ଭୁବନେଶ୍ବର: ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ଲାଗି ଖୁସି ଖବର । ନିର୍ବାଚନ ପୂର୍ବରୁ ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ଶିକ୍ଷକମାନଙ୍କ ପାରିଶ୍ରମିକରେ ପ୍ରାୟ ଦୁଇଗୁଣ ବୃଦ୍ଧି ହୋଇଛି । ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଅଛନ୍ତି ଉର୍ଦ୍ଦୁ ଶିକ୍ଷକ । ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା ଉର୍ଦ୍ଦୁ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସମ୍ପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟର ବିଭିନ୍ନ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ଉର୍ଦ୍ଦୁ ବିଷୟକୁ ପ୍ରାଥମିକ ଭାଷା ଭାବେ ଗ୍ରହଣ କରୁଥିବା ୧୦ରୁ ଊର୍ଦ୍ଧ୍ବ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଉର୍ଦ୍ଦୁ ଶିକ୍ଷକ ଓ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ନିଯୁକ୍ତ କରିଛନ୍ତି । ପୂର୍ବରୁ ସେମାନଙ୍କୁ ମାସିକ ୭,୪୦୦ ଟଙ୍କା ପାରିଶ୍ରମିକ ବାବଦରେ ଦିଆଯାଉଥିଲା । ହେଲେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ସେମାନେ ମାସିକ ୧୫,୦୦୦ ଟଙ୍କା ପାରିଶ୍ରମିକ ପାଇବେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ୪୪ ଜଣ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୪୦ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ଉପକୃତ ହେବେ ।
ଏହା ମଧ୍ୟ ପଢ଼ନ୍ତୁ...ବଢ଼ିଲା କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ, 7 ହଜାରରୁ ହେଲା 10 ହଜାର