କଲେ ଭୋଟର । ଅଧିକ ପଢନ୍ତୁ

Boycott election in Balasore
Boycott election in Balasore (ETV Bharat Odisha)

By ETV Bharat Odisha Team

Published : Jun 2, 2024, 12:09 PM IST

ବାଲେଶ୍ୱର:ଅଭିଯୋଗ ପରେ ଅଭିଯୋଗ, ଆନ୍ଦୋଳନ ପରେ ଆନ୍ଦୋଳନ ତଥାପି ନେତାଠାରୁ ପ୍ରଶାସନ କେହି ବି ଗାଁ ଲୋକଙ୍କ ସମସ୍ୟା କର୍ଣ୍ଣପାତ କଲେ ନାହିଁ । ଦାବି ପୂରଣ ନହେଲେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଥିଲେ । ଶେଷରେ ବାଧ୍ୟ ହୋଇ ସେଇୟା କଲେ ଗାଁ ଲୋକେ । ମତଦାନରୁ ବିରତ ରହିଲେ ପ୍ରାୟ 500 ଭୋଟର । ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ । ବିଭିନ୍ନ ମୌଳିକ ସୁବିଧା ଦାବିରେ ଅନନ୍ତପୁର ପଞ୍ଚୟତର 500 ଭୋଟର ଏଥର ଭୋଟ ବର୍ଜନ କରିଛନ୍ତି ।

ସୂଚନା ଅନୁସାରେ, ଶେଷ ପର୍ଯ୍ୟାୟରେ ବାଲେଶ୍ୱରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ମତଦାନ କରିବାକୁ ଆସିନାହାନ୍ତି ଅନନ୍ତପୁର ପଞ୍ଚାୟତର ପାଖାପାଖି ୫୦୦ ଭୋଟର । ପଞ୍ଚାୟତର 3 ଓ 4 ନଂ ୱାର୍ଡବାସିନ୍ଦା ଦୀର୍ଘଦିନ ଧରି ଗାଁକୁ ରାସ୍ତାଟିଏ ନଥିବା ନେଇ ଅଭିଯୋଗ କରିବା ସହ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଆସୁଥିଲେ । ଏହାକୁ ନେଇ ଗ୍ରାମବାସୀ ନେତାଙ୍କଠାରୁ ପ୍ରଶାସନ ସମସ୍ତଙ୍କ ପାଖରେ ଗୁହାରି କରିଥିବାବେଳେ କେହି ନଶୁଣିବାରୁ ଶେଷରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହାରି ଭିତରେ ନାଥସାହିର ଜଣେ ଗର୍ଭବତୀ ମହିଳାଙ୍କୁ ରାସ୍ତା ନଥିବା ଯୋଗୁଁ ଖଟିଆରେ ବୁହାଯିବା ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏତେ ଅସୁବିଧା ମଧ୍ୟରେ ଗ୍ରାମବାସୀ ଶେଷ ପର୍ଯ୍ୟନ୍ତ ନେତା ଓ ପ୍ରଶାସନ ପାଖରୁ କିଛି ପ୍ରତିଶ୍ରୁତି ମିଳିବା ନେଇ ଆଶାବାଦୀ ରହିଥିଲେ । ମାତ୍ର ନିର୍ବାଚନ ତାରିଖ ଯାଏ ମଧ୍ୟ କୌଣସି ପ୍ରକାର ସହଯୋଗ ନମିଳିବାରୁ ଶେଷରେ ବାଧ୍ୟ ହୋଇ ପ୍ରାୟ 500 ଭୋଟର ଭୋଟ ବର୍ଜନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ... ରାଜସ୍ବ ଗ୍ରାମ ଦାବିରେ ଭୋଟ ବର୍ଜନ, ଭୋଟ ଦେଲେନି ୧୫ ଶହରୁ ଊର୍ଦ୍ଧ୍ବ ଭୋଟର - BOYCOTT ELECTIONS Mayurbhanj

ଗ୍ରାମର ବଳଭଦ୍ରପୁରଠାରୁ ହରିପୁର ସ୍କୁଲ ଯାଏ ପ୍ରାୟ ତିନି କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇରହିଛି । ମାଟି ରାସ୍ତା ଯୋଗୁଁ ଏହି ଗାଁ ଭିତରକୁ ଆମ୍ବୁଲାନ୍ସ ଯିବା ଆସିବାରେ ଅସୁବିଧା ହୋଇଥାଏ । ଏହାରି ଭିତରେ ଗତ ଏପ୍ରିଲ 26 ତାରିଖ ଗ୍ରାମର ସୁରଭି ନାଥ ନାମକ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ଆସି ପହଞ୍ଚିଥିଲା । ମାତ୍ର ଗାଁ ଭିତରକୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଗର୍ଭବତୀଙ୍କ ପାଖରେ ପହଞ୍ଚି ପାରିନଥିଲା । ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ଶେଷରେ କିଛି ଉପାୟ ନପାଇ ଗ୍ରାମବାସୀଙ୍କ ସହଯୋଗରେ ଗର୍ଭାବତୀଙ୍କୁ ଏକ ଖଟିଆରେ ଶୁଆଇ କାନ୍ଧେଇ କାନ୍ଧେଇ ଆମ୍ବୁଲାନ୍ସ ପାଖକୁ ନେବାର ବ୍ୟବସ୍ଥା କରାଯାଇଥିଲା ।

ପ୍ରାୟ ଦୁଇ କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ମହିଳାଙ୍କୁ ସେଠାରୁ ଅନନ୍ତପୁର ମେଡିକାଲରେ ନେଇ ଭର୍ତ୍ତି କରାଯାଇଥିଲା । ଏହାପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ଗାଁରେ ଘଟିଥିବା ଯୋଗୁଁ ସେମାନଙ୍କ ଅଭିଯୋଗ ଓ ଦାବି ପରେ ଗତ ଏପ୍ରିଲ 20 ତାରିଖରେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ହେଲେ ପ୍ରଶାସନ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ଶେଷରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details