କଟକ:କନେଷ୍ଟବଳ ନିଯୁକ୍ତିରେ ବୟସସୀମା କୋହଳ ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଏହି ମାମଲାରେ ଆବେଦନାକାରୀଙ୍କୁ ଆଶ୍ବସ୍ତି ଦେଇଛନ୍ତି ହାଇକୋର୍ଟ । ମାମଲା ଦାୟର କରିଥିବା ସମସ୍ତ ଆବେଦନାକାରୀଙ୍କୁ ଅନଲାଇନ ଏବଂ ଅଫଲାଇନରେ ଆବେଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ । ସେମାନଙ୍କ ପରୀକ୍ଷା ଫଳ ପ୍ରକାଶନ ଉପରେ କୋର୍ଟ ଅଙ୍କୁଶ ଜାରି କରିଛନ୍ତି ।
ବୟସ ସୀମା କୋହଳ ପାଇଁ ଆବେଦନ:
ଓଡିଶା ପୋଲିସର ବିଭିନ୍ନ ବାଟାଲିୟନରେ ଖାଲିଥିବା 1360 ସିପାହୀ/କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଥିରେ ଦର୍ଶଯାଇଥିବା ସର୍ବାଧିକ ବୟସସୀମାକୁ ନେଇ ବିବାଦ ଦେଖା ଦେଇଥିଲା । ପ୍ରତିବର୍ଷ ଖାଲି ପଡ଼ିଥିବା ପଦବୀ ଆଧାରରେ ନିଯୁକ୍ତି ପ୍ରକ୍ରିୟା କରାଯିବାର ନିୟମ ରହିଥିଲେ ବି 2018 ମସିହା ପରଠାରୁ ଆଉ ନିଯୁକ୍ତି କରାଯାଇନାହିଁ । ଦୀର୍ଘ 6 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିଯୁକ୍ତି ପ୍ରକ୍ରିୟା ବନ୍ଦ ଥିବାରୁ ସର୍ବାଧିକ ବୟସସୀମା କୋହଳ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନେକ ଆଶାୟୀ । କୋର୍ଟ ସେମାନଙ୍କ ଆବେଦନକୁ ଗ୍ରହଣ କରିବା ସହ ଆବେଦନ କରିବାକୁ ଅନୁମତି ଦେଇଛନ୍ତି।
ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ପୋଲିସରେ ମୋହନ ମାଝୀ ସରକାରଙ୍କ ବଡ ନିଯୁକ୍ତି; କନଷ୍ଟେବଳ-କିରାଣୀ ପୋଷ୍ଟ ପାଇଁ ଆବେଦନ ଆରମ୍ଭ, ଦେଖନ୍ତୁ ଲାଷ୍ଟ ଡେଟ୍ - Odisha Police Recruitment
ଏହା ମଧ୍ୟ ପଢନ୍ତୁ-କଟକର ସମସ୍ୟା ନେଇ ହାଇକୋର୍ଟଙ୍କ ତାଗିଦ, 2 ସପ୍ତାହରେ ସମାଧାନ କର - Hc Verdict On Cuttack
ଆଶାୟୀ ଆଶ୍ବସ୍ତ:
ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଶାୟୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଶାୟୀମାନେ ପରୀକ୍ଷା ଦେଇପାରିବେ । ଉଭୟ ଅନଲାଇନ ଏବଂ ଅଫ ଲାଇନ ପରୀକ୍ଷା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଯୁକ୍ତି ପ୍ରକ୍ରିୟା ଗତ ୬ ବର୍ଷ ଧରି ହୋଇନାହିଁ । ଯାହାକୁ ନେଇ ଆଶାୟୀମାନେ ନିରାଶ ହୋଇଥିଲେ । ମାତ୍ର ବୟସ କୋହଳ ନେଇ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା କିନ୍ତୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଉପରେ ନିର୍ଭର କରିବ । କାରଣ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ କର୍ତ୍ତୃପକ୍ଷ ରେଜଲ୍ଟ ପ୍ରକାଶ କରିପାରିବେ ନାହିଁ । ଅର୍ଥାତ ହାଇକୋର୍ଟଙ୍କ ନିର୍ଦ୍ଦେଶ ଫଳାଫଳ ଉପରେ ନିର୍ଭର କରିବ ।
ସେପ୍ଟେମ୍ବର 23 ତାରଖରେ ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ମୋଟ 1537ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ଓଡିଶା ପୋଲିସର ବିଭିନ୍ନ ବାଟାଲିୟନରେ ଖାଲିଥିବା ସିପାହୀ / କନଷ୍ଟେବଳ(1360 ପଦବୀ ) ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯୋଗ୍ୟ ପ୍ରାର୍ଥୀମାନେ ଓଡିଶା ପୋଲିସ ୱେବସାଇଟ https://odishapolice.gov.in ରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଓ ଆବେଦନ କରିପାରିବେ ।
ଇଟିଭି ଭାରତ, କଟକ