ଗଜପତି: ଜିଲ୍ଲାରେ ଏଯାଏଁ ଖୋଲିନାହିଁ ମକା ମଣ୍ଡି । ଫଳରେ ଚାଷୀମାନେ ଅଭାବି ବିକ୍ରିର ଶିକାର ହେଉଛନ୍ତି । ସାହୁକାରମାନେ ଶାଗମାଛ ଦରରେ ମକା କିଣି ନେଇ ମାଲେମାଲ୍ ହେଉଥିବା ବେଳେ ଚାଷୀ କିନ୍ତୁ କ୍ଷତିରେ ପଡୁଛି । ଅନ୍ୟପଟେ ଜିଲ୍ଲାରେ ମକା ମଣ୍ଡି ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ଜିଲ୍ଲାରେ ୧୧ହଜାର ହେକ୍ଟର ଅଞ୍ଚଳରେ ମକା ଚାଷ:
ଗଜପତି ଜିଲ୍ଲାରେ ମକା ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଧାନ ଚାଷ ହେଉନଥିବାରୁ ସେଠାକାର ଚାଷୀମାନେ ବିଶେଷକରି ମକା ଉପରେ ନିର୍ଭରଶୀଳ । ରା.ଉଦୟଗିରି, ମୋହନା ଏବଂ ନୂଆଗଡ ବ୍ଲକରେ ମକା ଚାଷ ବ୍ୟାପକ ପରିମାଣରେ କରାଯାଉଛି । ଚଳିତ ବର୍ଷ ଜିଲ୍ଲାର ପ୍ରାୟ ୧୧ ହଜାର ହେକ୍ଟର ଅଞ୍ଚଳରେ ମକା ଚାଷ କରାଯାଇଛି ।
ଜିଲ୍ଲାରେ ମକାର ଅଭାବି ବିକ୍ରୀ:
ଜିଲ୍ଲାରେ ହଜାର ହଜାର ହେକ୍ଟର ଜମିରେ ମକା ଚାଷ କରାଯାଉଥିଲେ ମଧ୍ୟ ଏହାକୁ ବିକ୍ରି କରିବାର କୌଣସି ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ସରକାରୀ ମଣ୍ଡି ଖୋଲିନଥିବାରୁ ସାହୁକାରମାନେ ଗାଁକୁ ଗାଁ ବୁଲି ଚାଷୀଙ୍କ ଠାରୁ ଶାଗମାଛ ଦରରେ କିଣି ନେଉଛନ୍ତି । ଫଳରେ ସେମାନେ କ୍ଷତିର ସମ୍ମୁଖୀନ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଏନେଇ ମକା ଚାଷୀ କହିଛନ୍ତି," ଚାଷ ଜମି କମ ଥିବାରୁ କେବଳ ମକା ଉପରେ ଆମେ ନିର୍ଭରଶୀଳ । ସାହୁକାର ଉପରେ ନିର୍ଭର କରିବାକୁ ପଡୁଛି । ଆମ ଜିଲ୍ଲାରେ ଯଦି ମଣ୍ଡି ଜଲଦି ଖୋଲନ୍ତା ଓ ମଣ୍ଡି ଯଦି ଉପଯୁକ୍ତ ଦରରେ କିଣନ୍ତା ତେବେ ଆମକୁ ସାହୁକାର ଉପରେ ନିର୍ଭର କରିବାକୁ ପଡନ୍ତା ନାହିଁ ।"
ଖୁବଶୀଘ୍ର ମକା ମଣ୍ଡି ଖୋଲିବାକୁ ଦାବି:
ଚଳିତ ବର୍ଷ ଅଦିନିଆ ବର୍ଷା ମାଡରେ କିଛି ମକା ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରୁ ଯାହା ବର୍ତ୍ତିଯାଇଛି ତାହାକୁ ଅମଳ କରି ସାଇତି ରଖି ମଣ୍ଡି ଖୋଲିଲେ ଏହାକୁ ନେଇ ବିକ୍ରି କରିବା ପାଇଁ ଚାହିଁ ବସିଛି ଚାଷୀ । ହେଲେ ଜିଲ୍ଲାରେ ମକା ମଣ୍ଡି ଖୋଲୁନଥିବାରୁ ବାଧ୍ୟହୋଇ ବେପାରୀକୁ ବିକ୍ରି କରୁଛନ୍ତି ଚାଷୀ । ଖୁବଶୀଘ୍ର ମଣ୍ଡି ଖୋଲିବା ନେଇ ଦାବି କରାଯାଉଥିଲେ ମଧ୍ୟ ଏବେଯାଏଁ ମଣ୍ଡି ଖୋଲିଲା ନାହିଁ ।