ବଲାଙ୍ଗୀର:କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । 15 ଦିନ ମଧ୍ୟରେ ହତ୍ୟା କରାଯିବା ନେଇ ବିଭିନ୍ନ ସ୍ଥାନରେ ଲାଗିଛି ପୋଷ୍ଟର । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକଙ୍କୁ 15 ଦିନ ମଧ୍ୟରେ ହତ୍ୟା କରାଯିବାର ଧମକ ଭରା ପୋଷ୍ଟର ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ପୋଲିସ ପୋଷ୍ଟର ଜବତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସ୍ଡିପିଓ ଗୌରାଙ୍ଗ ଚରଣ ସାହୁ ।
ସୂଚନା ଅନୁସାରେ, ଆଜି (ସୋମବାର) ସକାଳେ କଣ୍ଟାବାଞ୍ଜି ସହର ବାଳିକା ହାଇସ୍କୁଲ ବାହାରେ ଥିବା ଦୋକାନ ସମ୍ମୁଖରେ ଏବଂ ପେଟ୍ରୋଲ ପମ୍ପ ନିକଟରେ ଏଭଳି ପୋଷ୍ଟର ଲାଗିଛି । ଧଳା ରଙ୍ଗର ପୋଷ୍ଟରରେ ଲାଲ ଅକ୍ଷରରେ 'କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ହତ୍ୟା କରିବି' ବୋଲି ଲେଖା ରହିଛି । ତେବେ ବ୍ୟାନରରେ ଜଣେ ଅଜଣା ଯୁବକଙ୍କ ଫଟୋ ମଧ୍ୟ ରହିଛି । ସେପଟେ ପୋଷ୍ଟର ଦେଖି ଲୋକେ ଭୟଭୀତ ଥିବାବେଳେ କଣ୍ଟାବାଞ୍ଜି ପୋଲିସ ଏଯାବତ୍ 2ଟି ବ୍ୟାନର ଜବତ କରିଛି ।
ଏହା ବି ପଢନ୍ତୁ...ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ସାମାଜିକ ସଂଗଠନର ନିନ୍ଦା, ସୁରକ୍ଷା ଆଇନ ପ୍ରଣୟନ ଦାବି
ସୂଚନା ଅନୁସାରେ, ସନ୍ତୋଷ ସିଂ ସାଲୁଜାଙ୍କୁ 2014 ମସିହାରେ ଜମିଜମା ମାମଲାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁଥିରେ ତାଙ୍କର ଦୁଇ ଗୋଡ଼ ଦୁର୍ବୃତ୍ତ ହାଣି ଦେଇଥିଲେ । ସେହିପରି ପରବର୍ତ୍ତୀ ସମୟରେ ମଧ୍ୟ ରାଜନୈତିକ ଶତ୍ରୁତା ଓ ବ୍ୟାବସାୟିକ ଶତ୍ରୁତାକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଥିଲା । ଏପରିକି ତାଙ୍କ ଭାଇଙ୍କ ନାଁରେ ମଧ୍ୟ ଅପହରଣ ଭଳି ଅଭିଯୋଗ, ତାଙ୍କ ପୁଅଙ୍କ ନାଁରେ ମଧ୍ୟ ଜଣେ ସିନେମା ହଲ୍ ମାଲିକଙ୍କୁ ଆକ୍ରମଣ ମାମଲାରେ ପୋଲିସ ଗିରଫ କରି ଜେଲ ପଠାଇଥିଲା । ବର୍ତ୍ତମାନ ପୁଣି ତାଙ୍କୁ କିଏ ଓ କାହିଁକି ଏପରି ହତ୍ୟା ଧମକ ଦେଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ ଏହାକୁ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।