କଟକ:ବଢି ପାଣିକୁ ଡେଇଁ ଜୀବନ ହାରିବା ଉଦ୍ୟମ । ରାତିରେ ନିଖୋଜ । ଦିନରେ ଥାନାରେ ହାଜର । ଏଭଳି କିଛି ରୋଚକ ଦୃଶ୍ୟ କଟକ ପୁରୀଘାଟ ଥାନା ଅଞ୍ଚଳରେ ଆଜି ଦେଖିବକୁ ମିଳିଛି । ଗତକାଲି ସନ୍ଧ୍ୟାରେ କାଠଯୋଡି ନଦୀକୁ ଡେଇଁ ଜୀବନ ହାରିବା ଉଦ୍ୟମ କରିଥିବା କୃଷ୍ଣ ମୂଦୁଲି ଏବଂ ବର୍ଷା ଲେଙ୍କା, ଆଜି ଆଶ୍ଚର୍ଯ୍ୟଜନକ ଭାବେ ଆସି କଟକ ପୁରୀଘାଟ ଥାନାରେ ପହଞ୍ଚିଛନ୍ତି । ତେବେ ଜୀବନ ହାରିବା ଉଦ୍ୟମ ପଛର ନିର୍ଦ୍ଧିଷ୍ଟ କାରଣ କ'ଣ ତାହା ନକହି,ସେମାନଙ୍କର କିଛି ସମସ୍ୟା ଥିବା କାରଣରୁ ଏଭଳି ପଦକ୍ଷେପ ନେଇଥିଲେ ବୋଲି କହିଛନ୍ତି କୃଷ୍ଣ । ତେଣେ ପାରିପାର୍ଶ୍ବିକ ଅବସ୍ଥାକୁ ଦେଖି ସନ୍ଦେହ ପ୍ରକାଟ କରିଛନ୍ତି ଅଗ୍ନିଶମ ବାହିନୀର ଅଧିକାରୀ । କାଠଯୋଡି ନଦୀରେ ୨ ଜଣ ବ୍ୟକ୍ତି କେମିତି ରାତିରେ ବଞ୍ଚିକି ଫେରିଲେ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତ୍ରିଶୂଳିଆ ନେତାଜୀ ସୁବାଷ ସେତୁରୁ ଗତକଲି କାଠଯୋଡିକୁ ଡେଇଁ ପଡିଥିଲେ ଉଭୟେ । କଟକରର କୃଷ୍ଣ ମୂଦୁଲି ଏବଂ ତାଙ୍କ ଶଳା ଭାଉଜ ବର୍ଷା ଲେଙ୍କା ଉଭୟଙ୍କୁ ଖୋଜିବା ପାଇଁ ଗତ ରାତିରୁ ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ ଚଳାଇଥିଲା । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଆଜି ସକାଳୁ ଉଭୟେ ବର୍ଷା ଏବଂ କୃଷ୍ଣ ଆସି କଟକ ପୁରୀଘାଟ ଥାନାରେ ପହଞ୍ଚିଥିଲେ । ଯେହେତୁ ଉଭୟେ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ,ତେଣୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ପୋଲିସ ଉଭୟେଙ୍କୁ ସିଟି ହସ୍ପିଟାଲକୁ ପଠାଇଥିଲା ।