ନବରଙ୍ଗପୁର/ନିଆଳି: ସରିଲା ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ 'ମଣ୍ଡେଇ' । କିନ୍ତୁ କାର୍ଯ୍ୟକ୍ରମ ପରେ ଆରମ୍ଭ ହେଲା ରାଜନୀତି। ମଣ୍ଡେଇ ମଞ୍ଚରେ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହାସହ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ସ୍କୁଲର ପ୍ରାର୍ଥନା ସଙ୍ଗୀତ ଥିବା 'ଆହେ ଦୟାମୟ ବିଶ୍ୱ ବିହାରୀ'ର ପଂକ୍ତି 'ମୋର ଧନ ଜନ ଲୋଡ଼ା ନାହିଁ ହେ' କୁ ବିକୃତ କରି ଆକ୍ଷେପ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଉଭୟଙ୍କୁ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଛି ନବରଙ୍ଗପୁର ଜିଲ୍ଲା ବିଜେପି ଓ ବିଜେପି ମହିଳା ମୋର୍ଚ୍ଚା । ଏନେଇ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଧାୟକ ଓ ରାଜ୍ୟସଭା ସାଂସଦଙ୍କୁ ଟାର୍ଗେଟ କରିଛି ଦଳ ।
ବିବାଦରେ ଡାବୁଗାଁ ବିଧାୟକ:
ମଣ୍ଡେଇ ମଞ୍ଚରେ ଲକ୍ଷ ଲକ୍ଷ ଦର୍ଶକ ସମ୍ମୁଖରେ ଆଙ୍କର ଭାବେ ଯୋଗ ଦେଇଥିବା ଦୁଇ ମହିଳା ଆଙ୍କରଙ୍କ ସୁନ୍ଦରତା ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି ଜିଲ୍ଲା ମହିଳା ମୋର୍ଚ୍ଚା । ଅଭିଯୋଗ ଅନୁସାରେ, ମଣ୍ଡେଇର ପ୍ରଥମ ଓ ତୃତୀୟ ଦିବସର 'ଆଙ୍କର' ଥିବା ଦୁଇ ଭିନ୍ନ ଭିନ୍ନ ମହିଳା ଆଙ୍କରଙ୍କ ଗାଲ ସହ ସେମାନେ ବହୁତ ସୁନ୍ଦର ସହ ମୃଗନୟନୀ ଭଳି ଅଶାଳୀନ ମନ୍ତବ୍ୟ ଦେବା ସହିତ ନିଜ ସ୍ତ୍ରୀଙ୍କୁ ଅସୁନ୍ଦର କହି ତୁଳନା କରିଥିବା ଅଭିଯୋଗ ଆଣିଛି ଜିଲ୍ଲା ମହିଳା ମୋର୍ଚ୍ଚା । ସେହିଭଳି ସମସ୍ତ ମହିଳା 'ମୋ ଗାର୍ଲ ଫ୍ରେଣ୍ଡ' ବୋଲି କହିଥିଲେ ଡାବୁଗାଁ ବିଧାୟକ । ଏହା ତାଙ୍କ ମାନସିକ ବିକୃତର ପରିଚୟ ବୋଲି କହିଛି ଜିଲ୍ଲା ମହିଳା ମୋର୍ଚ୍ଚା । ବିଧାୟକ ସାର୍ବଜନୀନ ଭାବେ ମହିଳାମାନଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ" ବୋଲି କହିଛନ୍ତି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ଶର୍ମିଷ୍ଠା ଦେ ।
ବିବାଦରେ ସାଂସଦ ମୁନା ଖାନ:
ଏହାସହ ମଣ୍ଡେଇ ମଞ୍ଚର ଅନ୍ୟତମ ଅତିଥି ଥିବା ରାଜ୍ୟସଭା ସାଂସଦ ମୁନ୍ନା ଖାନ କହିଥିଲେ," ସ୍କୁଲର ପ୍ରାର୍ଥନା ସଙ୍ଗୀତ ଆହେ ଦୟାମୟ ବିଶ୍ୱ ବିହାରୀରେ 'ମୋର ଧନ ଜନ ଲୋଡ଼ା ନାହିଁ ହେ' ବୋଲି ଥିଲା । ହେଲା ଧନ ତ ଆବଶ୍ୟକ । ଯାହା ପାଖରେ ଧନ ନାହିଁ ସେମାନେ ଆଜି ଦୁଃଖ ସହ ଆର୍ଥିକ ଅନଟନର ଶିକାର ହେଉଛନ୍ତି l" ସେହିଭଳି ପୂର୍ବତନ ଓଡ଼ିଆ ଫିଲ୍ମ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ସ୍ତ୍ରୀ ପୂର୍ବରୁ ଏଭଳି 'ମୋର ଧନ ଜନ ଲୋଡ଼ା ନାହିଁ ହେ' ବୋଲି ପ୍ରତ୍ୟେକ ଦିନ ଗୀତ ଗାଉଥିବାରୁ ଆଜି ଶ୍ରୀରାମ ପଣ୍ଡା ବାବାଜୀ ହୋଇଥିବା କହିଥିଲେ ମୁନ୍ନା ଖାଁ। ଯାହାକୁ ନେଇ ଝଡ଼ ଉଠିଛି । ଯାହାକି ହିନ୍ଦୁ ଧର୍ମ ପ୍ରତି କୁଠାରାଘାତ ହୋଇଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋୟୀ l ଖାଲି ସେତିକି ନୁହେଁ, ସ୍ତ୍ରୀ ଉପରେ ରାଗି ବୋଧହୁଏ ଏମିତି ଲେଖିଥିଲେ ବୋଲି କହିଛନ୍ତି ମୁନା ଖାନ । ଏଥିପାଇଁ ମୁନା ଖାନ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି ଦଳ । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି l