ନିଆଳି: ଚାକିରି ଛାଡି ରାଜନୀତିକୁ ଆସିଥିଲେ । ନିର୍ବାଚନ ଜିତି ଜନପ୍ରତିନିଧି ମଧ୍ୟ ହେଲେ । କିନ୍ତୁ ପିଲାଟି ଦିନରୁ ସମାଜ ପ୍ରତି ଥିଲା ସମ୍ବେଦନଶୀଳତା । ଆବଶ୍ୟକ ସମୟରେ ନିଜ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କରିବା ହେଉ, କିମ୍ବା ପରିବେଶ ପ୍ରତି ସଚେତନତା, ବୃକ୍ଷ ରୋପଣ ଓ ପୁଣି ନିୟମିତ ରକ୍ତଦାନ । ଜଣେ କାର୍ଯ୍ୟରତ ସରପଞ୍ଚ ସାଙ୍ଗକୁ ତାଙ୍କର ଏପରି ସମାଜସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ତାଙ୍କୁ ଚର୍ଚ୍ଚାକୁ ଆଣିବା ସହ ଯୁବପିଢି ପାଇଁ ପ୍ରେରଣା ସଜାଇଛି । 44 ବର୍ଷ ବୟସରେ ଏବେ ପର୍ଯ୍ୟନ୍ତ ସେ ପ୍ରାୟ 60 ଥର ରକ୍ତଦାନ କରିସାରିଲେଣି । ଏମିତି ଜଣେ ଯୁବ ରାଜନେତା ଓ ସମାଜସେବୀ ହେଉଛନ୍ତି, କଟକ ଜିଲ୍ଲାବ୍ରାହ୍ମଣବାଟି ପଞ୍ଚାୟତର ସରପଞ୍ଚ ସଞ୍ଜୟ କୁମାର ରାଉତରାୟ ।
- ସଞ୍ଜୟଙ୍କ ବିଷୟରେ...
କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତର ଭିକାରୀ ଚରଣ ରାଉତଙ୍କ ତିନି ପୁଅଙ୍କ ମଧ୍ୟରୁ ସଞ୍ଜୟ ହେଉଛନ୍ତି ବଡ । ପିଲାଟି ଦିନରୁ ସଞ୍ଜୟ ସମାଜସେବା ସେବା ପ୍ରତି ସେ ଆକୃଷ୍ଟ ହୋଇଥିଲେ । ପରବର୍ତ୍ତୀ ସମୟ କ୍ରମେ ଚାକିରି ଛାଡି ସକ୍ରିୟ ରାଜନୀତିରେ ଯୋଗ ଦେଲେ । ନିର୍ବାଚନ ଜିତି ସରପଞ୍ଚ ଭାବେ ଜନ ପ୍ରତିନିଧି ମଧ୍ୟ ହେଲେ । ନିଜ ଅଞ୍ଚଳରେ କୌଣସି ଗରିବ ଲୋକଙ୍କ ଦେହ ଅସୁସ୍ଥ ହେଲେ ସଞ୍ଜୟଙ୍କ ଆଖିରୁ ସତେ ଯେମିତି ନିଦ ହଜିଯାଏ । 44 ବର୍ଷୀୟ ସଞ୍ଜୟ ବର୍ତ୍ତମାନ ସୁଦ୍ଧା ୬୦ ଥର ରକ୍ତଦାନ କରିସାରିଲେଣି । କେବଳ ସଞ୍ଜୟ ନୁହନ୍ତି ବରଂ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଧର୍ମପତ୍ନୀ ସ୍ବାଗତିକା ରାଉତରାୟ ମଧ୍ୟ ୬ ଥର ରକ୍ତଦାନ କରିସାରିଲେଣି ।
- ଚାକିରି ଛାଡି ସମାଜସେବା କଲେ ସଞ୍ଜୟ :
‘ଇଟିଭି ଭାରତ’ ସମ୍ବାଦଦାତା ଉମେଶ ଚନ୍ଦ୍ର ମଲ୍ଲିକ ସାକ୍ଷାତକାର ନେବା ସମୟରେ ସଞ୍ଜୟ କହିଛନ୍ତି," ୨୨ ବର୍ଷ ବୟସରୁ ସମାଜସେବା କ୍ଷେତ୍ରକୁ ଟାଣି ହୋଇଆସିଥିଲି । ପିଜି ପରେ ମେଡିସିନ କମ୍ପାନୀର ମ୍ଯାନେଜର ଭାବରେ କାର୍ଯ୍ୟ କରୁଥିଲି । ଚାକିରି ଛାଡି ଗାଁ ଗହଳିରେ ରହି ଲୋକମାନଙ୍କ ସେବା କରିବା ମୋର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।" ଲୋକଙ୍କ ସେବା ସହିତ ୬୦ ଥର ରକ୍ତଦାନ କରି ସଞ୍ଜୟ ଏବେ ଚର୍ଚ୍ଚାରେ । ଲୋକଙ୍କ ସେବା ସହିତ ସମାଜ ପାଇଁ ମଧ୍ୟ ସଞ୍ଜୟଙ୍କ ଯଥେଷ୍ଟ ଭୂମିକା ରହିଛି । ଉତ୍ତମ ପରିବେଶ ପାଇଁ ପ୍ରତିବର୍ଷ ବୃକ୍ଷରୋପଣ କରିଛନ୍ତି ସେ । ନିଜ ଅଞ୍ଚଳର କାହାରି ଦେହ ଖରାପ ହେଲେ ନିଜ ଉଦ୍ୟମରେ ମେଡିକାଲ ନେଇ ଚିକିତ୍ସା କରିଥାନ୍ତି ବୋଲି କହିଛନ୍ତି ସଞ୍ଜୟ । ସମାଜ ପାଇଁ କିଛି କରିବାର ନିଶା ରଖି ଆଜି ସମାଜସେବା ସହିତ ରକ୍ତଦାନ, ବୃକ୍ଷ ରୋପଣ ଏବଂ ୨୦୨୨ ମସିହାରେ ବ୍ରାହ୍ମାଣବାଟି ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ନିର୍ବାଚିତ ହୋଇ ଏବେ ସରପଞ୍ଚ ଦାୟିତ୍ୱ ତୁଲାଉଛନ୍ତି । କଣ୍ଟାପଡ଼ା ବ୍ଲକ ସରପଞ୍ଚ ସଂଘର ସଭାପତି ମଧ୍ୟ ଦାୟିତ୍ବ ତୁଲାଇଥିବା କଥା କହିଛନ୍ତି ସଞ୍ଜୟ । ଆଗକୁ ସମାଜ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି ମଧ୍ୟ କହିଛନ୍ତି ।