ବ୍ରହ୍ମପୁର:ପାଖେଇ ଆସୁଛିସାଧାରଣ ନିର୍ବାଚନ । ସଂଗଠନ ସୁଦୃଢ କରୁଛି ଭାରତୀୟ ଜନତା ପାର୍ଟି । ଆଜି ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବ୍ରହ୍ମପୁରରେ ଆନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଆଜିର କାର୍ଯ୍ୟକ୍ରମ ପରେ ଉତ୍ସାହିତ ହୋଇ ପଡ଼ିଛନ୍ତି ଦଳର ନେତା ଏବଂ କର୍ମୀ । ରାଜନାଥ ସିଂହ ପ୍ରଥମେ ଜୟ ଜଗନ୍ନାଥ ଏବଂ ମା' ବୁତୀ ଠାକୁରାଣୀଙ୍କ ନାଁ ନେଇ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ । ଏହି ଅବସରରେ ନେତା ଏବଂ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।
ରାଜନାଥ ସିଂହ କହିଛନ୍ତି, "ଦୁନିଆରେ ଭାରତ ଶକ୍ତି ବୃଦ୍ଧି ହୋଉଛି । ଅନ୍ତଃରାଷ୍ଟ୍ରୀୟ ମଞ୍ଚ ଅପେକ୍ଷା କରୁଛି ଭାରତ କ'ଣ କହୁଛି ତାହା ଦେଖିବାକୁ । ଦେଶରେ ଆଗାମୀ ୨୦୨୪ ନିର୍ବାଚନ ରେସରେ ବିଜେପି ୪୦୦ସିଟ୍ ବୃଦ୍ଧି ହେବ । ଦେଶରେ ରାଷ୍ଟ୍ରୀୟ ସୁରକ୍ଷା ବୃଦ୍ଧି କରି ଆତଙ୍କବାଦ, ଉଗ୍ରବାଦୀ ଏବଂ ନକ୍ସଲବାଦ କାର୍ଯ୍ୟକୁ ବହୁ ମାତ୍ରାରେ ଦମନ କରାଯାଇଛି । ଆଗାମୀ ତିନି ବର୍ଷରେ ଆମ ଦେଶ ଆର୍ଥିକ ବ୍ୟବସ୍ଥାରେ ବୃଦ୍ଧି ଘଟି ସାରା ବିଶ୍ୱରେ ୩ ନମ୍ବର ରହିବ । ଗାଁରେ ରହୁଥିବା ଗରୀବ ପରିବାରର କଥା ମୋଦୀ ସରକାର ଚିନ୍ତା କରୁଛନ୍ତି ।ପୂର୍ବରୁ ରହିଥିବା ସରକାର ସେମାନଙ୍କର ୧୦ବର୍ଷରେ ତିନି ଲକ୍ଷ କୋଟି ଟଙ୍କା ଓଡିଶାର ବିକାଶ ପାଇଁ ଦେଇଥିଲେ । ହେଲେ ବିଜେପି ସରକାର ଗତ ୯ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି ।"
ସେ ଆହୁରି ମଧ୍ୟ କହିଛନ୍ତି ," ୨୦୧୪ ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିବା ବେଳେ ଘୋଷଣାପତ୍ର ପ୍ରସ୍ତୁତ କରିବା ସମୟରେ ଅଯୋଧ୍ୟାରେ ଭବ୍ୟ ମନ୍ଦିର ପ୍ରତିଷ୍ଠା ରହିଥିଲା । ଏହାକୁ ବିରୋଧୀ ସମାଲୋଚନା କରିଥିଲ । ହେଲେ ତାହାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ରର ମୋଦୀ ସରକାରଙ୍କ ଦେଶ ବନାଇବା ପାଇଁ ଦଳ ରାଜନୀତି କରନ୍ତି । ଦେଶ ଆଜି ଚନ୍ଦ୍ରମାରେ ପହଞ୍ଚିବାର ସଫଳ ହୋଇଛି । ଏପରିକି ମିଶନ ମୋଡ଼ରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାର ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ୟୁକ୍ରେନରେ ପଢୁଥିବା ଭାରତୀୟ ବିଦ୍ୟାର୍ଥୀଙ୍କୁ ଉଦ୍ଧାର କରିବା ପାଇଁ ପୁଟିନଙ୍କ ସହ କଥା ହୋଇଥିଲେ । ଏବଂ ଯୁର୍ଦ୍ଧକୁ ସାଢେ ଚାରି ଘଣ୍ଟା ପାଇଁ ବନ୍ଦ କରିଥିଲେ ।"