ବିଜେଡିରେ ସାମିଲ ହେଲେ ଖ୍ୟାତନାମା ଯାତ୍ରା ଓ ମଞ୍ଚ କଳାକାର ଭୁବନେଶ୍ବର: ବିଜେଡିରେ ସାମିଲ ହୋଇଛନ୍ତି ଖ୍ୟାତନାମା ଯାତ୍ରା ଓ ମଞ୍ଚ କଳାକାର । ଓଡିଶା କଳାକାର ମହାସଂଘର ବହୁ ସଦସ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ପ୍ରଖ୍ୟାତ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା, ସୁବାସ ବେହେରା, ଚୈତନ୍ୟ ପାଇକ, ରମେଶ ଚନ୍ଦ୍ର ନାୟକ, ଶିବରାମ ପ୍ରଧାନ ଏବଂ ବିଭିନ୍ନ ଜିଲ୍ଲାର ଯାତ୍ରା କଳାକାର ଶଙ୍ଖ ଧରିଛନ୍ତି । ଶଙ୍ଖଭବନରେ ବରିଷ୍ଠ ବିଜେଡ଼ି ଉପସଭାପତି ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ ଓ ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ କଳାକାରମାନେ ବିଜେଡିରେ ଯୋଗ ଦେଇଛନ୍ତି ।
ଅଧିକ ପଢନ୍ତୁ- ପଦ୍ମ ଛାଡ଼ି ପୁଣି ଶଙ୍ଖ ଫୁଙ୍କିଲେ ଦୁର୍ଗା ମାଧବ, ସମର୍ଥକଙ୍କ ସହ କଲେ ଘର ବାହୁଡ଼ା
ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିରେ ଯୋଗ ଦେବାକୁ ସେମାନେ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିବା ପରେ ଦଳରେ ବିଧିବଦ୍ଧ ଯୋଗ ଦେଇଛନ୍ତି । ବିଜେଡ଼ିରେ ଯାତ୍ରା କଳାକାରଙ୍କ ଯୋଗଦାନ ଫଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ । ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ସଂସ୍କୃତିର ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି । ଓଡ଼ିଶା ସଂସ୍କୃତି ଓ କଳାର ମାଟି । ନବୀନ ବାବୁଙ୍କ ନେତୃତ୍ବ ଓ ସାଂସ୍କୃତିକ ଆଭିମୁଖ୍ୟ ଦେଖି ଏହି କଳାକାର ବିଜେଡିରେ ମିଶୁଛନ୍ତି ।
ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ବିଭିନ୍ନ ବର୍ଗର ଲୋକେ ବିଜେଡି ସାଂସ୍କୃତିକ ସାମ୍ମୁଖ୍ୟରେ ମିଶୁଛନ୍ତି । ଏହା ଓଡ଼ିଶାର କଳାକୁ ଆହୁରି ଆଗକୁ ନେବ ବୋଲି ଆଶା । ଓଡ଼ିଶାରେ କଳାକାର ଓ କଳାର ବିକାଶ କଥା କେହି ଚିନ୍ତା କରି ନଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖୀ, ଗରିବ, କଳାକାରଙ୍କ ଦୁଃଖ ହୃଦୟରୁ ଅନୁଭବ କଲେ । କେବଳ କଳାକାର ଭତ୍ତାରେ ରହିବେ ନାହିଁ ବୋଲି ରୋଜଗାର ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଆମ ପାଇଁ ନୂଆ ପର୍ବ ଓ ନୂଆ ଅଭିନୟ । ସମସ୍ତଙ୍କୁ ଉଚ୍ଚସ୍ତରକୁ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି ।
