ଭଦ୍ରକ:ଭିଜିଲାନ୍ସ ତଦନ୍ତ ବେଳେ ସରପଞ୍ଚ ଏବଂ ଭିଜିଲାନ୍ସ ବିଭାଗ ଅଧିକାରୀ ମୁହାଁମୁହିଁ । ଭଦ୍ରକ ଗୁଜିଦରଡ଼ା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଭିଜିଲାନ୍ସ ବିଭାଗ ଅଧିକାରୀ ଯାଞ୍ଚ ପାଇଁ ଆସିଥିିବା ବେଳେ ସ୍ଥାନୀୟ ସରପଞ୍ଚ ବିରୋଧ କରିଥିଲେ । ଏହାକୁ ନେଇ ସରପଞ୍ଚ ଏବଂ ଭିଜିଲାନ୍ସ ବିଭାଗ ଅଧିକାରୀ ମୁହାଁମୁହିଁ ହୋଇଥିଲେ ।
ସୂଚନା ଅନୁସାରେ, ଗୁଜିଦରଡ଼ା ପଞ୍ଚାୟତର 10ରୁ ଅଧିକ ରାସ୍ତା ଏବଂ ଡ୍ରେନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ସହିତ ଫଲ୍ସ ବିଲ୍ ହୋଇଥିବାର ଅଭିଯୋଗ ପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ଏହି ଦୁର୍ନୀତିର ଏକ ବୈଷୟିକ ତଦନ୍ତ କରିବା ପାଇଁ ଗତ କିଛି ଦିନ ପୂର୍ବରୁ ଭିଜିଲାନ୍ସ ଅଧିକାରୀମାନେ ଗୁଜିଦରଡ଼ା ପଞ୍ଚାୟତକୁ ଯାଇଥିଲେ । କିନ୍ତୁ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ବରେ ଏଠାକାର ଲୋକେ ତାଙ୍କୁ ବିରୋଧ କରି ଫେରାଇ ଦେଇଥିଲେ । ତେବେ ଏହାକୁ ନେଇ ସ୍ଥାନୀୟ ପୋଲିସର ସାହାଯ୍ୟ ନେଇଥିଲେ ଭିଜିଲାନ୍ସ ଅଧିକାରୀ ।
ଭିଜିଲାନ୍ସ ବିଭାଗ ଏହି ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହାୟତାରେ ସେଠାରେ ପହଞ୍ଚିଥିଲେ । ରାସ୍ତା ଏବଂ ଡ୍ରେନ ମାପିବା ସମୟରେ ସ୍ଥାନୀୟ ସରପଞ୍ଚ ବିରୋଧ କରିଥିଲେ । ଫଳରେ ଏହାକୁ ନେଇ ପୁଣି ସରପଞ୍ଚ ଏବଂ ଭିଜିଲାନ୍ସ ବିଭାଗ ଅଧିକାରୀ ମୁହାଁମୁହିଁ ହୋଇଥିଲେ । ସେଠାରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଶେଷରେ ଉପରିସ୍ଥ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା ।