ରାଉରକେଲା: ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା । ରାଜ୍ୟରୁ ଦୁର୍ଘଟଣା କମିବାର ନାଁ ଧରୁନି । ଗତ କିଛିଦିନ ଧରି ଲଗାତାର ଭାବରେ ରାଜ୍ୟରେ ସଡକ ଦୁର୍ଘଟଣା ଘଟୁଥିବା ବେଳେ ଏବେ ପୁଣି ଥରେ ରାଉରକେଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ କାରକୁ ଧକ୍କା ଦେଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ କାର ଚାଳକ ଏବଂ ବସ ଚାଳକ ଉଭୟ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ଅନ୍ୟ 5 ଜଣ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏହାସହ ପ୍ରାୟ ୨୫ ଜଣ ସାମାନ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ତେବେ ଏହି ଦୁର୍ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରାଉରକେଲାର କୁଲୁଙ୍ଗା ହାଟ ନିକଟରେ ଥିବା ରେଳ ଫାଟକ ନିକଟରେ ଏକ ବୁଲାଣିରେ ଏକ ଯାତ୍ରୀବାହୀ ବସ ଟର୍ଣ୍ଣ ସମୟରେ ଡ୍ରାଇଭର ଜଣଙ୍କ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବିପରୀତ ଦିଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା ବସ । କାରକୁ ଶକ୍ତ ଧକ୍କା ଦେଇ ଘଟଣାସ୍ଥଳରେ ଉଭୟ କାର ଓ ବସ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ବସ ଡ୍ରାଇଭର ଓ କାର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଏହା ସହ ପାଖାପାଖି ୨୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ପାଇ ପୋଲିସ ଓ 108 ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାୟାଇଛି ।