ଭୁବନେଶ୍ବର:ଗୃହରେବିଧାୟକଙ୍କ ଦରମା ବୃଦ୍ଧି କରିବା ପାଇଁ ଉଠିଲା ଦାବି । ନୂଆ କମିଟି ଗଠନ କଲେ ବାଚସ୍ପତି । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ କମିଟି ନୂଆ କମିଟି ଗଠନ କଲେ ବାଚସ୍ପତି ସୁରମା ପାଢ଼ୀ । ଏଥିରେ ଅଧ୍ୟକ୍ଷ ରହିବେ ବିଧାୟକ ଭାସ୍କର ମଢେଇ ରହିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ,ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ,ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠୀ ଆଦି ସଦସ୍ୟ ରହିଛନ୍ତି ।
ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଦାବି:
ସକାଳ ସମୟରେ ଶୂନ୍ୟକାଳରେ ଗୃହରେ ଏନେଇ ଆଲୋଚନା ହୋଇଥିଲା । ବିଧାୟକ ମାନଙ୍କର ଦରମା ଏବଂ ପୂର୍ବତନ ବିଧାୟକ ମାନଙ୍କର ପେନସନ ବୃଦ୍ଧି ପାଇଁ ଉଠିଲା ଦାବି ।ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ,"ବଜାର ଦରଦାମ କେତେ, ସ୍ବାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି ଅନୁଭବ କରିପାରୁଥିବେ ।ତେବେ ବର୍ତ୍ତମାନର ବିଧାୟକମାନଙ୍କ ଦରମା ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି କରାଯାଉ । ଏଥିପାଇଁ ପୂର୍ବରୁ ଏକ କମିଟି ମଧ୍ୟ ହୋଇଥିଲା । ଓଡ଼ିଶାରେ ବିଧାୟକମାନଙ୍କ ଦରମା କ୍ଷେତ୍ରରେ ଦେଶରେ 27 ନମ୍ବର ସ୍ଥାନରେ ଅଛି । ତେଣୁ ନୂଆ କମିଟି ଯଦି ଆବଶ୍ୟକ, ବାଚସ୍ପତି ନୂଆ କମିଟି କରି ଦରମା ଓ ପେନସନ ବୃଦ୍ଧି କରନ୍ତୁ । ବିଧାୟକ ମାନଙ୍କ ଦରମା 2 ଲକ୍ଷ 50 ହାଜର ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ 70 ହାଜର କରାଯାଉ । ସେହିପରି ବିଧାୟକ ଉନ୍ନୟନ ପାଣ୍ଠି 3 କୋଟି ଟଙ୍କା ଦିଆଯାଉଛି । କିନ୍ତୁ 3 କୋଟି ଟଙ୍କା ଯଥେଷ୍ଟ ନୁହେଁ, ଏହାକୁ 5 କୋଟି ଟଙ୍କା କରାଯାଉ ।"
ସେହିପରି ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକ ମାନଙ୍କ ପେନସନ ବୃଦ୍ଧି ସହ ବିଧାୟକ ଉନ୍ନୟନ ପାଣ୍ଠି ବୃଦ୍ଧି କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ ମଧ୍ୟ ଦାବି କଲେ । ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ଏହି ଦାବି ଗୁଡ଼ିକୁ ସମର୍ଥନ କଲେ । ନୂଆ କମିଟି ନକରି ପୁରୁଣା କମିଟିର ସୁପାରିଶ ଅନୁସାରେ କରନ୍ତୁ ବୋଲି କହିଥିଲେ ଭାସ୍କର ।