ଖୋର୍ଦ୍ଧା : ବର୍ଷା ଅଜାଡ଼ିଲା, ଫସଲ ଉଜୁଡିଲା । ଏପରି ପରିସ୍ଥିତି ଚାଷୀକୁଳକୁ ଚିନ୍ତାରେ ପକାଇଛି । ବର୍ଷକର ଅମଳ ଫସଲ ଆଖି ଆଗରେ ଗଜା ହୋଇ ନଷ୍ଟ ହୋଇଯିବାକୁ ବସିଛି । ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ଚାଷୀ ।
Crop Damage (ETV Bharat Odisha) ବର୍ଷା ବଢାଇଲା ଚାଷୀର ଚିନ୍ତା:
ଚଳିତ ବର୍ଷ ଖରିଫ ଧାନ ଫସଲ ଭଲ ହୋଇଥିବାବେଳେ ଚାଷୀ ମନରେ ଆନନ୍ଦ ଲହରୀ ଖେଳିଥିଲା । ଧାନ କାଟି ସୁରକ୍ଷିତ ଭାବରେ ଗଦା କରି କ୍ଷେତରେ ରଖିଥିଲା ଚାଷୀ । ବିଲରେ ଚାଷ କରି ରବି ଫସଲ ପାଇଁ ମୁଗ ବିରି ବୁଣିଥିଲା । କିନ୍ତୁ ଅଦିନିଆ ବର୍ଷା ଯୋଗୁ ଚାଷୀର ସବୁ ସ୍ବପ୍ନରେ ପାଣି ପଶିଛି । ପୌଷ ମାସରେ ଧାରା ଶ୍ରାବଣ ଭଳି ବର୍ଷା ହୋଇ ଚାଷୀର ବର୍ଷକ ଆହାର ଉଜାଡି ଦେଇଛି । ଯାହାକୁ ନେଇ ଏବେ ସରକାରୀ ସହାୟତା ପାଇଁ ଚାଷୀ ଆକୁଳ ନିବେଦନ କରିଛି । ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ଭଲ ଖରିଫ ଧାନ ଫସଲ ହୋଇଥିବାବେଳେ ମଣ୍ଡିରେ ଧାନ ଦରକୁ ନୂଆ ସରକାର ବୃଦ୍ଧି କରିଛନ୍ତି । ଯାହାକୁ ନେଇ ଚାଷୀ ମନରେ ଉତ୍ସାହ ଖେଳିଥିଲା। ଯାହା ଫଳରେ ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ କରି ଭଲ ଦିପଇସା ପାଇବ ବୋଲି ଆଶା ରଖିଥିଲା । କିନ୍ତୁ ଚାଷୀକୂଳର ସବୁ ଆଶା ଆଶାରେ ରହିଗଲା ।
Crop Damage (ETV Bharat Odisha) ଫସଲ ନଷ୍ଟ, ସହାୟତା ଆଶାରେ ଚାଷୀ:
ଚାଷୀ ତା ଫସଲକୁ ଠିକ ସମୟରେ ସୁରକ୍ଷିତ ସ୍ଥାନରେ ରଖିପାରିଲାନି । କେଉଁଠି କ୍ଷେତରେ ପଡିଥିବା ସୁନା ଫସଲ ଉପରେ ପାଣି ଚାଲୁଛି ତ ଆଉ କେଉଁଠି ଗଦା ହୋଇଥିବା ଧାନ ପାଣିରେ ବୁଡିଛି । ଯାହାଫଳରେ ଗଦା ହୋଇଥିବା ଧାନ ଫସଲରୁ ଗଜା ବାହାରିଲାଣି । କିଛି ଯାଗାରେ ଚାଷ ହୋଇଥିବା ରବି ଫସଲ ମୁଗ, ବିରି ଉପରେ ପାଣି ଜମା ହୋଇ ତାହା ନଷ୍ଟ ହୋଇଗଲାଣି । ଚାଷୀ ଆଜି ମୁଣ୍ଡରେ ହାତ ଦେଇ ସରକାରୀ ସହାୟତା ପାଇବା ପାଇଁ ଆକୁଳ ନିବେଦନ କରିଛି । ତୁରନ୍ତ ପ୍ରଶାସନ ଅଧିକାରୀ ଚାଷୀକୂଳକୁ ସହାୟତା ଯୋଗାଇ ଦେବାକୁ ଚାଷୀକୂଳ ନିବେଦନ କରିଛନ୍ତି । ଜଣେ ଚାଷୀ ଅନାଦି ବାରିକ କହିଛନ୍ତି, "ଧାନ ମୁଗ ସବୁରେ ପାଣି ପଶି ନଷ୍ଟ ହୋଇଯାଇଛି । ପ୍ରଶାସନ ଯଦି ସହାୟତା କରିବ, ନହେଲେ ଆମ ପାଖରେ ଆଉ କୌଣସି ରାସ୍ତା ନାହିଁ ।" ସେପଟେ ଅନ୍ୟ ଜଣେ ଚାଷୀ ଜନ୍ମେଜୟ ପଣ୍ଡା କହିଛନ୍ତି, ଏ ବର୍ଷ ଭଲ ଫସଲ ହୋଇଥିଲା । ହେଲେ ବର୍ଷା ପାଇଁ ସବୁ ନଷ୍ଟ ହୋଇଗଲା । ସରକାର ଯଦି ସହାୟତା ନକରନ୍ତି କେତେ ଯେ ଚାଷୀ ଜୀବନ ହାରିବେ ତାହା କହିହେବନାହିଁ ।"
Crop Damage (ETV Bharat Odisha) କ୍ଷୟକ୍ଷତି ଅବଗତ କରାଇବାକୁ ଜିଲ୍ଲାପାଳଙ୍କ ପରାମର୍ଶ:
ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଚାଷୀମାନଙ୍କ ସମସ୍ଯା ଶୁଣିଛନ୍ତି । ଜିଲ୍ଲାପାଳ କହିଛନ୍ତି," ସହାୟତା ପାଇବା ପାଇଁ 14447 ନମ୍ବରରେ ଫୋନ କରି କିମ୍ବାରକ୍ଷକ କୃଷି ଆପ୍ ମାଧ୍ୟମରେ କ୍ଷୟକ୍ଷତି ବିଷୟରେ ଅବଗତ କରାନ୍ତୁ । ଲଗାଣ ବର୍ଷା ଫଳରେ ଜିଲ୍ଲାରେ ଖୋଲିବାକୁ ଥିବା ମଣ୍ଡି ତାରିଖକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି।"
ଇଟିଭି ଭାରତ, ଖୋର୍ଦ୍ଧା