ଓଡିଶା

odisha

ETV Bharat / state

ପରିବା ବଜାରରେ ନିଆଁ ! ବାତ୍ୟା ପାଇଁ ହଠାତ୍‌ ବଢ଼ିଗଲା ଦର, ବାପରେ କି ରେଟ୍‌

ସମ୍ଭାବ୍ୟ ବାତ୍ୟା ପାଇଁ ପରିବା ମାର୍କେଟରେ ନିଆଁ । ବାତ୍ୟା ଭୟକୁ ପରିବା ଚିନ୍ତା । ସବୁ ପରିବା କିଲୋ ପିଛା ୨୦ରୁ ୩୦ ଟଙ୍କା ବୃଦ୍ଧି ।

Vegetable Prices Skyrocket
Vegetable Prices Skyrocket (ETV Bharat Odisha)

By ETV Bharat Odisha Team

Published : 4 hours ago

କଟକ/ଭୁବନେଶ୍ବର: ବାତ୍ୟା ନାଁ ଶୁଣି ପରିବା ମାର୍କେଟରେ ନିଆଁ । ବାତ୍ୟାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଥିବା ବେଳେ ଚିନ୍ତା ବଢ଼ାଇଛି ପରିବା ଦର । ବତ୍ୟା ହେଲେ କାଳେ ପରିବା ନମିଳିବ ସେଥିପାଇଁ ପରିବା ବଜାରେ ନାହିଁ ନଥିବା ଭିଡ଼ । ଏଣେ ଖାଉଟିଙ୍କ ଚାହିଦାକୁ ଦେଖି ପରିବା ଦର ବୃଦ୍ଧି କରୁଛନ୍ତି ବେପାରୀ । ପ୍ରତ୍ୟେକ ପରିବାକୁ ୧୦ରୁ ୨୦ ଟଙ୍କା ଚଢା ଦରରେ ବିକ୍ରି ହେଉଥିବା କହିଛନ୍ତି ଗ୍ରାହକ । ସେପଟେ ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ବାତ୍ୟା ଭୟକୁ ପରିବା ଚିନ୍ତା:

ସମ୍ଭାବ୍ୟ ବାତ୍ୟା 'ଦାନା'କୁ ନେଇ ଭୟଭିତ ଲୋକ । ଏଣେ ପରିବା ବଜାରରେ ଦରଦାମ ବାତ୍ୟା । ଯେଉଁ ପରିବା ଦର ଗତ ୩ ଦିନ ପୂର୍ବରୁ ସ୍ବଭାବିକ ସ୍ଥିତିରେ ଥିଲା ଆଜି ତାହା ଆକାଶ ଛୁଆଁ । ପ୍ରତ୍ୟେକ ପରିବା ଦର ୧୦ରୁ ୨୦ ଟଙ୍କା ଚଢା ଦରରେ ବିକ୍ରୟ କରୁଛନ୍ତି ଅସାଧୁ ବ୍ୟବସାୟୀ । କଟକର ସବୁଠାରୁ ବଡ଼ ପରିବା ମଣ୍ଡିରେ ପରିବା ଦରକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଆଉ ଆଳୁ ପିଆଜ ଦର କଥା ନ କହିବା ଭଲ । ସ୍ଥିତି ଏମିତିକି ଜଣେ ସାଧାରଣ ଲୋକଟିଏ ପରିବା କିଣି ଘର ଚଳାଇବା କଷ୍ଟ ହୋଇପଡିଛି । କାର୍ତ୍ତିକ ମାସରେ ସାଧାରଣତଃ ପରିବା ଦର ସାମାନ୍ୟ ଉଚ୍ଚା ରହିଥାଏ । ଏକଥା ସମସ୍ତେ ଜାଣନ୍ତି । କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଯେଉଁ ଉଚ୍ଚା ରହିଥାଏ ତାହା କାର୍ତ୍ତିକ ଶେଷ ପର୍ଯ୍ୟନ୍ତ ଥାଏ । ମାତ୍ର ସମ୍ଭାବ୍ୟ ବାତ୍ୟା ପାଇଁ ପରିବା ଦର ହଠାତ ବୃଦ୍ଧିକୁ ନେଇ ଗ୍ରାହକଙ୍କର ଚିନ୍ତା ବଢି ଯାଇଛି । ବାତ୍ୟା ଚିନ୍ତା ଠାରୁ ବଳି ପଡ଼ିଲାଣି ପରିବା ଦର ।

Government Warns Of Black Marketing (ETV Bharat Odisha)



ଆକାଶଛୁଆଁ ଦର:

Vegetable Prices Skyrocket (ETV Bharat Odisha)

ଗତ ୩ ଦିନ ପୂର୍ବରୁ ବିଲାତି ଦର କିଲୋପ୍ରତି ୫୦ରୁ ୬୦ ଟଙ୍କା ଦରରେ ବିକ୍ରୟ ହେଉଥିଲା । ମାତ୍ର ଆଜି ତାହା ବୃଦ୍ଧି ୭୦ରୁ ୮୦ ଆଉ କେଉଁଠି କିଲୋପ୍ରତି ୧୦୦ ଟଙ୍କା ଦରରେ ବିକ୍ରୟ ହେଉଛି । ସେହିପରି ବାଇଗଣ ଦର ମଧ୍ୟ ୩ ଦିନ ପୂର୍ବରୁ ୫୦ରୁ ୬୦ ଟଙ୍କାରେ ବିକ୍ରୟ ହେଉଥିଲା । ଆଜି ତାହା ବୃଦ୍ଧି ୭୦ରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି । ପୋଟଳ ଦର ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ପୋଟଳ ଦର କିଲୋପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରୟ ହେଉଥିଲା । ମାତ୍ର ଆଜି ତାହା ୭୦ରୁ ୮୦ ଟଙ୍କାରେ ବିକ୍ରୟ ହେଉଛି । ବିନ୍ସ ଦର କଥା ବି ସମାନ । ପୂର୍ବରୁ ଦର କିଲୋପ୍ରତି ୭୦ ଟଙ୍କାରେ ବିକ୍ରୟ ହେଉଥିଲା ହେଲେ ଆଜି ତାହା କିଲୋପ୍ରତି କେଉଁଠି ୯୦ ଟଙ୍କା ତ ଆଉ କେଉଁଠି ୧୦୦ ଟଙ୍କା ଦରରେ ବିକ୍ରୟ ହେଉଛି । ଭେଣ୍ଡି କିଲୋପ୍ରତି ୫୦ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ଆଜି ବୃଦ୍ଧି ପାଇ କେଉଁଠି ୬୦ ତ ଆଉ କେଉଁଠି ୭୦ ଟଙ୍କାରେ ବିକ୍ରି ହେଉଛି । ଜହ୍ନି ଦର ବି ବୃଦ୍ଧି ପାଇଛି । ଯାହା ପୂର୍ବେ କିଲୋପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିଲା ଆଜି ତାହା କିଲୋପ୍ରତି ୬୦ ଟଙ୍କାରେ ବିକ୍ରୟ ହେଉଛି ।

Vegetable Prices Skyrocket (ETV Bharat Odisha)

ନଜର ପକାନ୍ତୁ କ'ଣ ରହିଛି ପନିପରିବା ଦର:

ପନିପରିବା କିଲୋପ୍ରତି ଦର

  • ଟମାଟ:୭୦ରୁ ୮୦ ଟଙ୍କା
  • ବାଇଗଣ: ୭୦ରୁ ୮୦ ଟଙ୍କା
  • ପୋଟଳ: ୭୦ରୁ ୮୦ ଟଙ୍କା
  • ବିନ୍ସ: ୯୦ରୁ ୧୦୦ ଟଙ୍କା
  • ଭେଣ୍ଡି: ୬୦ରୁ ୭୦ ଟଙ୍କା
  • ଜହ୍ନି: ୬୦ ଟଙ୍କା
  • ଆଳୁ: ୪୦ରୁ ୫୦ ଟଙ୍କା
  • ପିଆଜ: ୬୦ରୁ ୭୦ ଟଙ୍କା

ଛୁଇଁ ହେଉନି ଆଳୁ ଓ ପିଆଜ !:

Vegetable Prices Skyrocket (ETV Bharat Odisha)

ପରିବା ଦର ବୃଦ୍ଧିକୁ ନେଇ ଖାଉଟି ଯେତିକି ଚିନ୍ତା ପ୍ରକଟ କରି ନାହାଁନ୍ତି, ଆଳୁ ପିଆଜ ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମୁଣ୍ଡରେ ଚଡକ ପଡି ଯାଇଛି । କାରଣ ଜଣେ ସାଧାରଣ ଲୋକଟିଏ କିଛି ନହେଲେ ବି ଆଳୁ ପିଆଜରେ ପରିବାର ଚଳାଇ ଦେବ । ୩ ଦିନ ପୂର୍ବରୁ ଆଳୁ ଦର ସ୍ବଭାବିକ ଥିଲା । ଆଳୁ କିଲୋପ୍ରତି ୨୮ରୁ ୩୦ ଟଙ୍କା ଦରରେ ବିକ୍ରୟ ହେଉଥିଲା । ମାତ୍ର ଆଜି ତାହା କେଉଁଠି ୪୦ ଟଙ୍କା ତ ଆଉ କେଉଁଠି ୫୦ ଟଙ୍କା ଦରରେ ବିକ୍ରୟ ହେଉଛି । ଯଦିଓ ସବୁ ଵ୍ୟଵସାୟୀମାନେ ଏହି ଦର ବୃଦ୍ଧି କରି ନାହାନ୍ତି । ମାତ୍ର କିଛି କିଛି ଵ୍ୟଵସାୟୀ ଏପରି ଅସାଧୁ ଉପାୟରେ ଖାଉଟିଙ୍କୁ ଲୁଟୁଛନ୍ତି । ଵ୍ୟଵସାୟୀଙ୍କ କହିବା ଅନୁସାରେ ବଜାରରେ ଆଳୁ ପିଆଜ ଅଭାବ ଥିବାରୁ ଏପରି ଦର ବୃଦ୍ଧି ପାଇଛି । ବଜାରକୁ ଯେତିକି ଆଳୁ ପିଆଜ ଗାଡି ଆସିବା କଥା ସେତିକି ନଆସିବାରୁ ଏପରି ଦର ବୃଦ୍ଧି ପାଉଛି ।

କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ:

Vegetable Prices Skyrocket (ETV Bharat Odisha)

ସେପଟେ କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚେତାବନୀ । ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କରିଛନ୍ତି ମନ୍ତ୍ରୀ । ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ରଖିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ବାତ୍ୟା ପାଇଁ ଯେପରି କଳାବଜାରୀ ନହୁଏ, ସେଥିପାଇଁ ନଜର ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯିଏ ବି କଳାବଜାରୀ କରିବ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାତ୍ୟା ସମୟରେ ସରକାରକୁ ସାହାଯ୍ୟ କରିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଚଢା ଦରରେ ବିକ୍ରି ନକରିବା ପାଇଁ କହିଛନ୍ତି ଯୋଗାଣ ମନ୍ତ୍ରୀ ।

Vegetable Prices Skyrocket (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଦାନା ପାଣି ବୁଡ଼ାଇବ ବାତ୍ୟା 'ଦାନା' ! ଚିନ୍ତାରେ ନିଆଳି ଧାନ ଓ ପାନ ଚାଷୀ

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ‘ଦାନା’ରେ ଜିରୋ କାଜୁଆଲଟି ଲକ୍ଷ୍ୟରେ ଓଡ଼ିଶା ସରକାର, ୭୫୦ ରିଲିଫ ସେଣ୍ଟର-ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ମୁକାବିଲା ପ୍ରସ୍ତୁତି; ସଜାଗ ରହିବାକୁ ନିର୍ଦ୍ଦେଶ, କଳାବଜାରୀଙ୍କୁ ସତର୍କବାଣୀ

ଆଜି ବ୍ୟବସାୟୀଙ୍କ ସହ ବୈଠକ:

Vegetable Prices Skyrocket (ETV Bharat Odisha)

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ରାଜ୍ଯରେ ପର୍ଯ୍ୟାପ୍ତ ପରିଣାମରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଲେକମାନେ ଅଯଥା ଭୟଭିତ ହୁଅନ୍ତୁ ନାହିଁ । ଆଜି ବ୍ୟବସାୟୀଙ୍କ ସହ ବୈଠକ କରାଯିବ । ସରକାରଙ୍କୁ ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରାଯିବ । ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହଜୁଦକାରୀଙ୍କୁ ହୋଡିଂ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ଯଦି କେହି ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବେ କି ଲୋକଙ୍କୁ ହଇରାଣ କରିବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କାଲି ଚଢ଼ାଉ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ବି କିଛି ଜାଗାରେ ଚଢ଼ାଉ ହୋଇଛି । ଏହି ପରିସ୍ଥିତିର ଅନାବଶ୍ୟକ ଫାଇଦା ଉଠାଇବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ ।"

Vegetable Prices Skyrocket (ETV Bharat Odisha)
Vegetable Prices Skyrocket (ETV Bharat Odisha)

ଇଟିଭି ଭାରତ, କଟକ/ ଭୁବନେଶ୍ବର

ABOUT THE AUTHOR

...view details