ଓଡିଶା

odisha

ETV Bharat / state

ରାହା ଦେଖାଉଛି ମାଗଣା ପାଠଶାଳା, ଗରିବ ବସ୍ତି ପିଲାଙ୍କୁ କରୁଛି ସାକ୍ଷର - Free Education To Poor Children

Free Education To Poor Children: ବହୁ ଆଗରୁ ବଡ଼ଲୋକମାନେ ବିଦ୍ୟାଦାନ ଅଟଇ ମହାଦାନ ବୋଲି କହିଯାଇଛନ୍ତି । ଏହି ଉକ୍ତିକୁ ମର୍ମେ ମର୍ମେ ବାସ୍ତବରେ ପରିଣତ କରୁଛନ୍ତି ସମ୍ବଲପୁରର ବସୁନ୍ଧରା କମ୍ୟୁନିଟି ସେଣ୍ଟରର ସ୍ବେଛାସେବୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 11, 2024, 1:27 PM IST

Free Education To Poor Children
Free Education To Poor Children (ETV Bharat Odisha)

ସମ୍ବଲପୁର: କଥାରେ ଅଛି ସା ବିଦ୍ୟା ଯା ବିମୁକ୍ତୟେ । ଅର୍ଥାତ୍‌ ଯାହା ମନୁଷ୍ୟକୁ ଅଜ୍ଞାନତାରୁ ମୁକ୍ତି ପ୍ରଦାନ କରେ ତାହା ହିଁ ବିଦ୍ୟା ବା ଶିକ୍ଷା । ଶିକ୍ଷା ସମାଜରେ ବୈପ୍ଲବିକ ପରିବର୍ତ୍ତନ ଆଣିଥାଏ । ତେଣୁ ଶିକ୍ଷାକୁ ଆମ ଭାରତୀୟ ସମାଜରେ ବହୁତ ଗୁରୁତ୍ବ ଦିଆଯାଇଛି । ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଆର୍ଥିକ ସ୍ତରରେ ଅନଗ୍ରସର ଛାତ୍ରଛାତ୍ରୀ କେଉଁଠି ନା କେଉଁଠି ପଛରେ ପଡିଯାଉଛନ୍ତି l ପ୍ରତିଭା ଓ ଦକ୍ଷତା ଥାଇ ମଧ୍ୟ କେତେକ ଛାତ୍ରଛାତ୍ରୀ ଅର୍ଥ ଅଭାବ ଯୋଗୁଁ ପ୍ରତିଦ୍ବନ୍ଦିତାପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାରେ ପଛରେ ରହିଯାଉଛନ୍ତି ।

Free Education To Poor Children (ETV Bharat Odisha)

ଥିଲାବାଲା ଘରର ପିଲାମାନେ ଟିଉସନ ଓ କୋଚିଂ ନେଉଥିବାବେଳେ ଗରିବ ଘରର ପିଲା ସରକାରୀ ସ୍କୁଲ ଛଡା ଆଉ କୌଣସି ସ୍ଥାନକୁ ଶିକ୍ଷା ଗ୍ରହଣ ପାଇଁ ଯାଇ ପାରୁନାହାନ୍ତି ଯାହାଫଳରେ ସେମାନେ ପଛରେ ରହୁଛନ୍ତି । ଏଭଳି ପରିସ୍ଥିତିରେ ସମ୍ବଲପୁର ସହରର ବସ୍ତି ଅଞ୍ଚଳର ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଟିଉସନ ଶିକ୍ଷା ଦେଉଛନ୍ତି ସମ୍ବଲପୁର ବସୁନ୍ଧରା କମ୍ୟୁନିଟି ସେଣ୍ଟରର ସ୍ବେଛାସେବୀ । ପ୍ରାରମ୍ଭ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ଅନୁଷ୍ଠାନ ନିଜର ମାଗଣା ପାଠଶାଳାରେ ଟିଉସନ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛି । ସମ୍ବଲପୁର ସହରର ଚର୍ଚ୍ଚ ଛକରୁ ସରକାରୀ ହସ୍ପିଟାଲ ଆଡକୁ ଯିବା ସମୟରେ ବାମ ପାର୍ଶ୍ଵରେ ରହିଛି ଏହି ଫ୍ରି ପାଠଶାଳା ।

ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲେ ଏଠାକୁ ଆସନ୍ତି ସ୍ଥାନୀୟ ଅଞ୍ଚଳରେ ଛାତ୍ରଛାତ୍ରୀ । ପ୍ରଥମରୁ ସପ୍ତମ ଶ୍ରେଣୀର ପିଲାଙ୍କୁ ଏଠାରେ ମାଗଣାରେ ଟିଉସନ ଦିଆଯାଉଛି । ସ୍ଥାନୀୟ ବସୁନ୍ଧରା କମ୍ୟୁନିଟି ସେଣ୍ଟରର ସଦସ୍ୟମାନଙ୍କ ଉଦ୍ୟମରେ ଏହି ମାଗଣା ପାଠଶାଳା ଖୋଲା ଯାଇଥିବା ବେଳେ ଏଠାରେ କିଛି ଶିକ୍ଷିତ ଯୁବତୀ, ଯୁବକ ଓ କିଛି ଅବସରପ୍ରାପ୍ତ ଶିକ୍ଷକ ଏହି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି । ପ୍ରତ୍ୟେକ ଦିନ ସନ୍ଧ୍ୟା 5 ଟାରୁ 7ଟା ପର୍ଯ୍ୟନ୍ତ ଏଠାରେ ପାଠପଢା ଚାଲିଥାଏ । ସ୍କୁଲର ସବୁ ବିଷୟ ସହ ସାଧାରଣ ଜ୍ଞାନ, ନୃତ୍ୟ ତଥା ଚିତ୍ରାଙ୍କନ ଶିକ୍ଷା ମଧ୍ୟ ଦିଆଯାଏ ।

ଏହା ମଧ୍ୟ ପଢନ୍ତୁ...ଓଡ଼ିଆ ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟକୁ UGC ମାନ୍ୟତା, ଆରମ୍ଭ ହେବ ୟୁଜି ପିଜି କୋର୍ସ - OSOU Gets UGC Recognition

ଏଠାରେ 30 ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଅଧିକାଂଶ ଛାତ୍ରୀ ଅଛନ୍ତି । ସ୍ଥାନୀୟ ଅଞ୍ଚଳରେ ରହୁଥିବା ଆର୍ଥିକ ଅନାଗ୍ରସର ପିଲା ଯେଉଁମାନଙ୍କ ବାପାମାଆ ଶିକ୍ଷିତ ନୁହଁନ୍ତି ଅଥବା ଟିଉସନ ଫି ଦେବା ପାଇଁ ଅସମର୍ଥ ସେମାନେ ନିଜ ପିଲାଙ୍କୁ ଘରେ ଗାଇଡ଼ କରି ପାରନ୍ତି ନାହିଁ । ଏହିଭଳି ଛାତ୍ରଛାତ୍ରୀଙ୍କୁ ଏଠାରେ ସବୁ ବିଷୟରେ ପାଠ ପଢ଼ାଯିବା ସହ ସ୍କୁଲର ସବୁ ଡାଉଟ୍ କ୍ଳିଅର କରାଯାଏ । ଫଳରେ ପିଲାମାନେ ସ୍କୁଲରେ ଭଲ ପ୍ରଦର୍ଶନ କରିବା ସହ ତାଙ୍କ ବ୍ୟକ୍ତିତ୍ବରେ ବିକାଶ ମଧ୍ୟ ହୋଇପାରିଛି ।

ମୁଖ୍ୟତଃ ଏହି ଛାତ୍ରଛାତ୍ରୀଙ୍କ ମାଆମାନେ ଏହି ପାଠଶାଳା ପାଇଁ ବେଶ ଉତ୍ସାହିତ । ଏହି ଅନୁଷ୍ଠାନ 2006ରୁ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ଗତ ଜୁନ 24ରୁ ଏହି ପାଠଶାଳା ଆରମ୍ଭ ହୋଇଛି । ଆଗାମୀ ଦିନରେ ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଠାରେ ଶିକ୍ଷା ଦିଆଯିବ ବୋଲି କୁହାଯାଇଛି । ଏହି ଅନୁଷ୍ଠାନର ଏହିଭଳି ପଦକ୍ଷେପକୁ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details