କେନ୍ଦୁଝର:ମକର ସଂକ୍ରାନ୍ତିରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ । ଆଜିଠୁ ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ପାଟଣା ବୈତରଣୀ ନଦୀର ଅନୁସିୟା ଘାଟରେ ମକର ସ୍ନାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୁଡ଼ ପରେ ପରମେଶ୍ଵର ମନ୍ଦିର ଯାଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ମକର ସଂକ୍ରାନ୍ତିରେ ବୁଡ ପକାଇଲେ କୋଟି ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି ।
- ମକର ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ
ପବିତ୍ର ମକର ସଂକ୍ରାନ୍ତି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ଗଣପର୍ବ ହୋଇଥିବା ବେଳେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କରିଛନ୍ତି । ସ୍ନାନ ପରେ ପ୍ରଥମେ ପାଟଣା ବୈତରଣୀ ନଦୀ ନିକଟରେ ଥିବା ପରମେଶ୍ୱର ମହାଦେବଙ୍କ ଦର୍ଶନ ପରେ ପୁରାତନ ଆନନ୍ଦେଶ୍ୱର ମହାଦେବ ଦର୍ଶନ କରି ବ୍ରାହ୍ମଣଙ୍କ ଦ୍ଵାରା ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଜଳାଭିଷେକ କରିଛନ୍ତି ।
- ମକର ପିଠା ଖାଇଲେ ମୁଖ୍ୟମନ୍ତ୍ରୀ
ଦିଲ୍ଲୀରୁ ଗତକାଲି(ସୋମବାର) ଭୁବନେଶ୍ୱର ଫେରିବା ପରେ ଆଜିଠୁ ତିନିଦିନିଆ କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈତରଣୀରେ ମକର ସ୍ନାନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ୟାମ ସୁନ୍ଦରପୁର ଗ୍ରାମରେ ବିଜେପି କାର୍ଯ୍ୟକର୍ତ୍ତା ହରିହର ମହାନ୍ତଙ୍କ ଘରେ ମକର ପିଠା ଖାଇଥିଲେ । ପ୍ରତିବର୍ଷ ମକର ସଂକ୍ରାନ୍ତିରେ ବୈତରଣୀ ନଦୀରେ ବୁଡ ପକାନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ସଂସ୍କୃତିକୁ ମନେପକାଇ ବୈତରଣୀରେ ବୁଡ ପକାଇଛନ୍ତି ।
- ରାଜ୍ୟର ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "କେନ୍ଦୁଝର ଜିଲ୍ଲାର କିଭଳି ବିକାଶ ହେବ ଓ ଜିଲ୍ଲାକୁ ଶିଳ୍ପ ଆସିବ ସେନେଇ ଠାକୁରଙ୍କ ପାଖରେ ପ୍ରାର୍ଥନା କଲି । ଏଥିସହ ଓଡ଼ିଶାର ସର୍ବ ମଙ୍ଗଳ କାମନା କରିବା ସହ ଓଡ଼ିଶା ବିକାଶ କାମକୁ ତ୍ୱରାନ୍ବିତ କରିବା ପାଇଁ ସର୍ବୋପରି ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ କାମ ଆଗେଇ ଚାଲିଛି । ଗତକାଲି ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶା ସହ ଯୋଡିଛୁ । ଏହାଦ୍ବାରା ୧ କୋଟି ୩ ଲକ୍ଷ ଲୋକେ ଉପକୃତ ହେବେ । ଦିଲ୍ଲୀରେ ଏନେଇ MoU ସ୍ୱାକ୍ଷର ହୋଇଛି ।"