ଚେନ୍ନାଇ(ତାମିଲନାଡୁ): ଖୀପ୍ର ବେଗରେ ମାଡ଼ି ଆସୁଛି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସାମ୍ଭାବ୍ୟ ବାତ୍ୟା 'ଫେଙ୍ଗାଲ' । ଗଭୀର ଅବପାତରେ ପରିଣତ ହୋଇ ଏହା ବର୍ତ୍ତମାନ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ୬ ଘଣ୍ଟା ହେବ ୭ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ଏହା ନାଗପାଟିନମ ପୂର୍ବରେ 310 କିମି ଦୂରରେ ଘନୀଭୂତ ହୋଇଥିବା ବେଳେ ପୁଡୁଚେରୀର ପୂର୍ବ-ଦକ୍ଷିଣ-ପୂର୍ବରୁ 360 କିମି ଦୂରରେ ଓ ଚେନ୍ନାଇର ଦକ୍ଷିଣ-ପୂର୍ବ ଠାରୁ 400 କିମି ଦୂରରେ ଘନୀଭୂତ ହୋଇଛି ।
ନଭେମ୍ବର ୩୦ରେ ଲ୍ୟାଣ୍ଡଫଳ: IMD
ଗଭୀର ଅବପାତ ଆଜି ବାତ୍ୟାର ରୂପ ନେବା ପରେ ଆସନ୍ତାକାଲି (ଶନିବାର) ସକାଳେ ପୁଡୁଚେରୀ ନିକଟ କରାଇକାଲ୍ ଏବଂ ମହାବଳିପୁରମ୍ ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-IMD । ଏହାର ପ୍ରଭାବରେ ତାମିଲନାଡୁରେ ବର୍ଷା ଆରମ୍ଭ ହୋଇଯାଇଛି । ଧିରେ ଧିରେ ପବନର ବେଗ ମଧ୍ୟ ବଢୁଛି ।
ତାମିଲନାଡୁ-ପୁଡୁଚେରୀରେ ସ୍କୁଲ ଛୁଟି
ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ ତାମିଲନାଡୁରେ ତୁହାକୁ ତୁହା ବର୍ଷା ଜାରି ରହିଛି । ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ଚେନ୍ନାଇ, ତିରୁ ଭୁଲାର, କାଞ୍ଚିପୁରମ, ଭିଲୁପୁରମ ଓ କୁଡାଲୋର । ପୁଡୁଚେରୀରେ ମଧ୍ୟ ପ୍ରବଳ ବର୍ଷା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର କିଛି ଜିଲ୍ଲାରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି । ପୁଡୁଚେରୀ ସରକାର କେନ୍ଦ୍ରଶାସିତ ଅଞ୍ଚଳର କୋଡାଇକାନାଲ ଓ ଡିନଣ୍ଡୁଗୁଲରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ।