ଭୁବନେଶ୍ବର:ରାମ ଭକ୍ତଙ୍କ ଭାବନା ସହ ଖେଳ । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଠକାମିର ଜାଲ ବିଛାଇଛନ୍ତି ସାଇବର ଲୁଟେରା । ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ମାଗୁଛନ୍ତି ଟଙ୍କା। ଅନଲାଇନରେ ଭଗବାନଙ୍କ ପ୍ରସାଦ ଅର୍ଡର କରିବା କହି ଟଙ୍କା ଲୁଟିଛନ୍ତି ଠକ । ଏପରିକି ଅଜଣା ଲିଙ୍କ ପଠାଇ ଏହାକୁ ସେୟାର କଲେ କୁପନ ମିଳିବ ବୋଲି କହୁଛନ୍ତି । ଅନେକ ଲୋକ ଏହାକୁ ବିଶ୍ବାସ କରି ସାଇବର ଠକେଇର ଶିକାର ମଧ୍ୟ ହୋଇଛନ୍ତି । ଠକାମିରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ ।
ସାଇବର ଏକ୍ସପର୍ଟ କହିଛନ୍ତି , '' ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହେଲା । ସେହି ଅନୁସାରେ ସାଇବର ଠକ ମଧ୍ୟ ସଜାଗ ହୋଇଗଲେ । ବିଭିନ୍ନ ତରିକା ଆପଣାଇ ସାଇବର ଠକମାନେ ଠକାମିର ଜାଲ ବିଛାଇଛନ୍ତି । ଲୋକଙ୍କ ପାଖକୁ ମେସେଜ ଆସୁଛି ଆମେ ଆପଣଙ୍କୁ ମନ୍ଦିରକୁ ପ୍ରସାଦ ଯୋଗାଇବୁ ଦିଆଯାଇଥିବା ଲିଙ୍କରେ ପଇସା ପଠାନ୍ତୁ । କିନ୍ତୁ ପଇସା ଦେଲା ପରେ ସେମାନେ ଗାଏବ ହୋଇଯାଉଛି ଓ କିଛି ପ୍ରସାଦ ଆସିବନି । ଏହା ହେଉଛି ଏକ ପ୍ରକାର ଠକେଇ । ଦ୍ବିତୀୟରେ ଠକମାନେ ଲୋକଙ୍କ ପାଖକୁ କ୍ୟୁଆର କୋଡ ପଠାଉଛନ୍ତି । ଯେଉଁଥିରେ ଲେଖା ହୋଇଛି ମନ୍ଦିର ପାଇଁ ଡୋନେସନ ଦିଅନ୍ତୁ । ତୃତୀୟରେ ରାମ ମନ୍ଦିର ପାଇଁ କିଛି ଗୋଟେ ଆପ୍ ଡାଉନଲୋଡ ପାଇଁ ଲୋକଙ୍କୁ ଲିଙ୍କ ପଠାଇଥାନ୍ତି ଠକ । ଏହି ଲିଙ୍କରେ କ୍ଲିକ କଲେ ଫୋନ ହ୍ୟାକ ହୋଇଯିବ । ସେହିପରି ଆଉ ଏକ ଲିଙ୍କ ପଠାଇ ମୋଦି ଓ ଯୋଗୀ 600ରୁ 700 ଟଙ୍କା ଭାଉଚର ଦେଉଥିବା କହୁଛନ୍ତି ସାଇବର ଠକ । ଏହାକୁ ଅନ୍ୟକୁ ପଠାଇବାକୁ କହି ଆପଣଙ୍କ ଡାଟା ମଧ୍ୟ ନେଇଯିବେ । ତେଣୁ ଏପରି କଲ ବା ମେସେଜ ଆସୁଥିଲେ ଦୂରେଇ ରୁହନ୍ତୁ । ''