ଯାତ୍ରା ଅଭିନେତା ଦୈତାରୀ ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛୁ । କଳାକାରଙ୍କ ବିକାଶ ଓ ସ୍ବପ୍ନକୁ ସାକାର କରିବା ପାଇଁ ସର୍ବଦା କାର୍ଯ୍ୟ କରିଥାନ୍ତି ମୁଖ୍ୟମନ୍ତ୍ରୀ । ଆମେ ଆଗାମୀ ଦିନରେ ବିଜେଡ଼ି କିପରି ଆହୁରି ମଜଭୁତ ହେବ, ସେନେଇ ଆମ ସ୍ତରରେ କାର୍ଯ୍ୟ ଜାରି ରଖିବୁ ।
ଅଧିକ ପଢନ୍ତୁ- ବିଜେଡିରେ ସାମିଲ ହେଲେ ଜଟଣୀର ବିଜେପି ନେତା ଓ କର୍ମୀ
ବାପି ପଣ୍ଡା କହିଛନ୍ତି ଯେ, ଦଳର ଯୋଜନା ଓ ରାଜ୍ୟରେ ବିକାଶର ଧାରା ରହିଛି ତାହା ଜନସାଧାରଣଙ୍କ ପାଖରେ ନାଟକୀୟ ଛନ୍ଦରେ ପହଞ୍ଚାଇବୁ । 30 ଜିଲ୍ଲାରେ ଥିବା ଦୁସ୍ଥ କଳାକାର ଅଛନ୍ତି, ସେମାନଙ୍କ ବିକାଶ ଆମର ଲକ୍ଷ୍ୟ । କଳାକାରଙ୍କ ବିକାଶ ହେଲେ ଓଡ଼ିଶାର ବିକାଶ ହେବ ବୋଲି ଆମେ ବୁଝିପାରିଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ କଳା ପ୍ରେମୀ । ଆମେ ଦେଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଟିମ ବିଚାରକୁ ନେଇଛନ୍ତି । କଳାକାରଙ୍କ ବିକାଶ ଲାଗି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।
ଯାତ୍ରା କଳାକାର ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ଚନ୍ଦ୍ର ନାୟକ, ଶିବରାମ ପ୍ରଧାନ, ସୁବାସ ବେହେରା ଏବଂ ବିଭିନ୍ନ ଜିଲ୍ଲାର ଯାତ୍ରା କଳାକାରମାନଙ୍କ ମଧ୍ୟରେ ରତିକାନ୍ତ ପରିଡ଼ା, ଆଦିକନ୍ଦ ନାୟକ, ଶୁଭେନ୍ଦୁ ଲେଙ୍କା, ସଞ୍ଜୟ କୁମାର ଦାସ, ହୃଷିକେଶ ମିଶ୍ର, ଅସିତ କୁମାର ଜେନା, ମନୋଜ ବାରିକ, ହିରନ୍ୟା ବେହେରା, ବିଜୟ କୁମାର ବିଶ୍ବାଳ, ପ୍ରତାପ ରୁଦ୍ର ପାତ୍ର, ରାଜେନ୍ଦ୍ର କୁମାର ପତି, ତପନ ମଲ୍ଲିକ, ବ୍ରଜ ସୁନ୍ଦର ମଲ୍ଲିକ, ଶରତ ଚନ୍ଦ୍ର ସାହୁ, ଲିଙ୍ଗରାଜ ପାଣିଗ୍ରାହୀ, ପଲା ରାଜୁ ପବନ, ଅନିରୁଦ୍ଧ ପାଇକ, ଶଙ୍କର ପୋଢ଼, ସୌଭାଗ୍ୟ ହରିପାଲ, ପୁରଷୋତ୍ତମ ସଗରିଆ, ପୂର୍ଣିର୍ମା ଚତ୍ରିଆ, ତ୍ରିଶୂଳିଆ ବେହେରା, ଡେଜିରାଣୀ ସ୍ବାଇଁ । ଏମାନଙ୍କ ସହ ସାରା ରାଜ୍ୟରୁ ୩୫୦ରୁ ଊର୍ଦ୍ଧ୍ବ ଯାତ୍ରା କଳାକାର ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର