ଭୁବନେଶ୍ବର:ହାଇ-ପ୍ରୋଫାଇଲ୍ ଡିଲ୍ କରିଦେବାର ଲୋଭ ଦେଖାଇ ଠକେଇ । ସେ ବି କୌଣସି ନେତା, ମନ୍ତ୍ରୀ କି ଅଧିକାରୀଙ୍କ ପାଖ ଲୋକ ବୋଲି କହି ନୁହେଁ ବରଂ ସିଧା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ବାଇଁ ବୋଲି ପରିଚୟ ଦେଇ । ଟାର୍ଗେଟରେ ଥିଲେ ଖଣି ବ୍ୟବସାୟୀ, କଣ୍ଟ୍ରାକ୍ଟର ଓ ଅନ୍ୟ ବଡବଡ ବ୍ୟବସାୟୀଙ୍କ ସମେତ କୋଟିପତି ବ୍ୟକ୍ତିବିଶେଷ । ଅନେକ ହେବିଓ୍ବେଟଙ୍କ ସହ ଫଟୋ ଏଡିଟ୍ କରି ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ଝିଅ ଓ ଜ୍ବାଇଁ ବୋଲି ମଧ୍ୟ ପରିଚୟ ଦେବାକୁ ଏମାନେ ପଛାଇନଥିଲେ । ଚାଲିଚଲଣ ଓ ସମ୍ଭ୍ରାନ୍ତ ଜୀବନଶୈଳୀ ମଧ୍ୟ ଏମିତି ଦେଖାଉଥିଲେ ଯେ, ହଠାତ କାହାର ସନ୍ଦେହ ମଧ୍ୟ ମୁସ୍କିଲ ।
ହେଲେ ଖେଳ ବେଶି ଦିନ ଚାଲିପାରିଲାନି, ସବୁକିଛି ଧରା ପଡିଗଲା । ଇନଫୋସିଟି ଥାନା ପୋଲିସ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଗିରଫ କରି ମାମଲାର ଫର୍ଦ୍ଦାଫାସ କରିଛି । ଯୁବକ ଜଣକ ରଘୁନାଥପୁର ଏରିଆର ହୋଇ ଥିବା ବେଳେ ଯୁବତୀ ଜଣକ କଳାହାଣ୍ଡିର ବୋଲି ଜଣାପଡିଛି । କେହି ଏମାନଙ୍କ ଦ୍ବାରା ଠକେଇର ଶିକାର ହୋଇଥିଲେ ପୋଲିସ ଜଣାଇବା ପାଇଁ ମଧ୍ୟ ପୋଲିସ କହିଛି ।
- ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ
ଏନେଇ ସ୍ପେଶାଲ କ୍ରାଇମ୍ ୟୁନିଟ ଅତିରିକ୍ତ ଡିସିପି ସ୍ବରାଜ ଦେବତା କହିଛନ୍ତି,‘‘ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ଭୁବନେଶ୍ବର ରଘୁନାଥପୁର ଅଞ୍ଚଳର ଯୁବକ ଅନିଲ ଓ କଳାହାଣ୍ଡି ଜିଲ୍ଲାର ହଂସିକା ଅଭିଲିପ୍ସା । ଉଭୟ ନିଜକୁ ଦମ୍ପତି ତଥା ପ୍ରମୋଦ ମିଶ୍ରଙ୍କ ଝିଅ-ଜ୍ବାଇଁ ଭାବେ ପରିଚୟ ଦେଉଥିଲେ । ହାଇ ପ୍ରୋଫାଇଲ୍ ଲୋକଙ୍କ ସହ ଫଟୋ ଏଡିଟ କରି ହାଇ ଅଫିସିଆଲ୍ ସହ ସମ୍ପର୍କ ଥିବା କହୁଥିଲେ । ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି । ପ୍ରାଥମିକ ତଦନ୍ତରେ ଯୁବକ ଜଣକ ବ୍ୟବସାୟ କରୁଥିବା ଜଣାପଡିଛି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର କେସ ନମ୍ବର 611/24, 329(3)/ 319(2)/ 318(4)/3(5) ଉଭୟଙ୍କୁ ଗିରଫ କରଯାଇ କୋର୍ଟ ଚାଲାଣ କରାଯାଇଛି । ଯଦି କେହି ଉଭୟଙ୍କ ଦ୍ବାରା ଠକେଇର ଶିକାର ହୋଇଥବେ,ସେମାନେ ପୋଲିସ ନିକଟକୁ ଆସନ୍ତୁ ।’’
- କାରବାର ଡିଟେଲ୍ସ ଖୋଜୁଛି ପୋଲିସ
ସେମାନଙ୍କ ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ତନାଘନା କରୁଛି ପୋଲିସ । ଏନେଇ ତାଙ୍କର କୋୖଣସି ଜିନିଷ ଜବତ ହୋଇନଥିଲେ ମଧ୍ୟ ସେ ଦିଗରେ ତଦନ୍ତ ଜାରି ରହିଛି । ସିଧା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହ ଭଲ ଯୋଗାଯୋଗ ଥିବା ଦର୍ଶାଇ କାହାକୁ ସରକାରୀ ପ୍ରୋଜେକ୍ଟ ହାତେଇବା ପ୍ରଲୋଭିତ କରୁଥିଲେତ, ଅନେକଙ୍କୁ ହାଇ ଅଫିସିଆଲଙ୍କ ସହ ମିଟିଂ ଓ କାମ କରାଇଦେବା କହି ଟଙ୍କା ନେଇ ପରେ ଧରାଛୁଆଁ ଦେଉନଥିଲେ । ଏସମ୍ପର୍କରେ ଅନେକଗୁଡିଏ ଅଭିଯୋଗ ଅସିଥିଲା । ଶେଷରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଏହା ମଧ୍ୟ ପଢନ୍ତୁ:- |