ଭୁବନେଶ୍ବର:ମୁଣ୍ଡବିନ୍ଧାର କାରଣ ପାଲଟିଛି ସାଇବର ଅପରାଧ । ଆଖି ପିଛୁଳାକେ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା । ସାଇବର ଫ୍ରଡ୍ ମୁକାବିଲା ପାଇଁ କମିଶନରେଟ ପୋଲିସ ଆରମ୍ଭ କରିଛି ବଡ ଅଭିଯାନ । 11 ଜଣ କୁଶଳି ଇଞ୍ଜିନିୟରିଂ ଛାତ୍ରଙ୍କୁ ନେଇ ଆରମ୍ଭ କରିଛି ସ୍ବତନ୍ତ୍ର ଅଭିଯାନ । ଯେଉଁମାନଙ୍କୁ ତାଲିମ ଦେଇ ଆଗାମୀ ଦିନରେ ସାଇବର ଅପରାଧ ମୁକାବିଲା ଦିଗରେ ଏକ ରଣକୌଶଳ ପ୍ରସ୍ତୁତି କରାଯିବ ।
ଦିନକୁ ଦିନ ବଢ଼ୁଥିବା ସାଇବର ଅପରାଧ ରୋକିବାକୁ କମିସନରେଟ ପୋଲିସ ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଛି । ଏହାର ମୁକାବିଲା ପାଇଁ କମିଶନରେଟ ପୋଲିସ ପକ୍ଷରୁ 650 ଜଣ କୁଶଳି ଇଞ୍ଜିନିୟରିଂ ଛାତ୍ରଙ୍କ ମଧ୍ୟରୁ 11 ଜଣଙ୍କୁ ଚୟନ କରିଛି । ଯେଉଁମାନଙ୍କ ଭିତରେ IIT ଭୁବନେଶ୍ୱରର ଛାତ୍ରଙ୍କ ସମେତ IIT ଓ ସିଭିରମଣ ଭଳି ଇଞ୍ଜିନିୟରିଂ କଲେଜର କିଛି କୁଶଳି ଛାତ୍ର ରହିଛନ୍ତି । ସେମାନଙ୍କୁ ଆଗାମୀ 8 ସପ୍ତାହ ତଥା 2 ମାସ ଧରି ଟ୍ରେନିଂ ଦିଆଯିବ । ସାଇବର ଅପରାଧ କ୍ଷେତ୍ରରେ କାମ କରୁଥିବା ସାଇବର ଏକ୍ସପର୍ଟ, ସାଇବର କନସଲଟାଣ୍ଟ, ସାଇବର ହ୍ୟାକର ଓ ସାଇବର ସିକ୍ୟୁରିିଟିରେ ଅଭିଜ୍ଞତା ଥିବା ବଡ଼ ବଡ଼ କର୍ପୋରେଟ ହାଉସ୍ ଅଭିଜ୍ଞମାନେ ତାଲିମ ଦେବେ । ଯେଉଁଠି 11ଜଣ ଚୟନ କରାଯାଇଥିବା କୁଶଳି ଛାତ୍ରଙ୍କୁ କ୍ରିପ୍ଟୋଗ୍ରାଫି, ସାଇବର ଫରେନସିକ ସାଇନ୍ସ, ସାଇବର ସ୍ପେସ ହ୍ୟାକ୍, ଆଇପି ଆଡ୍ରେସ ଟ୍ରାକ, ଡାଟା ଥେପ୍ଟ ଆଣ୍ଡ ସିକ୍ୟୁରିଟି, ଡାଟା ସିକ୍ୟୁରିଟି, ନେଟୱର୍କ ସିକ୍ୟୁରିଟି, କ୍ଲାଉଡ୍ ସିକ୍ୟୁରିଟି, ଡିଜାଷ୍ଟର ରିକଭରି, ଆପ ସିକ୍ୟୁରିଟି ଭଳି,ମାଲୱେର, ରାନସମ ଓ୍ବେର ଭଳି ଅନେକ ଟେକ୍ନିକାଲ ଦିଗରେ ତାଲିମ ଦିଆଯିବ ।
କୁଶଳି ଛାତ୍ରମାନଙ୍କୁ 2 ମାସ ଧରି ତାଲିମ ପରେ ସେମାନେ ପୋଲିସ ପାଇଁ ଏକ୍ସପର୍ଟ ଭାବେ କାମ କରିବେ । ଏବେ ପ୍ରତିଦିନ ହେଉଥିବା ସାଇବର ଫ୍ରଡ ବିଶେଷ କରି ବିଭିନ୍ନ ଉପାୟରେ ଲୋକଙ୍କୁ ଯୋଗାଯୋଗ କରି ଭିନ୍ନ ଢ଼ଙ୍ଗରେ ସେମାନଙ୍କୁ ଫସାଇ ଲୁଟୁଥିବା ବେଳେ ସେ ଦିଗରେ ପ୍ରତିହତ କରିବା ପାଇଁ କାମ କରିବେ । ବିଶେଷ କରି ଫାଇନାନ୍ସିଆଲ ଫ୍ରଡ, ଇନଭେଷ୍ଟମେଣ୍ଟ ଫ୍ରଡ ଭଳି ବିଜନେସ ହାଉସ ଓ ବଡ଼ବଡ଼ିଆ କର୍ପୋରେଟକୁ ଟାର୍ଗେଟ କରୁଥିବା ସାଇବର ଠକଙ୍କୁ କିପରି ଚେକ୍ମେଟ ଦିଆଯିବ ସେନେଇ ତାଲିମ ଦିଆଯିବ ।
ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ପ୍ରଥମ ଥର ଏଭଳି ଏକ କୋର୍ସ ଅଫର କରାଯାଇଛି । ଇଞ୍ଜିନିୟର ଛାତ୍ରମାନେ ତାଲିମ ପରେ ବିଭିନ୍ନ ସାଇବର ଅପରାଧକୁ ସମାଧାନ କରିବେ । ସେମାନେ ସାଇବର ଓ୍ବାରିୟର ଭାବରେ କାମ କରିବେ । ବିଗତ 4 ମାସରେ ଭୁବନେଶ୍ୱରରେ ସାଇବର ଫ୍ରଡ ଶିକାର ହୋଇ 18 କୋଟି ଟଙ୍କା ହରାଇଲେଣି । ମାସକୁ 400 ଅଭିଯୋଗ ସାଇବର ଥାନାରେ ଗ୍ରହଣ କରାଯାଉଛି । ଅର୍ଥାତ ଗତ 4 ମାସରେ 1515 ଅଭିଯୋଗ ହୋଇଛି । 100 ଜଣ ଲୋକଙ୍କ ଶତ ପ୍ରତିଶତ ଟଙ୍କା ପୋଲିସ ସହାୟତାରେ ଫେରାଯାଇଛି । 9 କେସ ଡିଟେକ୍ଟ କରି ଅପରାଧୀକୁ ଗିରଫ କରାଯାଇଛି । ଅର୍ଥାତ 17.75 କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଥାନାରେ ରିପୋର୍ଟ ହୋଇଥିବା ବେଳେ 20 ଲକ୍ଷ ଟଙ୍କା ଠକଙ୍କଠୁ ଫେରିପାରିବାରେ ସକ୍ଷମ ହୋଇପାରିଛି ପୋଲିସ । 40 ପ୍ରତିଶତ ମାମଲାରେ ବ୍ଲକିଂ କରିବାରେ ସଫଳ ହୋଇଛି ପୋଲିସ ।